କୋଚି,୮ା୧୧(ପି.ଟି.): କକ୍ରୋଚ ଜନତା ପାର୍ଟି (ସିଜେପି) ‘କୋଚିରେ ଯନ୍ତରମନ୍ତର’ ଅଭିଯାନର ଅଂଶ ସ୍ବରୂପ ଶନିବାର ମେରାଇନ୍ ଡ୍ରାଇଭ୍ଠାରେ ଏକ ବିକ୍ଷୋଭ ରାଲି କରି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ର ପ୍ରତ୍ୟାହାର ଦାବି ସହ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛି। ଗିରଫ ତାଙ୍କୁ ଏସ୍ଆଇଆର୍ ବିରୋଧୀ ବିକ୍ଷୋଭରେ ଜାତୀୟ ପତାକା ଧରିବାରୁ ରୋକିପାରିବ ନାହିଁ ବୋଲି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍କେ ଘୋଷଣା କରିଛନ୍ତି। ବିକ୍ଷୋଭ ସଭାକୁ ଉଦ୍ବୋଧନ ଦେଇ ଦୀପ୍କେ କହିଥିଲେ, ନରେନ୍ଦ୍ର ମୋଦି ସରକାର ଲୋକଙ୍କ ଖାଦ୍ୟ ପସନ୍ଦ, ବ୍ୟକ୍ତିଗତ ସମ୍ପର୍କ, ଭୋଟ ଅଧିକାରକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଏସ୍ଆଇଆର୍ ପ୍ରକ୍ରିୟା ଚାଲିଥିବା ସେ ଅଭିଯୋଗ କରିଛନ୍ତି। ଦେଶରେ ସ୍ବାଧୀନ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଦଳର ଲଢ଼େଇ ଜାରି ରହିବ। ରାଲିରେ ଯୋଗଦେବା ପୂର୍ବରୁ କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଖବରଦାତାମାନଙ୍କୁ ଉଦ୍ବୋଧନ ଦେଇ ଦୀପ୍କେ କହିଥିଲେ, ବର୍ତ୍ତମାନର ସିଇସିଙ୍କ ଅଧୀନରେ ନିର୍ବାଚନକୁ ବିଶ୍ୱାସ କରାଯାଇପାରିବ ନାହିଁ।
ରାଲିରେ ୫୦୦ କର୍ମୀ ଯୋଗ ଦେଇଥିଲେ। ଅଭିନେତା ପ୍ରକାଶ ରାଜ ରାଲିର ନେତୃତ୍ୱ ନେଇଥିବାବେଳେ ଡେମୋକ୍ରାଟିକ୍ ୟୁଥ୍ ଫେଡେରେଶନ ଅଫ୍ ଇଣ୍ଡିଆ (ଡିଓ୍ବାଇଏଫ୍ଆଇ)ର ରାଜ୍ୟ ସଭାପତି ଚିନ୍ତା ଜେରାମ୍ ବିକ୍ଷୋଭ ପଦଯାତ୍ରାରେ ସାମିଲ ହୋଇଥିଲେ।

