ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ ଅଣ୍ଡର-୧୯ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଅନଅଫିସିଆଲ ଦିନିକିଆ ମ୍ୟାଚ୍ରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଭାରତୀୟ ଦଳରେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ୍ଏବଂ ରାହୁଲ ଦ୍ରାବିଡଙ୍କ ପୁଅ ଅନଭୟ ଖେଳିଥିଲେ। ଉଭୟଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍ରେ ଆର୍ଯ୍ୟବୀର ଚମତ୍କାର ବ୍ୟାଟିଂ କରିଥିବା ବେଳେ ଅନଭୟ ବଡ଼ ଇନିଂସ ଖେଳିପାରି ନ ଥିଲେ।
ଭାରତୀୟ ଇନିଂସ୍ରେ ଓପନିଂ କରିଥିଲେ ଆର୍ଯ୍ୟବୀର। ସେ ୪୮ଟି ବଲ୍ରେ ୪୭ ରନ୍ରେ ଉପଯୋଗୀ ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟ୍ରୁ ୯ଟି ଚୌକା ଆସିଥିଲା। ତାଙ୍କ ଷ୍ଟ୍ରାଇକ ରେଟ ୯୭.୯୨ ରହିଥିଲା।
ଆର୍ଯ୍ୟବୀର ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିଲେ। ହେଲେ ୧୮.୫ ଓଭରରେ ରନଆଉଟ ହୋଇ ତାଙ୍କ ଇନିଂସ ଶେଷ ହୋଇଥିଲା। ଅଧିନାୟକ ଲକ୍ଷ୍ୟ ରାଜେଶ ରାୟଚନ୍ଦାନୀଙ୍କ ସହ ମିଶି ସେ ଭାରତକୁ ଭଲ ଆରମ୍ଭ ଦେଇଥିଲେ।
ଅନ୍ୟପକ୍ଷରେ ଉଇକେଟକିପର ବ୍ୟାଟର ଅନଭୟଙ୍କ ପାଇଁ ଏହି ମ୍ୟାଚ ଆଶାନୁରୂପ ହୋଇ ନ ଥିଲା। ସେ ୮ଟି ବଲ୍ରେ ୯ ରନ କରିଥିଲେ। ତାଙ୍କ ବ୍ୟାଟ୍ରୁ ମାତ୍ର ଗୋଟିଏ ଚୌକା ଆସିଥିଲା।
ଭାରତ ଅଷ୍ଟ୍ରେଲିଆ ଅଣ୍ଡର-୧୯ ସାମ୍ନାରେ ୩୪୨ ରନ୍ର ବଡ଼ ଟାର୍ଗେଟ ରଖିଥିଲା। ଏହାର ପିଛା କରି ଅଷ୍ଟ୍ରେଲିଆ ଦଳ ୨୩୮ ରନ୍ରେ ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତ ୧୦୩ ରନ୍ରେ ବଡ଼ ବିଜୟ ହାସଲ କରିଛି।
ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ଅନଅଫିସିଆଲ ଦିନିକିଆ ସିରିଜ୍ରେ ଭାରତ ୨-୦ରେ ଅଜେୟ ଅଗ୍ରଣୀ ହାସଲ କରିଛି। ସିରିଜ୍ର ତୃତୀୟ ମ୍ୟାଚ ୨୩ ସେପ୍ଟେମ୍ବରରେ ଖେଳାଯିବ।
ସିରିଜ୍ର ପ୍ରଥମ ମ୍ୟାଚ୍ରେ କିନ୍ତୁ ଅନଭୟ ଆର୍ଯ୍ୟବୀରଙ୍କ ତୁଳନାରେ ଭଲ ବ୍ୟାଟିଂ କରିଥିଲେ। ଅନଭୟ ମାତ୍ର ୧୮ଟି ବଲ୍ରେ ୩୮ ରନ୍ର ଦ୍ରୁତ ଇନିଂସ ଖେଳିଥିଲେ। ଅନ୍ୟପଟେ ଆର୍ଯ୍ୟବୀର ୨୬ଟି ବଲ୍ରେ ୨୮ ରନ କରିଥିଲେ।
ଦ୍ୱିତୀୟ ମ୍ୟାଚ୍ରେ ଚିତ୍ର ବଦଳିଗଲା। ଏଥର ଆର୍ଯ୍ୟବୀର ୪୭ ରନ କରି ଅନଭୟଙ୍କଠାରୁ ଆଗରେ ରହିଥିଲେ। ଦୁଇ ପ୍ରସିଦ୍ଧ କ୍ରିକେଟରଙ୍କ ପୁଅଙ୍କ ପ୍ରଦର୍ଶନକୁ ନେଇ ଏବେ ତୃତୀୟ ମ୍ୟାଚ ଉପରେ ମଧ୍ୟ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି।
Dharitri – Odisha’s No.1 Odia Daily

