ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪ ତାରିଖରେ ଅଟୋ ଓଲଟି ଘଟିଥିବା ଦୁର୍ଘଟଣାରେ ଗୁରୁତର ହୋଇଥିବା କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ରିସାଭୂମି ଗ୍ରାମର ମୁରଲୀ ନାୟକ (୫୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲାରେରେ ଦାଦନ ଶ୍ରମିକଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ କାମ କରୁଥିବା ସ୍ଥାନୀୟ ସାକ୍ ସାମାଜିକ ସଂଗଠନ ପରିବାର ଲୋକଙ୍କୁ ଭେଟି ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ବେଳେ କେବଳ ଅଗଷ୍ଟ ମାସରେ କନ୍ଧମାଳ ଜିଲାର ୧୧ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସଂଗଠନ ପକ୍ଷରୁ କୁହାଯାଇଛି। ମୃତକ ନିଜ ପରିବାରର ଭରଣପୋଷଣ ଓ ପିଲାମାନଙ୍କ ପାଠପଢ଼ା ପାଇଁ ମୁରଲୀ ଅନ୍ୟ ଶ୍ରମିକଙ୍କ ସହ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ ମୂଲିଆ ଓ ମିସ୍ତ୍ରୀ ଭାବେ ଘର ନିର୍ମାଣ କାମ କରୁଥିଲେ। ଦୁର୍ଘଟଣା ପରେ ଗୁରୁତର ମୁରଲୀଙ୍କୁ ସ୍ଥାନୀୟ ପୋଲିସ ଓ ଲୋକଙ୍କ ସହଯୋଗରେ ମେଡିକାଲକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି। ପରିବାର ଲୋକେ ଧାର କରଜ କରି ମୃତ ଦେହ ଗ୍ରାମକୁ ଆଣି ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି। ମୁରଲୀ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଆର୍ଥିକ ଅନଟନ ଯୋଗୁ ପରିବାର ପାଇଁ ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହୋଇଥିଲେ। ଏବେ ତାଙ୍କ ମୃତ୍ୟୁ ପରେ ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି। ସବୁଠାରୁ ଚିନ୍ତାଜନକ ବିଷୟ ମାତ୍ର ଏକ ମାସରେ ମଧ୍ୟରେ ରାଇକିଆ ବ୍ଲକରେ ଏଭଳି ଏକାଧିକ ଘଟଣା ଘଟିଛ। କିଛିଦିନ ତଳେ କରଡ଼ା ପଞ୍ଚାୟତର ତେନ୍ତୁଳିଆ ଗ୍ରାମର ଜଣେ ଶ୍ରମିକଙ୍କର ତାମିଲନାଡୁରେ ମୃତ୍ୟୁ ଘଟିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜିଲାର ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନେଇ ପ୍ରଶ୍ନ ଉଠିଛି।

