କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା ସାରି ଫେରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ପିତୃପକ୍ଷ ପିଣ୍ଡଦାନ ପାଇଁ ସେପ୍ଟେମ୍ବର ମାସ ୨୫ତାରିଖରୁ ଏକ ତୀର୍ଥଯାତ୍ରୀ ବସ୍ ସ୍ଥାନୀୟ ଅଞ୍ଚଳର ଯାତ୍ରୀଙ୍କୁ ଧରି କୋକସରା ଠାରୁ ବାହାରିଥିଲା। ଗୟା ପିଣ୍ଡଦାନ ପରେ କେଦାର ନାଥ, ବଦ୍ରୀନାଥ ଦର୍ଶନ ସାରି ଅଯୋଧ୍ୟା ଅଭିମୁଖେ ଆସୁଥିବା ବେଳେ ମିରଟ ନିକଟରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। କେନ୍ଦୁପତ୍ର ବିଭାଗ ଲଡୁଗାଁ ରେଞ୍ଜରେ ସ୍ୱର୍ଗତ ପଣ୍ଡା ହେଡ୍ ଚେକର ଭାବେ କାର୍ଯ୍ୟ କରୁଥିଲେ ।
ସେ ଜଣେ ଧର୍ମ ପରାୟଣ, ପରୋପକାରୀ ଓ ମେଳାପୀ ବ୍ୟକ୍ତି ଥିଲେ। ତୀର୍ଥଯାତ୍ରା ସାରି ଘରକୁ ଫେରୁଥିବା ସମୟରେ ତାଙ୍କର ଏଭଳି ଅକାଳ ବିୟୋଗ ଖବର ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ତଥା ଚିହ୍ନା ପରିଚିତଙ୍କୁ ମର୍ମାହତ କରିଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପାର୍ଥିବ ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆଣୁଥିବା ଜଣାପଡିଛି।

