ଦରମାଠାରୁ ପେନ୍‌ସନ ବେଶି

ସହଦେବ ସାହୁ

ଲୋକପ୍ରତିନିଧିତ୍ୱ ଏକ ଚାକିରି, କାମ ନ କରିବା ଦିନର ବି ଦରମା ଏବଂ ଦରମାଠାରୁ ପେନ୍‌ସନ୍‌ ବେଶି – ଏ ତିନୋଟି ଅସଙ୍ଗତିକୁ ଆଇନସଙ୍ଗତ କରିନେଇଛନ୍ତି ଆମ ଦେଶର ଲୋକପ୍ରତିନିଧିମାନେ, ଯେଉଁମାନେ ଆମ ଭିତରେ ନୈତିକତା ଓ ଶୃଙ୍ଖଳା ଆଣିବା ପାଇଁ ଏବଂ ସମୁଦାୟ ସମାଜରେ ମାନବିକ ବିକାଶ ଆଣିବା ଲାଗି ଆଇନ ପ୍ରଣୟନ କରିବା କଥା ଓ ଶାସନର ନୀତି ନିର୍ଦ୍ଧାରଣ କରିବା କଥା। ପଞ୍ଜାବର ଆପ୍‌ ସରକାର ଏବର ଏମ୍‌ଏଲ୍‌ଏମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ବନ୍ଦ କରିଥିବାର ଖବର ପ୍ରକାଶ ପାଇଛି। ଯଦି ତାହା ସତ୍ୟ ତେବେ ଏହା ଗଣତନ୍ତ୍ରରେ ଗୋଟିଏ ଅସଙ୍ଗତିକୁ ଦୂର କରିବାର ଉଦାହରଣ ଯୋଗାଇବ। ସେବା ମନୋଭାବର ସୁସ୍ଥ ପରମ୍ପରା ସ୍ବାଧୀନତା ପ୍ରାପ୍ତିପରର ପ୍ରଥମ ନିର୍ବାଚନରେ ଥିଲା, ଜନପ୍ରତିନିଧିମାନେ ଯାବତୀୟ ଖର୍ଚ୍ଚ ନେଉଥିଲେ, ନିର୍ବାଚନରେ ବିଜୟୀ ହେଲେ ଗୋଟିଏ ଚାକିରି ମିଳିଗଲା ବୋଲି ଭାବୁ ନ ଥିଲେ; ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରିବାର ଏକ ସୁଯୋଗ ବୋଲି ଭାବୁଥିଲେ। ସମ୍ବିଧାନରେ ‘ରାଜନୈତିକ ଦଳ’ର ଉଲ୍ଲେଖ ନ ଥିଲା। ଅବଶ୍ୟ ସେମାନେ ନିଜର କର୍ତ୍ତବ୍ୟ ତୁଲାଇବାରେ ଯାହା ଖର୍ଚ୍ଚ କରୁଥିଲେ ତାହା ବିଧାନସଭା ଓ ସଂସଦ ଯୋଗାଉଥିଲା। ପରେ ପରେ ଲୋକ ପ୍ରତିନିଧିମାନେ ନିଜକୁ ସରକାର ଚଳାଇବା ଲୋକ ନ ଭାବି ସରକାରୀ କର୍ମଚାରୀ (ପବ୍ଲିକ୍‌ ସର୍ଭାଣ୍ଟ) କରିନେଲେ। ୧୯୮୫ରୁ ୨୦୦୩ ଭିତରେ ଦଳବଦଳନିରୋଧ ଆଇନ ଆଣି, ପରେ ତାକୁ ସାମ୍ବିଧାନିକ ରୂପ ଦେଇ ଲୋକପ୍ରତିନିଧିଙ୍କୁ ଦଳପ୍ରତିନିଧି କରିଦେଲେ। ଏମ୍‌ଏଲ୍‌ଏ ବା ଏମ୍‌ପି ହେବା ପରେ ବି ଦଳର କର୍ମୀ ବୋଲି ଧରାଗଲେ, ଦଳପତି ଚାହିଁଲେ ବାଚସ୍ପତିଙ୍କ ଜରିଆରେ ଏମ୍‌ଏଲ୍‌ଏ ବା ଏମ୍‌ପି ପଦ ପାଇଁ ଅଯୋଗ୍ୟ ଘୋଷିତ ହୋଇପାରିବେ, ଲୋକଙ୍କ ଭୋଟରେ ବିଜୟୀ ହୋଇଆସିଥିଲେ ବି ବିଧାୟକ ବା ସାଂସଦ ପଦ ହରାଇବେ। ‘ଗଣ’ ବଦଳରେ ‘ଦଳ’ ତନ୍ତ୍ର ଆରମ୍ଭ ହୋଇଗଲା ୨୧ଶ ଶତାବ୍ଦୀରୁ!
ବିଧାୟକ ଓ ସାଂସଦମାନେ ଯେତେ ପ୍ରକାରର ସୁବିଧା ଓ ଉପଭୋଗ (ପ୍ରିଭିଲେଜ୍‌) ପାଇବାର ଆଇନ କରିନେଇଛନ୍ତି ଲୋକେ ଊଣାଅଧିକେ ଜାଣନ୍ତି। କାମ ନ କରି ବି ସେମାନେ ଦରମା ନେବେ, ୩୬୫ ଦିନରୁ ୧୦୦ ଦିନରୁ କମ୍‌ କାମ କରି ସେମାନେ ବର୍ଷ ଯାକର ଦରମା ଓ ଯାବତୀୟ ଉପଭୋଗ ପାଇବେ, ଉପସ୍ଥାନ ଖାତାରେ ଦସ୍ତଖତ କରିଦେଲେ ସେ ଦିନର ଭତ୍ତା ଓ ଯାତାୟାତ ଖର୍ଚ୍ଚ ପାଇବେ, ଝଗଡ଼ାଝାଣ୍ଟି କରି ସଭାଗୃହ ଅଚଳ ବା ବନ୍ଦ କରିଦେଲେ ବି। ଉଦ୍ଦେଶ୍ୟ ଦେଶସେବା ବୋଲି ପ୍ରଚାର କରୁଥିଲେ ହେଁ ସେମାନେ ବିନା ଟିକସର ଦରମା ସାଙ୍ଗକୁ ବିନା ଟିକସର ଲୋଭନୀୟ ପେନ୍‌ସନ୍‌ ପାଇବା ନିୟମ କରିନେଲେ। ନିଜ ହାତରେ ଆଇନ କରିବାର କ୍ଷମତା ଅଛି ନା! ସରକାରୀ ବା ବେସରକାରୀ ହେଉ, କର୍ମଚାରୀଟିଏ ଅନ୍ତତଃ ୧୦ ବର୍ଷ ଚାକିରି ନ କଲେ ପେନ୍‌ସନ୍‌ ପାଇବ ନାହିଁ, କିନ୍ତୁ ବିଧାନସଭା ବା ସଂସଦ ଦିନଟିଏ କାମ କରି ଭାଙ୍ଗିଗଲେ ବି ପ୍ରତିନିଧିମାନେ ପେନ୍‌ସନ୍‌ ପାଇବେ ବୋଲି ୧୯୭୬ ସେପ୍ଟେମ୍ବରରୁ ଆଇନ କରିଛନ୍ତି ସେମାନେ। (କାରଣ ଏଥିରେ ଖୁସି ହୋଇ ସାଂସଦମାନେ ଏମର୍ଜେନ୍ସିକୁ ସମର୍ଥନ କରିବେ ବୋଲି ଇନ୍ଦିରା ଗାନ୍ଧୀଙ୍କ ଇଚ୍ଛା ହୋଇଥିବ!) ଦିନେ ଏମ୍‌ଏଲ୍‌ଏ ହୋଇଥିଲେ ବି ମାସିକ ପେନ୍‌ସନ୍‌ ୨୫୦୦୦ ଟଙ୍କା ମିଳିବାର ଆଇନ ୨୦୦୯ରୁ ଚାଲିଛି। ୨୦୧୮ରେ ମୋଦି ସରକାର ଆଇନ କଲେ ଯେ ଯେଉଁ ବ୍ୟକ୍ତି ଥରେ ୫ ବର୍ଷ ସାଂସଦ ହୋଇସାରିଥିବେ, ଆଉ ଥରେ ସାଂସଦ ହେଲେ ପ୍ରତି ଅଧିକ ବର୍ଷ ପାଇଁ ମାସିକ ୨୦୦୦ ଟଙ୍କା ହାରରେ ଅତିରିକ୍ତ ପେନ୍‌ସନ ପାଇବେ ଏବଂ ଏହି ମୂଳ ପେନ୍‌ସନ ଓ ଅତିରିକ୍ତ ପେନ୍‌ସନ ପରିମାଣ ପ୍ରତି ୫ବର୍ଷରେ ମୁଦ୍ରାସ୍ପୀତି ବୃଦ୍ଧି ହାର ସହିତ ତାଳ ରଖି ବଢ଼ିବ।
୨୦୨୧ରେ ଏକ ଆରଟିଆଇ ଦରଖାସ୍ତର ଉତ୍ତରରେ ହରିୟାଣା ସରକାର କହିଛନ୍ତି- ୨୦୬୨ ଜଣ ଏମ୍‌ଏଲଏଙ୍କ ପେନ୍‌ସନ ବାବଦରେ ରାଜ୍ୟ ସରକାର ବର୍ଷକୁ ୨୨କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ଅଫିସରଟିଏ ବ୍ୟଭିଚାରରେ ଦଣ୍ଡିତ ହେଲେ ବିଚାରପତି ପେନ୍‌ସନ୍‌ ବାତିଲ କରିବା ରାୟ ଦେଇପାରନ୍ତି ବା ପେନ୍‌ସନ୍‌ର କିଛି ଅଂଶ ଦଣ୍ଡ ରୂପେ କାଟିଦେବା ରାୟ ଦିଅନ୍ତି। କିନ୍ତୁ ଏମ୍‌ଏଲ୍‌ଏ ଦଣ୍ଡିତ ହୋଇଥିଲେ ବି ପେନ୍‌ସନ୍‌ କମେ ନାହିଁ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ, ନ୍ୟାଶନାଲ ଲୋକଦଳ ସଭାପତି, ଓ ପି ଚୌଥାଲା ମାସକୁ ୨,୨୨,୫୨୫ ଟଙ୍କା ପେନ୍‌ସନ୍‌ ପାଉଥିଲେ, ସେ ୨୦୦୦ ମସିହାରେ ୩୨୦୬ ଟ୍ରେନ୍‌ଡ ବେସିକ୍‌ ଟିଚର୍‌ ନିଯୁକ୍ତି କେଳେଙ୍କାରିରେ ଦଣ୍ଡିତ ହୋଇ ବହୁଦିନ ଜେଲରେ ଥିଲେ ବି ତାଙ୍କର ପେନ୍‌ସନ୍‌ ଉପରେ ଆଞ୍ଚ ଆସିଲା ନାହିଁ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ନାମକ ପ୍ରକାଣ୍ଡ ଷ୍ଟିଲ କାରଖାନାର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ଭୂତପୂର୍ବ ଏମ୍‌ଏଲ୍‌ଏ ହିସାବରେ ମାସକୁ ୯୦,୫୬୩ ଟଙ୍କା ପାଇଛନ୍ତି ବୋଲି ହରିୟାଣା ସରକାର ଜଣାଇଥିଲେ। ଆଶ୍ଚର୍ଯ୍ୟର କଥା, ଦରମାଠାରୁ ବହୁଗୁଣ ଅଧିକ ପେନସନ ପାଉଥିଲେ ହରିୟାଣା କଂଗ୍ରେସ ଏମ୍‌ଏଲ୍‌ଏ କ୍ୟାପ୍‌ଟେନ ଅଜୟ ଯାଦବ ମାସକୁ ୨,୩୮,୦୫୦ ଟଙ୍କା। ସମ୍ପଦ ସିଂ ପାଉଥିଲେ ୨,୧୪,୭୬୩ ଟଙ୍କା ଓ ବଲବୀର ପାଲ ସାହା ୨,୦୭,୦୦୦ ଟଙ୍କା। ଚୌଥାଲାଙ୍କ ପୁଅ ଅଜୟ ଚୌଥାଲା (ଜୁନିୟର ବେସିକ୍‌ ଟ୍ରେନ୍‌ଡ ଟିଚର ନିଯୁକ୍ତି କେଳେଙ୍କାରିରେ ଦଣ୍ଡିତ) ପାଉଛନ୍ତି ମାସକୁ ୫୧,୭୫୦ ଟଙ୍କା । ମୃତ ଏମ୍‌ଏଲ୍‌ଏଙ୍କ ବିଧବାମାନେ ବର୍ଷକୁ ୩୧୫ଲକ୍ଷ ଟଙ୍କା ପେନ୍‌ସନ ପାଉଛନ୍ତି: ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ସ୍ତ୍ରୀ ଜସ୍‌ମା ଦେବୀ ପାରିବାରିକ ପେନ୍‌ସନ ମାସକୁ ୯୯,୬୧୯ ଟଙ୍କା ସହିତ ନିଜେ ଭୂତପୂର୍ବ ଏମ୍‌ଏଲ୍‌ଏ ହିସାବରେ ଆଉ ଗୋଟିଏ ପେନ୍‌ସନ ୫୧,୭୫୦ ଟଙ୍କା ପାଉଛନ୍ତି ବୋଲି ଆର୍‌ଟିଆଇ ଉତ୍ତରରେ ଆସିଛି। କେତେକ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ୨୦୦୬ରୁ ପେନ୍‌ସନ ଉଠାଇବା ଆଇନ ଆମର ସାଂସଦମାନେ କରିଛନ୍ତି, କିନ୍ତୁ ସେମାନେ ନିଜେ ଅଧିକରୁ ଅଧିକ ପେନ୍‌ସନ ପାଇବାର ଆଇନ କରିନେଇଛନ୍ତି। ଏହାକୁ ଦେଖି ଦେଶକୁ ଖାଦ୍ୟ ଯୋଗାଉଥିବା କୃଷକମାନେ ଦାବି କଲେଣି ସେମାନଙ୍କୁ ପାୱାର ଓ ପ୍ରେଷ୍ଟିଜ୍‌ ସହିତ ପେନ୍‌ସନ୍‌ ମିଳୁ।
କେବେ ଭାବିଛନ୍ତି କି ଆମ ଗଣତନ୍ତ୍ରରେ କି କି ପ୍ରକାରର ବିକାଶ ଆଣିଛନ୍ତି ଆମ ରାଜନୈତିକ ଦଳମାନେ! ଯାହାର ସମ୍ମତି ନେଇ ପ୍ରତିନିଧି ହୋଇ ତୁମେ ସଭାକୁ ଆସିବ ତା’ ଆବଶ୍ୟକତା ପୂରଣ କରିବା ଲାଗି ପରସେଣ୍ଟେଜ୍‌ ମାଗିବ? ଏମିତି କାମକୁ ଦଳ ଉତ୍ସାହିତ କରୁଛି। କୌଣସି ରାଜନୈତିକ ଦଳ ଭାବୁନାହିଁ ଜନସେବା କରିବା ଆଳରେ ପକେଟ ସେବା କରିବା ଏକ ବିଡମ୍ବନା ବୋଲି। ଘର, ବିଜୁଳି, ପାଣି, ଫୋନ୍‌ ଆଦି ମାଗଣା। ନିର୍ବାଚନମଣ୍ଡଳୀ ସମ୍ଭାଳିବା ନାଁରେ ନିଜ ଘର ବା ସମ୍ପର୍କୀୟର ଘର ପାଇଁ ଭଡ଼ା ନେବା, ନିଜ କୁଟୁମ୍ବ ଓ ସମ୍ପର୍କୀୟକୁ ଚାକିରି ଦେଇ ସେ ବାବଦ ଦରମାତକ, ଅନ୍ତତଃ ଦରମାର ସିଂହଭାଗ ନିଜ ପକେଟରେ ଭର୍ତ୍ତି କରିବା କେତେକ ପ୍ରତିନିଧିଙ୍କ କାମ ହୋଇଯାଇଛି। ଦେଶର ଯେ କୌଣସି ସ୍ଥାନକୁ ସାଙ୍ଗରେ ଜଣେ ନେବାକୁ ଯେଉଁ ବ୍ୟବସ୍ଥା କରିନେଇଛନ୍ତି ତାହା ଯୋଗୁ ରେଳ ଓ ବିମାନ ଟିକେଟ ପାଇଁ ବିକଳରେ ଥିବା ଲୋକଙ୍କୁ ଟିକେଟ ଯୋଗାଇ ଉପୁରି ମାରିହେଉଛି। ସ୍କୁଲ କଲେଜ ଆଡମିଶନ କୋଟା, ହସ୍ପିଟାଲ ବେଡ୍‌ କୋଟା ଭଳି ବହୁବିଧ କୋଟା ଉପୁରି ଆଦାୟର ଉତ୍ସ ହୋଇଗଲାଣି। ସାଧାରଣ ନାଗରିକଟିଏ ଯାହାକୁ ବେଆଇନ ବା ଅସଙ୍ଗତି କହେ ତାକୁ ସଙ୍ଗତ ଅର୍ଥାତ୍‌ ଆଇନଗତ କରିନେବାର କ୍ଷମତା ସମ୍ବିଧାନ ଦେଇଛି ଆମର (ଏବେ ଦଳର) ବିଧାୟକ ଓ ସାଂସଦମାନଙ୍କୁ। କାମ ନ କରି ଦରମା ନେବା, କାମ ନ କରି କାମ କରୁଥିବାର ଅଭିନୟ କଲେ ସାଧାରଣ ନାଗରିକଟିଏ ଦଣ୍ଡନୀୟ ଅପରାଧରେ ପଡ଼େ, କିନ୍ତୁ ବିଧାୟକ ବା ସାଂସଦ ପାଇଁ ସାତଖୁଣ ମାଫ୍‌।
-sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?