ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଈଟିକୁ ଉଦ୍ଧାର କରିଥିଲେ।
ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଏନ୍ଏସି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ଶୀଘ୍ର ଡ୍ରେନରେ କଭର ପ୍ଲେଟ୍ ପକାଇବା ପାଇଁ ସାନିଟେସନ ଏକ୍ସପର୍ଟ ନୋମେଶଙ୍କୁ ପରାମର୍ଶ ଦେଇଥିଲେ। ଇଓଙ୍କ ନିର୍ଦ୍ଦେଶ ପରେ ଏନ୍ଏସି ପକ୍ଷରୁ ଅସ୍ଥାୟୀ ସୁଇପରମାନଙ୍କ ଜରିଆରେ ମଙ୍ଗଳବାର ଡ୍ରେନରେ କଭର ପ୍ଲେଟ୍ ପକାଯାଉଥିବା ଦେଖିବାକୁ ମିଳିଛି।
ପ୍ରକାଶ ଥାଉ କି, ଗତକାଲି ବିଳମ୍ବିତ ରାତିରେ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହଯୋଗରେ ଗାଈଟିକୁ ସୁରକ୍ଷିତ ଭାବେ ଡ୍ରେନରୁ ଉଦ୍ଧାର କରାଯାଇଥିଲା। ‘ଧରିତ୍ରୀ’ର ଖବର ପରେ ଡ୍ରେନରେ କଭର ପ୍ଲେଟ୍ ପଡ଼ିବାକୁ ନେଇ ସ୍ଥାନୀୟ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି।

