ପାଟନା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ନଭେମ୍ୱର ୨୦୨୬ରେ ବିହାରର ବୈଶାଳୀ ଜିଲାରେ ଗଙ୍ଗା ନଦୀ ଉପରେ ର୍ନିମିତ ନୂଆ ‘ନୀତୀଶ ସେତୁ’ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଗାମୁଛା ହଲାଇ ଲୋକମାନଙ୍କର ଅଭିବାଦନ ଗ୍ରହଣ କରିଥିଲେ। ଏହା ଏକ ୬ ଲେନ ବିଶିଷ୍ଟ ପୋଲ। ଏହି ପ୍ରକଳ୍ପ ଦ୍ୱାରା ଉତ୍ତର ଏବଂ ଦକ୍ଷିଣ ବିହାର ମଧ୍ୟରେ ସଡ଼କ ଯୋଗାଯୋଗ ଆହୁରି ଉନ୍ନତ ହେବାର ଆଶା କରାଯାଉଛି ଏବଂ ପାଟନା ଯାଉଥିବା ଯାତ୍ରୀମାନଙ୍କୁ ଏକ ବିକଳ୍ପ ରାସ୍ତା ମିଳିପାରିବ। ବିହାରର ପୂର୍ୱତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମରେ ନାମିତ ଏହି ୯.୭୬ କିଲୋମିଟର ଲମ୍ୱା ପୋଲ ପ୍ରାୟ ୪,୨୮୦ କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି। ଏହି ସେତୁ ପାଟନାର ଉପକଣ୍ଠରେ ଥିବା କଚ୍ଚୀ ଦରଗାହକୁ ବୈଶାଳୀ ଜିଲ୍ଲାର ବିଦୁପୁର ସହିତ ସଂଯୋଗ କରୁଛି।
କ’ଣ ରହିଛି ‘ନୀତୀଶ ସେତୁ’ର ବିଶେଷତ୍ୱ?
ଏହି ପୋଲ ୧୯.୭ କିଲୋମିଟର ଲମ୍ୱା ରୋଡ କନେକ୍ଟିଭିଟି ପ୍ରୋଜେକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ପାଟନା ଜିଲ୍ଲାରେ NH-22 ଉପରେ ଥିବା କଚ୍ଚୀ ଦରଗାହକୁ ବୈଶାଳୀରେ NH-322 ଉପରେ ଥିବା ବିଦୁପୁର ସହିତ ଯୋଡ଼ୁଛି।
‘ଏକ୍ସଟ୍ରାଡୋଜ୍ଡ କେବୁଲ-ଷ୍ଟେ’ (Extradosed Cable-Stay) ଜ୍ଞାନକୌଶଳରେ ର୍ନିମିତ ନୀତୀଶ ସେତୁ ଦ୍ୱାରା ମହାତ୍ମା ଗାନ୍ଧୀ ସେତୁ ଏବଂ ଜେପି ସେତୁ ଉପରେ ଟ୍ରାଫିକ ଚାପ କମିବାର ଆଶା ରହିଛି। ଏହାଦ୍ୱାରା ବିହାରର ବିଭିନ୍ନ ଅଞ୍ଚଳ ମଧ୍ୟରେ ଯାତ୍ରା କରିବା ଅଧିକ ଦ୍ରୁତ ଏବଂ ସୁବିଧାଜନକ ହୋଇପାରିବ।
ବୈଶାଳୀର ରାଘୋପୁର ଦିୟାରା ଅଞ୍ଚଳ ଚାରିପଟୁ ଗଙ୍ଗା ନଦୀ ଦ୍ୱାରା ଘେରି ରହିଛି। ଏହି ପୋଲ ଦ୍ୱାରା ଏଠାକାର ବାସିନ୍ଦାମାନେ ବେଶ ଉପକୃତ ହେବେ। ସେତୁ ର୍ନିମାଣ ଫଳରେ ସେମାନଙ୍କ ପାଇଁ ପାଟନାର ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧା ନିକଟରେ ପହଞ୍ଚିବା ସହଜ ହୋଇଯିବ।
ଏହି ନୂତନ ସଡ଼କ ଯୋଗାଯୋଗ ଦ୍ୱାରା କୃଷିଜାତ ଦ୍ରବ୍ୟ ଏବଂ ଶିଳ୍ପ ସାମଗ୍ରୀର ପରିବହନ ସହଜ ହେବ। ଉତ୍ତର ବିହାରର ଚାଷୀ ଏବଂ ବ୍ୟବସାୟୀମାନେ ଶୀଘ୍ର ବଜାରରେ ପହଞ୍ଚିପାରିବେ, ଯାହାଫଳରେ ଦୂରଗାମୀ ପରିବହନ ଜନିତ ସମସ୍ୟା ହ୍ରାସ ପାଇବ। ଏହାଦ୍ୱାରା ରାଜ୍ୟର ଅର୍ଥନୀତିରେ ବଡ଼ ଧରଣର ସୁଧାର ଆସିବାର ଆଶା କରାଯାଉଛି।

