ଓଡ଼ିଶାର ତନ୍‌ଭିଙ୍କୁ ବିରଳ ସଫଳତା:ଏସିଆନ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୬।୮ (ତପନ ସ୍ବାଇଁ):କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରୀୟ ବ୍ୟାଡ୍‌ମିଣ୍ଟନ ଏକାଡେମୀ ପ୍ରସ୍ତୁତ ହେଉଥିବାବେଳେ ଓଡ଼ିଶାର ତନଭି ପତ୍ରୀ ଏକ ବିରଳ ସଫଳତା ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ନିଜ କ୍ୟାରିୟରକୁ ଭିନ୍ନ ଏକ ସୋପାନକୁ ନେଇଯାଇଛନ୍ତି। ଚାଇନାର ଚେଙ୍ଗ୍‌ଡୁଠାରେ ଅନୁଷ୍ଠିତ ୧୫ ବର୍ଷରୁ କମ୍‌ ଏସିଆ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତୀୟ ବ୍ୟାଡ୍‌ମିଣ୍ଟନର ଭବିଷ୍ୟତ ଭାବେ ବିବେଚିତ ହେଉଥିବା ଏହି ପ୍ରତିଭାସମ୍ପନ୍ନ ବାଳିକା ରବିବାର ଅନୁଷ୍ଠିତ ଫାଇନାଲରେ ଭିଏତ୍‌ନାମର ଦ୍ୱିତୀୟ ସିଡ୍‌ ଥି ଥୁ ହୁୟେନ ଏନ୍‌ଗୁୟେନଙ୍କୁ ୨୨-୨୦, ୨୧-୧୧ରେ ପରାସ୍ତ କରିଛନ୍ତି। ଏନ୍‌ଗୁୟେନଙ୍କୁ ହରାଇବା ପାଇଁ ତନଭି ମାତ୍ର ୩୪ ମିନିଟ୍‌ ସମୟ ନେଇଥିଲେ। ଓଡ଼ିଶାର ପ୍ରଥମ ଏବଂ ଭାରତର ଭାରତର ତୃତୀୟ ଖେଳାଳିଭାବେ ସେ ୧୫ ବର୍ଷରୁ କମ୍‌ ବର୍ଗରେ ଜୁନିୟର ଏସିଆ ମହିଳା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ ହୋଇଛନ୍ତି। ୨୦୧୭ରେ ସାମିୟା ଇମାନ ଫାରୁକି ଓ ୨୦୧୯ରେ ତସନିମ ମୀର ପୂର୍ବରୁ ଏହି ସଫଳତା ପାଇଥିଲେ।
ତନଭିଙ୍କ ଘର ହେଉଛି ବାଲେଶ୍ୱର ଜିଲା ମାର୍କୋଣାର ନୟାପଲ୍ଲୀରେ। ତାଙ୍କ କ୍ୟାରିୟର ଚାଇନାରୁ ହିଁ ଆରମ୍ଭ ହୋଇଥିଲା। ତାଙ୍କ ମା’ ଶୈଳବାଳା ପଣ୍ଡା ଓ ବାପା ରବିନାରାୟଣ ପତ୍ରୀ ସଫ୍ଟଓ୍ବେର ପ୍ରଫେଶନାଲ ଭାବେ ଚାଇନାରେ କାର୍ଯ୍ୟରତ ଥିଲେ। କୋଭିଡ୍‌-୧୯ ମହାମାରୀ ଯୋଗୁ ୨୦୨୦ରେ ସେମାନେ ଭାରତ ଆସିଥିଲେ। ଦେଶକୁ ଫେରିବାପରେ ତନଭି ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ଚାଇନାରେ ସେ ଜିଆଙ୍ଗ ୟଙ୍ଗ୍‌ ୟି’ଙ୍କଠାରୁ ଟ୍ରେନିଂ ନେଉଥିଲେ। ତେଣୁ ପରିବେଶ ସହିତ ଅଭ୍ୟସ୍ତ ହୋଇଥିବା ଭେନ୍ୟୁରେ ସେ ଚମତ୍କାର ପ୍ରଦର୍ଶନ କରି କ୍ୟାରିୟରର ଏହି ଶ୍ରେଷ୍ଠ ସଫଳତା ଲାଭ କରିଛନ୍ତି।
ତନଭି ୨୦୧୭-୧୮ରୁ ଚାଇନାରେ ୮ ବର୍ଷରୁ କମ୍‌ ବର୍ଗରୁ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ନିଜ ପ୍ରତିଭା ଦେଖାଇଛନ୍ତି। ୨୦୧୯ ପର୍ଯ୍ୟନ୍ତ ସେ ସେଠାରେ ବିଭିନ୍ନ ବୟସ ବର୍ଗର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ପାଖାପାଖି ୯ଟିରେ ଚାମ୍ପିୟନ ଏବଂ ଗୋଟିଏରେ ରନରଅପ୍‌ ହୋଇଛନ୍ତି। ଓଡ଼ିଶା ଆସିବାପରେ କୋଭିଡ୍‌ ପାଇଁ କିଛି ବର୍ଷର ବ୍ରେକ୍‌ ପରେ ୨୦୨୧ରୁ ସେ ରାଜ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଏବଂ ସିନିୟର ବର୍ଗ ପ୍ରତିଯୋଗିତାଗୁଡ଼ିକରେ ଭାଗନେଇ ଚମତ୍କାରିତା ଦେଖାଇଛନ୍ତି। ଅର୍ଥାତ୍‌ ଏବେ ମାତ୍ର ୧୩ ବର୍ଷ ହୋଇଥିଲେ ହେଁ ସେ ତାଙ୍କଠାରୁ ବୟସରେ ବହୁ ବଡ଼ ଖେଳାଳିଙ୍କୁ ସେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ରାଜ୍ୟରେ ଅନୁଷ୍ଠିତ ପ୍ରତିଯୋଗିତା ମଧ୍ୟରେ ସେ ଅଧ ଡଜନରୁ ଊଦ୍ଧ୍ୱର୍ର୍ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ସାରିଛନ୍ତି। ଜାତୀୟ ସ୍ତରରେ ମଧ୍ୟ ସେ ଖୁବ୍‌ ସଫଳତା ଲାଭ କରିଛନ୍ତି। ୨୦୨୨ରେ ମୁମ୍ବାଇ ଓ ଲକ୍ଷ୍ନୌ, ୨୦୨୩ରେ ଓଡ଼ିଶାର ବଲାଙ୍ଗୀରରେ ଅନୁଷ୍ଠିତ ୩୫ତମ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ, ୨୦୨୪ରେ ଗୋଆ ଓ ତେଲଙ୍ଗାନାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ସେ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି।
ଚଳିତବର୍ଷ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ତନଭି। ସେ ଗତ ମାର୍ଚ୍ଚରେ ନେଦରଲାଣ୍ଡ୍ସର ହର୍ଲେମରେ ଅନୁଷ୍ଠିତ ଡଚ୍‌ ଅନ୍ତର୍ଜାତୀୟ ଏବଂ ଜର୍ମାନୀର ବର୍ଲିନ୍‌ରେ ଆୟୋଜିତ ଜର୍ମାନୀ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ ହେଁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରି ନ ଥିଲେ। ନେଦରଲାଣ୍ଡ୍ସରେ ସେ ଦ୍ୱିତୀୟ ରାଉଣ୍ଡ ଏବଂ ଜର୍ମାନୀରେ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ। ମାତ୍ର ଚାଇନା ଟୁର୍ନାମେଣ୍ଟରେ ସ୍ବର୍ଣ୍ଣିମ ସଫଳତା ପାଇ ସେ ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି। ପ୍ରକାଶ ପାଦୁକୋନ ଏକାଡେମୀର ମୁଖ୍ୟ କୋଚ୍‌ ତଥା ନିର୍ଦ୍ଦେଶକ ୟୁ. ବିମଲ କୁମାରଙ୍କ କହିବା ଅନୁସାରେ ତନଭି ହେଉଛନ୍ତି ନିର୍ଭୀକ, ଉଚ୍ଚ ପ୍ରତିଭାସମ୍ପନ୍ନ, ଉତ୍ତମ ଟେକ୍ନିକସମ୍ପନ୍ନ ଏବଂ ଖୁବ୍‌ଶୀଘ୍ର ଶିଖିପାରୁଥିବା ଜଣେ ଖେଳାଳି। ୨୦୨୨ରେ ଝିଅ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ ବୋଲି ରବିନାରାୟଣ ବେଙ୍ଗାଲୁରୁରୁ ବଲାଙ୍ଗୀର ୧୪୦୦ କିଲୋମିଟର ଗାଡ଼ି ଡ୍ରାଇଭ୍‌ କରି ତନଭିଙ୍କୁ ନେଇ ଆସିଥିଲେ। ଏହା ସେତେବେଳେ ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟରାତ୍ରିରେ ଥରିଲା ଜାପାନ,ଜରୁରୀକାଳୀନ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କଲେ ପ୍ରଧାନମନ୍ତ୍ରୀ

ଟୋକିଓ,୮।୧୧: ଶନିବାର ମଧ୍ୟରାତ୍ରି ପରେ ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ତେବେ ରବିବାର ସକାଳେ ଘଟିଥିବା 5.7 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।…

କୋଚିରେ ସିଜେପିର ରାଲି

କୋଚି,୮ା୧୧(ପି.ଟି.): କକ୍‌ରୋଚ ଜନତା ପାର୍ଟି (ସିଜେପି) ‘କୋଚିରେ ଯନ୍ତରମନ୍ତର’ ଅଭିଯାନର ଅଂଶ ସ୍ବରୂପ ଶନିବାର ମେରାଇନ୍‌ ଡ୍ରାଇଭ୍‌ଠାରେ ଏକ ବିକ୍ଷୋଭ ରାଲି କରି ଭୋଟର ତାଲିକାର ସ୍ବତନ୍ତ୍ର…

ପେଟ୍ରୋଲ ଚୋରି ଅଭିଯୋଗ ଆଣିଲେ ରାହୁଲ

ନୂଆଦିଲ୍ଲୀ,୮ା୧୧(ପି.ଟି.): ଦେଶରେ ପ୍ରଚଳିତ ଇ୨୦ ପେଟ୍ରୋଲକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କର୍ନାଟକ ସରକାରଙ୍କ ଦ୍ୱାରା ସଂଗୃହୀତ ନମୁନା…

୧୩,୬୦୦ଫୁଟ ଉଚ୍ଚରେ ଅବତରଣ କଲା ବାୟୁସେନାର ଆଇଏଲ୍‌-୭୬

ନୂଆଦିଲ୍ଲୀ, ୮ା୧୧(ପି.ଟି): ଭାରତୀୟ ବାୟୁସେନାର ଆଇଏଲ୍‌-୭୬ଏମ୍‌ଡି ‘ଗଜରାଜ’ ପୂର୍ବ ଲଦାଖର ନ୍ୟୋମା ଏୟାର ବେସ୍‌ରେ ୧୩,୬୦୦ ଫୁଟରୁ ଅଧିକ ଉଚ୍ଚତାରେ ସଫଳତାର ସହ ଅବତରଣ କରି ଐତିହାସିକ…

ଅଗରକର ଜଣେ ଅହଙ୍କାରୀ ଚୟନକର୍ତ୍ତା, ଖେଳାଳିଙ୍କ ଜୀବନ ବରବାଦ କରିଛନ୍ତି: ସାମିଙ୍କ ଅବସର ପରେ ବର୍ଷିଲେ…

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଦୀପାବଳିର ଠିକ୍ ଦୁଇ ଦିନ ପୂର୍ବେ,…

ଅତିରିକ୍ତ ୨ ବର୍ଷ କାର୍ଯ୍ୟ ଶେଷ ପରେ ନିୟମିତ ପାଇଁ ଯୋଗ୍ୟ ହେବେ ଅଗ୍ନିବୀର

ନୂଆଦିଲ୍ଲୀ,୭ା୧୧: ଅତିରିକ୍ତ ୨ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ସମସ୍ତ ଅଗ୍ନିବୀର ଚାହିଁଲେ ନିୟମିତ ସୈନ୍ୟ ଭାବେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ…

ପାରିବାରିକ କଳହ ନା ଚାକିରୀ ଚାପ? ଛୁଟିରୁ ଫେରିବା ପରେ କ୍ୱାର୍ଟରରୁ ମିଳିଲା ଅମ୍ବାଦଳା ଥାନା SIଙ୍କ ଝୁଲନ୍ତା ମୃତଦେହ, ଉଠିଲା ପ୍ରଶ୍ନ

ଆମ୍ବଦଳା,୭।୧୧(ରବିନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଆମ୍ବଦଳା ଥାନାରେ କାର୍ଯ୍ୟରତ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟରର ବନ୍ଦ…

କୋଟିଆରୁ ଆନ୍ଧ୍ର ସମିତିସଭ୍ୟ ନିର୍ବାଚିତ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ୨ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏହା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?