ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ

ଡ.ମୌସୁମୀ ପରିଡ଼ା

ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ ବା ହେବା ଉଚିତ ନୁହେଁ। କାରଣ ଆମେ ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଓ ଶାରୀରିକ ଭାବେ ଲଢୁଛେ ପ୍ରତିଦିନ। ଫଳରେ ଶାରୀରିକ ଓ ମାନସିକ ରୋଗରୁ ସୁସ୍ଥ ହେବା ଲାଗି ବିଭିନ୍ନ ଆଧୁନିକ ଏବଂ ପ୍ରାଚୀନ ଚିକିତ୍ସାପଦ୍ଧତି ପ୍ରଚଳିତ ହୋଇଆସୁଛି। ଲକ୍ଷ୍ୟ ହେଉଛି ଆରୋଗ୍ୟ ଲାଭ କରିବା। କିନ୍ତୁ ବର୍ତ୍ତମାନ ଏସବୁକୁ ନେଇ ହେଉଥିବା ତର୍କବିତର୍କ ଲୋକମାନଙ୍କୁ ଚିନ୍ତାରେ ପକାଇଦେଇଛି। ଅଥର୍ବ ଓ ଋଗ୍‌ ବେଦର ଅଂଶ ହେଉଛି ଦୀର୍ଘ ପାଞ୍ଚହଜାର ବର୍ଷ ପୂର୍ବର ଆୟୁର୍ବେଦିକ ଶାସ୍ତ୍ର, ଭାରତୀୟ ଚିକିତ୍ସାପଦ୍ଧତିର ମୂଳପିଣ୍ଡ। ଆମ ସମସ୍ତଙ୍କର ତା’ ଉପରେ ଅଧିକାର ଅଛି। ତା’ ମାନେ ନୁହେଁ ଆମେ ଅନ୍ୟ ଚିକିତ୍ସାପଦ୍ଧତି ଓ ଡାକ୍ତରମାନଙ୍କୁ ବାରମ୍ବାର ଅପମାନିତ କରିବା।
ଆମ ଧର୍ମରେ ଅଛି ଯଦି ପ୍ରତିଦ୍ୱନ୍ଦ୍ୱୀକୁ ଟପି ଆଗକୁ ଯିବାକୁ ପଡ଼େ ତେବେ ନିଜର ଗତି ଓ ସେଥିନିମନ୍ତେ ଆବଶ୍ୟକ ଶକ୍ତି ବା ସାମର୍ଥ୍ୟ ବଢ଼ାଯିବା ଉଚିତ, ଅନ୍ୟକୁ ହତୋତ୍ସାହିତ କରି ବା ଆଘାତ କରି ନୁହେଁ। ଏ ସମୟ ହେଉଛି କରୋନା ମହାମାରୀକୁ ପରାଜିତ କରିବାର। ଜୀବନ ମରଣ ଭିତରେ ସଂଘର୍ଷ କରୁଥିବା ଡାକ୍ତର ସମାଜ ଅପମାନର ନୁହେଁ, ସାବାସୀର ହକ୍‌ଦାର। କେହି ଜାଣନ୍ତି ସେମାନଙ୍କ ପରିବାର ବିଷୟରେ ଯେଉଁମାନେ ଡାକ୍ତରମାନଙ୍କ ମୃତ୍ୟୁକୁ ନେଇ ବ୍ୟଙ୍ଗ କରୁଛନ୍ତି! ଏଲୋପାଥି ଚିକିତ୍ସାପଦ୍ଧତିକୁ ନିର୍ବୋଧ ଓ ଦେବାଳିଆ ପଦ୍ଧତି ବୋଲି କହିବା ମଧ୍ୟ ନିର୍ବୋଧତା। ଆପତକାଳୀନ ଚିକିତ୍ସା ପାଇଁ ଯୋଗଗୁରୁମାନେ ତ ନିର୍ଭର କରୁଛନ୍ତି ଏଲୋପାଥି ଉପରେ, ଏହାର ଯଥେଷ୍ଟ ପ୍ରମାଣ ରହିଛି। ପାଟିତୁଣ୍ଡ ନକରି ଗଠନମୂଳକ ଆଲୋଚନା କରାଯାଉ। ଆୟୁର୍ବେଦ ଚିକିତ୍ସାରେ ଏଲୋପାଥି ପରି ଅଧିକ ସଂଖ୍ୟକ ଗବେଷକ ଓ ଭିତ୍ତିଭୂମି ସୃଷ୍ଟି କରାଯାଉ।
ଏଲୋପାଥି ମାଧ୍ୟମରେ ବାଇଶରୁ ଅଠେଇଶ କୋଟି ଲୋକ କରୋନା ପରି ମାରାମତ୍କ ରୋଗରୁ ସୁସ୍ଥ ହୋଇ ସ୍ବାଭାବିକ ଜୀବନଯାପନ କଲେଣି ସାରାବିଶ୍ୱରେ। ଏବେ ବି ହଜାର ହଜାର ଡାକ୍ତର ନିଜ ଜୀବନକୁ ବାଜି ଲଗେଇ ଚିକିତ୍ସା ଓ ତଜ୍ଜନିତ ଗବେଷଣା ଜାରି ରଖିଛନ୍ତି। ଏସବୁକୁ ଅଣଦେଖା କରି ଯୋଗଗୁରୁ ରାମଦେବ ଏଲୋପାଥି ଓ ଡାକ୍ତରମାନଙ୍କୁ ସର୍ବସମ୍ମୁଖରେ ଅପମାନିତ କରିବା କେତେଦୂର ଗ୍ରହଣୀୟ! ଆଶ୍ଚର୍ଯ୍ୟ ଲାଗେ ସାମୂହିକ ଭାବେ ଏ ବିପତ୍ତିକୁ ଟାଳିବା ପରିବର୍ତ୍ତେ ଏଭଳି ବାକ୍‌ଯୁଦ୍ଧ କାହିଁକି? ଏ ଅସୁସ୍ଥ ପରମ୍ପରା କୋଟି କୋଟି ଲୋକଙ୍କ ଭରସାକୁ ଭାଙ୍ଗୁନାହିଁ ତ! ଅଳ୍ପକିଛି ବର୍ଷ ତଳର ଘଟଣା। ହଠାତ୍‌ ଏହି ଯୋଗଗୁରୁ ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାର ଯୋଗ ଶିକ୍ଷା ଦେଲେ। ଲୋକମାନଙ୍କ ଭିତରେ ଉତ୍ସାହ ଭରିଗଲା। ବିଭିନ୍ନ ଜାଗାରେ ଶିବିର ସ୍ଥାପନ କରି ଯୋଗ ଶିଖେଇବାକୁ ଲାଗିଲେ। ଲୋକେ ଯୋଗ ମାଧ୍ୟମରେ ଆରୋଗ୍ୟ ହୋଇଛନ୍ତି ବୋଲି କହି ତାହାକୁ ଆହୁରି ବିଜ୍ଞାପିତ କରିବା ଆରମ୍ଭ କଲେ। କମ୍ପାନୀ ଗଠନ କରି ଆୟୁର୍ବେଦର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ଔଷଧ ବିକ୍ରି କରିବା ଆରମ୍ଭ କଲେ। ଲୋକମାନେ ଉତ୍ସାହିତ ହୋଇ କିଣିଲେ। ଯୋଗଗୁରୁ ଏତିକିରେ ରହି ନ ଯାଇ ଡାଲି, ଚାଉଳ, ତେଲଠୁ ଆରମ୍ଭକରି କସ୍ମେଟିକ୍ସ ଜିନିଷ ମଧ୍ୟ ପ୍ରସ୍ତୁତ କଲେ। ହଜାର ହଜାର କୋଟିର ମାଲିକ ହୋଇଗଲେ। କିନ୍ତୁ ଆୟୁର୍ବେଦ ଉପରେ ତାଙ୍କର ଏକଚାଟିଆ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ଯେକୌଣସି ସ୍ତରକୁ ସେ ଚାଲିଯାଉଛନ୍ତି, ତାହା ଅନୁଚିତ।
ଏସବୁ ବାଦ୍‌ ଯୋଗଗୁରୁ କ୍ଷମା ପ୍ରର୍ଥନା କରିଥିଲେ ସୁଦ୍ଧା ତାଙ୍କ ମନ୍ତବ୍ୟ ଶ୍ରୁତିକଟୁ ଓ ମାନସିକ ଉତ୍ତେଜନା ସୃଷ୍ଟିକରି ଆସୁଛି। ଆୟୁର୍ବେଦକୁ ବିଶ୍ୱସ୍ତରକୁ ନେବାକୁ ହେଲେ ଅଧିକ ଗବେଷଣା ଜରୁରୀ, ତା’ ସହ ଚିକିତ୍ସାପଦ୍ଧତିର ନୀତିନିୟମ କଟକଣା ଓ ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ହେବା ଉଚିତ୍‌। ଗବେଷଣା ଅନୁଯାୟୀ ଉଭୟ ଏଲୋପାଥି ଓ ଆୟୁର୍ବେଦରେ ପାର୍ଶ୍ୱପ୍ରତିକ୍ରିୟା ରହିଛି। କିଛି ଦେଶରେ ଆୟୁର୍ବେଦ ବ୍ୟାନ୍‌ ମଧ୍ୟ ହୋଇଛି। ଏହାକୁ ଦେଶ ବିଦେଶରେ ପରିଚିତ କରିବାକୁ କାଦୁଅ ଫିଙ୍ଗାଫିଙ୍ଗି ହେଲେ କିଛି ଲାଭ ନାହିଁ।
ଗୋଟେ କଥା- ଧରାଯାଉ ଆଜି ମୋ ଚୁଲି ପାଇଁ ଜାଳ ନାହିଁ କି ଦିଆସିଲି ନାହିଁ। ପରଘରେ ଗ୍ୟାସ୍‌ ଚୁଲା ଅଛି, ସେ ମତେ ଡାକି ଆସିଛି ତା’ ଗ୍ୟାସ୍‌ ଚୁଲାରେ ରାନ୍ଧିବାକୁ। ମୁଁ କ’ଣ ମନାକରିବା ଉଚିତ ହବ? ମୁଁ ନିଶ୍ଚୟ ପରଘରକୁ ଯିବି ମୋ ପିଲାମାନଙ୍କ ମୁହଁରେ ଆହାର ଦେବା ପାଇଁ। ଏଥିରେ ଅସୁବିଧା କୋଉଠି? ଏ ବିଶ୍ୱକୁ ସିନା ଖଣ୍ଡ ଖଣ୍ଡ କରିଦିଆଯାଇଛି ଭିନ୍ନ ଭିନ୍ନ ନାଁ ଓ ଜାତିରେ, ମଣିଷର ଭୋକ, ଶୋଷ, ରୋଗ, ଦୁଃଖ, ଶୋକ ସବୁ ତ ଗୋଟେ ପ୍ରକାରର! ମନକୁ ଉଦାର କଲେ ସିନା ଜଣାପଡ଼ିବ- ବସୁଧୈବ କୁଟୁମ୍ବକମ୍‌ର ଅର୍ଥ କ’ଣ! ନହେଲେ ନିଜ ସ୍ବାର୍ଥ ହାସଲ କରିବାକୁ ଆମମାନଙ୍କ ମନରେ ନିଆଁ ଗେଞ୍ଜି ଏସବୁ ବ୍ୟବସାୟୀମାନେ ନିଜ ଟ୍ରେଜେରିକୁ ଗରମ ରଖିଥିବେ। ଆମେ ତର୍କ କରି ଲଢ଼ାଲଢ଼ି ହୋଇ ଝୁଲୁଥିବା ଜୀବନ ଓ ମରଣ ମଝିରେ।
କେତେବେଳେ ଜାତିଧର୍ମ ପୁଣି କେତେବେଳେ ଜାତୀୟତା ନାଁରେ ଆମେ ତ ସବୁବେଳେ ଲଢୁଛେ। ଜ୍ଞାନର ପରିସର ବ୍ୟାପକ ହେଉ। କାରଣ ସଂକୀର୍ଣ୍ଣତା ବିଭିନ୍ନ ପ୍ରକାର ବାଦ ବିବାଦ ସୃଷ୍ଟିକରେ। ନିଜ ବ୍ୟବସାୟ ପାଇଁ ଏସବୁ ଶସ୍ତା ମନ୍ତବ୍ୟ କେବେକେବେ ସଫଳତା ଦିଏ ସିନା ହେଲେ ବ୍ୟକ୍ତି ପ୍ରତି ସମ୍ମାନ କମିଯାଏ। ନିଜ ବ୍ୟବସାୟ ବଢ଼ାଇବାକୁ ଲୋକମାନଙ୍କୁ ବିଭ୍ରାନ୍ତ କରା ନ ଯାଉ।
ଜୀବନ ଓ ମରଣ ଭିତରେ ଜୀବନ ଜିତୁଥାଉ ବାରମ୍ବାର। ବାକି ଯାହା ତର୍କ ବିତର୍କ ଗବେଷଣା ମାଧ୍ୟମରେ ସାରା ବିଶ୍ୱକୁ ଅବଗତ କରାଯାଉ। ଆମେ ସମସ୍ତେ ଗର୍ବ କରିବୁ- ଏ ହେଉଛି ଆମ ଦେଶର। ଏମିତିରେ ସବୁ ଜାଗା ଏବେ ରଣକ୍ଷେତ୍ର ପାଲଟିଯାଇଛି। ଚିକିତ୍ସା କ୍ଷେତ୍ରଟି ବାଦ୍‌ ରହୁ ଏସବୁରୁ। ନ ହେଲେ ଲୋକଟିଏ ଚିକିତ୍ସା କରିବାକୁ ଦ୍ୱନ୍ଦ୍ୱରେ ପଡ଼ିବ। ଜୀବନ ରକ୍ଷା କ୍ଷେତ୍ରଟି ବ୍ୟବସାୟିକ ଲାଭ ପାଇଁ ରଣକ୍ଷେତ୍ର ନ ପାଲଟୁ। ଅଯଥା ତର୍କରୁ ଊର୍ଦ୍ଧ୍ୱରେ ରହି କେବେକେବେ ମଣିଷପଣିଆ ଆମ ସ୍ଲୋଗାନ୍‌ ହେଉ।
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?