ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ ପରିସରରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ତ୍ରିପତି ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଚିକିଟି ଫାଣ୍ଡି ଅଧିକାରୀ ଏସ୍.ଆଇ ଗୌତମ ସାହୁ ଯୋଗଦେଇ ‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ର ବୃନ୍ଦ ବିଶେଷ କରି ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକଦ୍ରବ୍ୟ ସେବନରୁ ଦୂରେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହି ସଚେତନତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଫାଣ୍ଡି ଅଧିକାରୀ କହିଥିଲେ। ଅପମିଶ୍ରିତ ନିଶା ସେବନ ଦ୍ୱାରା ଲୋକେ ପଙ୍ଗୁ ହୋଇଯାଆନ୍ତି। ଯୁବ ସମାଜ ନିଶା ସେବନ ଦ୍ୱାରା ସେମାନଙ୍କ ବିକାଶ ଓ ଦେଶର ଅର୍ଥନୀତିରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତେଣୁ ସେମାନେ ନିଶା ସେବନଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଉପସ୍ଥିତ ଛାତ୍ରମାନଙ୍କୁ ଏନେଇ ସଚେତନ କରାଯିବା ପରେ ସେମାନେ ନିଶା ସେବନ ବିରୋଧରେ ଶପଥପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ କେ.ନୂଆଗାଁ ଥାନା ଏସ୍.ଆଇ ଟୁକୁନା ସ୍ବାଇଁ, ଏଏସ୍ଆଇ ସୁବାସ ଚନ୍ଦ୍ର ବାୟକଙ୍କ ସମେତ ସହକାରୀ ଶିକ୍ଷକ ଗୌତମ ବେହେରା, ସୁଧୀର ପ୍ରଧାନ ଏବଂ ପୋଲିସ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

