ନୂଆଦିଲ୍ଲୀ,୧୧।୯: ଯେଉଁମାନେ ସହରରେ ରହୁଛନ୍ତି, ବର୍ଷ ବର୍ଷ ଧରି ଭଡ଼ା ଘରେ ରହି ନିଜର ଏକ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି। କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦’ (PMAY) ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଯୋଜନାରେ ସରକାର ସହରାଞ୍ଚଳର ଗରିବ ତଥା ମଧ୍ୟବିତ୍ତ ପରିବାରକୁ ନିଜ ଘର ତିଆରି କରିବା, ନୂଆ ଘର କିଣିବା କିମ୍ୱା ଭଡ଼ାରେ ନେବା ପାଇଁ ଅଧିକ ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସରକାର ୧୦ ଲକ୍ଷ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛନ୍ତି।
ପିଏମ ଆବାସ ଯୋଜନା ୨.୦ ଅଧୀନରେ ୧୦ ଲକ୍ଷ କୋଟି ଟଙ୍କାର ଏକ ବଡ଼ ପୁଞ୍ଜିନିବେଶ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ୧ କୋଟି ସହରୀ ପରିବାରକୁ ପକ୍କା ଘରର ସୁବିଧା ଯୋଗାଇଦେବା।
ଏହି ଯୋଜନାକୁ ୪ଟି ବର୍ଗରେ ଲାଗୁ କରାଯାଉଛି, ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜ ଆବଶ୍ୟକତା ଅନୁଯାୟୀ ଲାଭ ପାଇପାରିବେ। ଏଥିରେ ନିଜ ଜମିରେ ଘର ତିଆରି ପାଇଁ ଆର୍ଥିକ ସହାୟତା, ଏଜେନ୍ସି ସହ ମିଶି ସୁଲଭ ମୂଲ୍ୟରେ ଘର, ଶସ୍ତା ଭଡ଼ା ଘର ଏବଂ ରିହାତି (ସବସିଡି) ହାରରେ ଋଣ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି:
ଘର ତିଆରି ପାଇଁ ୧.୫ ଲକ୍ଷ ଟଙ୍କା: ଯେଉଁମାନଙ୍କ ପାଖରେ ନିଜସୱ ଜମି ଅଛି କିନ୍ତୁ ଘର ତିଆରି କରିବା ପାଇଁ ଅର୍ଥ ନାହିଁ, ସେମାନଙ୍କୁ ସରକାର ସେହି ଜମିରେ ପକ୍କା ଘର ର୍ନିମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ୧.୫ ଲକ୍ଷ ଟଙ୍କାର ସହାୟତା ମିଳିବ।
ଯେଉଁମାନଙ୍କର ନିଜସୱ ଜମି ନାହିଁ, ସେମାନଙ୍କ ପାଇଁ ସରକାର ଘରୋଇ କିମ୍ୱା ସରକାରୀ ଏଜେନ୍ସିଗୁଡ଼ିକ ସହ ମିଶି ସୁଲଭ ମୂଲ୍ୟରେ ଘର ପ୍ରସ୍ତୁତ କରିବେ। ଏଥିରେ ପ୍ରତି EWS (ଆର୍ଥିକ ଦୁର୍ୱଳ ବର୍ଗ) ହିତାଧିକାରୀଙ୍କୁ ୧.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ।
ସୁଲଭ ଦରରେ ଭଡ଼ା ଘର: ଏହି ଯୋଜନା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ସହରକୁ କାମ କରିବା ପାଇଁ ଆସିଛନ୍ତି ଏବଂ ସେମାନଙ୍କ ପାଖରେ ଘରଭଡ଼ା ଦେବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ନଥାଏ। ସେମାନଙ୍କ ପାଇଁ ସରକାର ଅତି ଶସ୍ତା ଭଡ଼ା ଘର ର୍ନିମାଣ କରାଇବେ।
ଋଣ ଉପରେ ସବସିଡି: ସରକାର ଋଣ ଉପରେ ସୁଧ ସବସିଡିର ସୁବିଧା ମଧ୍ୟ ପ୍ରଦାନ କରିବେ। ଏହା ଅଧୀନରେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ବାର୍ଷିକ ୪ ପ୍ରତିଶତ ସୁଧ ରିହାତି (ସବସିଡି) ମିଳିବ। ଉଦାହରଣ ସୱରୂପ, ଯଦି ଆପଣ ୮ ଲକ୍ଷ ଟଙ୍କା ଋଣ ନିଅନ୍ତି ଏବଂ ସେଥିରେ ୯ ପ୍ରତିଶତ ସୁଧ ଲାଗୁହୁଏ, ତେବେ ୪ ପ୍ରତିଶତ ସୁଧ ସରକାର ସବସିଡି ଭାବେ ବହନ କରିବେ; ଅର୍ଥାତ୍ ଆପଣଙ୍କୁ ମାତ୍ର ୫ ପ୍ରତିଶତ ସୁଧ ଦରରେ ଋଣ ମିଳିଯିବ।
ଏହି ଯୋଜନା ସେହି ପରିବାରଗୁଡ଼ିକ ପାଇଁ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ସେମାନଙ୍କର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ଏହା ବ୍ୟତୀତ ପରିବାରର କୌଣସି ସଦସ୍ୟଙ୍କ ନାମରେ ଦେଶର କୌଣସି ସ୍ଥାନରେ ପକ୍କା ଘର ନ ଥିବା ଆବଶ୍ୟକ। ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆପଣ ପୂର୍ୱରୁ ପକ୍କା ଘର ପାଇସାରିଛନ୍ତି, ତେବେ ଆପଣ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଆବେଦନକାରୀ କିମ୍ୱା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ପୂର୍ୱରୁ କୌଣସି ପକ୍କା ଘର ରହିବା ଉଚିତ ନୁହେଁ।

