ନା ମଣିଷ

ଶୁଭନାରାୟଣ ଶତପଥୀ

 

ନାର ଅର୍ଥ ନାହିଁ। କଥା ଆରମ୍ଭ ନାରୁ। ସମାଜରେ କିଛି ବ୍ୟକ୍ତି ଥାଆନ୍ତି ସେମାନେ ଅନ୍ୟମାନଙ୍କ କଥାକୁ ଖଣ୍ଡନ କରିବାକୁ ଭାରି ଭଲପାଆନ୍ତି। ଉଦ୍ଦେଶ୍ୟ ଯାହା ଥାଉ, ନା ଯେମିତି ତାଙ୍କର ପାଟିରେ ବସାବାନ୍ଧି ରହିଥାଏ। ସମସ୍ତଙ୍କୁ ନା କହିବାଟା ଅଭ୍ୟାସରେ ପରିଣତ ହୋଇଥିବାର ମନେହୁଏ। ସେମାନେ ଏପରି ଭାବରେ ଉତ୍ତର ରଖନ୍ତି ଯେମିତି ସେ ଉତ୍ତର ନା ହିଁ ହେବ। ଏହା ସେମାନଙ୍କର କଥା କହିବାର ତରିକା ବୋଲି କୁହନ୍ତି କିଛି ଲୋକ। ଏପରି ତରିକାକୁ ଆପଣେଇ କିଛି ଲୋକ ଅନ୍ୟମାନଙ୍କ ଦୃଷ୍ଟି ନିଜ ଆଡକୁ ଆକର୍ଷିତ କରିବାକୁ ଚାହାନ୍ତି। ଆଉ କେହି କେହି ଅନେକ ସମ୍ପର୍କ କିମ୍ବା ବ୍ୟକ୍ତିଙ୍କ ପ୍ରଭାବ ବା ଚାପକୁ କମ୍‌ କାରିବାକୁ ନାକୁ ଏକ ମାଧ୍ୟମ ରୂପେ ଗ୍ରହଣ କରିଥାନ୍ତି। ନା କହିବା ଏକ କଳା। କେହି କେହି ଏହି କଳାକୁ ଆପଣେଇ ଜୀବନ ନୌକାରେ ପାରି ହୁଅନ୍ତି। ନିଜର ଗୁରୁତ୍ୱ ବଢ଼ାନ୍ତି। ନା ସବୁବେଳେ ଯେ ନକାରାତ୍ମକ ତାହା ଭାବିବା ଭୁଲ୍‌। ନକାରାତ୍ମକ ଭାବନା ଯେ କେବଳ ମନଭିତରେ ନା ଶବ୍ଦର ଉଦ୍ରେକ କରାଏ ତାହା ସବୁବେଳେ ସତ୍ୟ ନୁହେଁ। କାରଣ ନା ଅନେକ ନକାରାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହିତ କରେ ନାହିଁ। ତେବେ ସର୍ବଦା ନାକୁ ପ୍ରାଧାନ୍ୟ ଦେଇ ନିଜ ସ୍ଥିତି ସମାଜରେ ଜାହିର କରୁଥିବା ମଣିଷକୁ ଏଠାରେ ନା ମଣିଷ ବୋଲି ଆଖ୍ୟାୟିତ କରାଯାଇଛି। ନା ମଣିଷ ଏକ ନକାରାତ୍ମକ ଚରିତ୍ର।
ନରିବାବୁଙ୍କର କାମ କରିବାର ଏକ ନିଜସ୍ବ ଷ୍ଟାଇଲ ଅଛି। ତାଙ୍କ ପାଖରେ କାହାରି କାମ ପଡ଼ିଲେ ବା ତାଙ୍କ ସହିତ କୌଣସି ଆଲୋଚନା କରିବାକୁ ଗଲେ ପ୍ରଥମରୁ ନା ହିଁ ଶୁଣିବାକୁ ମିଳେ। ନରିବାବୁଙ୍କୁ ପଚାରିବାରୁ ସେ କହିଲେ, ମୋ ପାଖକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନା କହିବାର କାରଣ ହେଉଛି ସେହି ବ୍ୟକ୍ତିଟି ଗ୍ରହଣ କରିନେଉ ଯେ ନା ଏହା ହେବ ନାହିଁ ବା ମୋ କଥାଟି ଠିକ୍‌ ନୁହେଁ। ପରବର୍ତ୍ତୀ ସମୟରେ ହେବ କି ନ ହେବ ତାହା ମୁଁ (ନରିବାବୁ) ବିଚାର କରିବି। ଇଏ ବି ଏକ ପ୍ରକାର ନା ମଣିଷ। ଯିଏ ତାଙ୍କ ପାଖକୁ ଆସୁଥିବା ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ମାନସିକତା, ଆବେଗ, ସକାରାତ୍ମକ ମନୋଭାବକୁ ନ ବୁଝି ଆରମ୍ଭରୁ ନା କରିବା କେତେ ଯୁକ୍ତିଯୁକ୍ତ। ଏ ନାର ପ୍ରଭାବ ବେଳେବେଳେ ଭୟଙ୍କର ହୋଇପାରେ।
ଏଇ ନିକଟରେ ମୁଁ ଦିଲ୍ଲୀରୁ ଫେରୁଥାଏ। ଆମ ପାଖରେ ବସିଥିବା ଜଣେ ମହାଶୟ ବେଶ୍‌ ଗପୁଥାନ୍ତି। ଲମ୍ବା ଯାତ୍ରାରେ ଗୁଲିଖଟି ହେବା ସ୍ବାଭାବିକ କଥା। ମୁଁ ମୋର ମତାମତ ଦେବା ବେଳେ ସେ ମହାଶୟ ଜଣକ କହିପକାଇଲେ ନା ଆପଣ ଭୁଲ୍‌ କହୁଛନ୍ତି। ହଠାତ ଏପରି ସିଧା ବାକ୍ୟଟି ଶୁଣି ମୁଁ ଗ୍ରହଣ କରିପାରୁ ନ ଥିଲି। କାରଣ ସେହି କଥାଟିକୁ ପରୋକ୍ଷରେ ମଧ୍ୟ କୁହାଯାଇପାରିଥାନ୍ତା। ଯାହା ମନରେ ରେଖାପାତ କରିନଥାନ୍ତା। ଯଦିଓ ଏପରି ନା କଥା କିଛି ମାତ୍ରାରେ ମୋତେ ପ୍ରଭାବିତ କରିଥିଲା ତଥାପି ମୁଁ ନୀରବରେ ସେମାନଙ୍କୁ ଲକ୍ଷ୍ୟ କରିବାକୁ ବାଧ୍ୟ ହେଲି। କିଛି ସମୟର ଅନୁଧ୍ୟାନ ପରେ ମୁଁ ଜଣିପାରିଲି ଯେ ସେହି ମହାଶୟ ଜଣକ ପ୍ରତ୍ୟେକ ଆଲୋଚନାରେ ତାଙ୍କ ସହେଯାଗୀଙ୍କୁ ନା ଆପଣ ଭୁଲ୍‌ କହୁଛନ୍ତି ବୋଲି କହିଦେଇ ବସିଯାଉଥାନ୍ତି। ଭୁଲ୍‌ କେଉଁଠି ରହିଲା, ତାହା କିପରି ଭୁଲ୍‌ ହେଲା ଯେ ସେ ଉତ୍ତରରେ ନା କହିଲେ ତାହାର ବିଶ୍ଳେଷଣ, ତଥ୍ୟ, ପ୍ରମାଣ ତାଙ୍କ ପାଖରେ ନ ଥାଏ। ବୋଧହୁଏ ଏହା କେବଳ ନିଜର ପତିଆରା ଜାହିର କାରିବାର ଏକ କଳା କିମ୍ବା ଭିନ୍ନ ଏକ ମାନସିକତା। ଇଏ ବି ଜଣେ ନା ମଣିଷ।
ଘରେ ପରିବାରରେ ଅନେକ ମାତାପିତା ଅଛନ୍ତି ଯେଉଁମାନେ ପିଲାମାନଙ୍କର ଦାବି, ଆବଶ୍ୟକତାକୁ ନ ବୁଝି ହଠାତ ନା ବୋଲି କୁହନ୍ତି। ବିଚରା ପିଲାଙ୍କ ଅଳି ଅଝଟ କରିବା ପରେ ନା ଟା ନା ରୁହେ କିମ୍ବା ହଁ ହୁଏ ତାହା ସମ୍ପୃକ୍ତ ପରିସ୍ଥିତି ହିଁ କୁହେ। ତେବେ ଏକଥା ନିଶ୍ଚିତ ଯେ ଆରମ୍ଭରୁ ଶିଶୁଟିକୁ ସିଧାସଳଖ ନା କହିବାର ପରମ୍ପରା ବା ପ୍ରତିକ୍ରିୟା ଯେ ଶିଶୁର ମନକୁ ଛୁଉଁନାହିଁ ଏହା ଉପଲବ୍ଧି କରିବାର ଆବଶ୍ୟକତା ରହିଛି। ଶିଶୁଟି ପ୍ରତିକ୍ରିୟାଶୀଳ ହୋଇ ନକାରାତ୍ମକ କାର୍ଯ୍ୟ କରିପାରେ କିମ୍ବା ସ୍ଥଳ ବିଶେଷରେ ଶିଶୁଟି ବଡ଼ ହୋଇ ନା ମଣିଷରେ ରୂପାନ୍ତରିତ ହେବା କିଛି ବଡ଼ କଥା ନୁହେଁ। କାରଣ ଶିଶୁ ଅନୁକରଣପ୍ରୀୟ। ଏହି ଅନୁକରଣ ଗୁଣ ଯୋଗୁ ସେମାନେ ନା କୁ ଧାରଣ କରନ୍ତି ବା ଅଭ୍ୟସ୍ତ ହୋଇ ମଜା ନେବାକୁ ବାରମ୍ବାର ନା ଶୁଣିବାକୁ ଇଚ୍ଛା କରନ୍ତି। ନା ଶୁଣିବା ପାଇଁ ସେମାନେ ନା ମଣିଷଙ୍କୁ ଏପରି କଥା କୁହନ୍ତି ଯେପରି ସେମାନେ ନା କହିବେ ଓ ଏହାକୁ ଶୁଣି ପିଲାଏ ଖୁସି ହେବେ ବା ମଜା ନେବେ। ଅନେକ ସ୍ଥାନରେ ନା କୁହାଇବା ପାଇଁ କୌଶଳର ସହିତ କଥାକୁ ଏପରି ଉପସ୍ଥାପନ କରନ୍ତି ଯେ ବ୍ୟକ୍ତି ନା ବୋଲି ବାରମ୍ବାର କହି ନା ମଣିଷରେ ପରିବର୍ତ୍ତନ ହୋଇଯାଇଥାଏ, ସେ ନିଜେ ଜାଣି ନ ଥାଏ।
ଆଜିକାଲି ସମୟ, ପରିସ୍ଥିତି, ପରିବେଶ ଖୁବ୍‌ ଦ୍ରୁତ ଗତିରେ ପ୍ରଗତି ଆଡକୁ ମାଡ଼ିଚାଲିଛି। ପ୍ରଗତି କେବଳ ହଁ ରେ ହେବ ତାହା ନୁହେଁ ବରଂ ନା କହିବା ପୂର୍ବରୁ ସାମ୍ନାରେ ଥିବା ଶିଶୁଠାରୁ ବୟସ୍କ ପର୍ଯ୍ୟନ୍ତ ବ୍ୟକ୍ତିମାନଙ୍କ ଆଗ୍ରହ, ମାନସିକତାକୁ ସମ୍ମାନ ଦେବା ଜରୁରୀ। ତାଙ୍କ ମାନସିକତାକୁ ପଢ଼ି ବା ଓ ଧୈର୍ଯ୍ୟର ସହିତ ଶୁଣିବା ଉଚିତ। ପରୋକ୍ଷରେ ହଁ ବା ନା କହିବା ଦ୍ୱାରା ତାଙ୍କ ଜୀବନରେ ଥିବା ବିପଦକୁ ଆପଣ ଦୂର କରିବାରେ ସହଯୋଗ କରିପାରନ୍ତି। ନକାରାତ୍ମକରୁ ସକାରାତ୍ମକ ଜୀବନର ରାହା ଦେଖାଇପାରନ୍ତି। ଆଉ ସବୁବେଳେ, ସବୁ ପରିସ୍ଥିତିରେ ନା କହିବା ଏକ ହୀନ ମାନସିକତା, ବିକୃତ ଚିନ୍ତାଧାରା। ଭୁଲ୍‌ କଥା କହୁଥିବା, ଭୁଲ୍‌ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ସିଧାସଳଖ ନା କହିବା ଦ୍ୱାରା ଅଧିକ ଭୁଲ୍‌କୁ ପ୍ରୋତ୍ସାହିତ କରିବାର ସମ୍ଭାବନା ମଧ୍ୟ ଥାଏ। ତେଣୁ ନା କହିବା ପୂର୍ବରୁ ଏହାର ଆବଶ୍ୟକତା, ଗ୍ରହଣୀୟତା, ମାନସିକତା ସବୁକୁ ବୁଝିବା ଜରୁରୀ। ସମାଜରେ ଘଟୁଥିବା ବା ଘଟିବାର ସମ୍ଭାବନା ଥିବା ଦୁର୍ଘଟଣା, କୁକାର୍ଯ୍ୟ ବ୍ୟବହାରକୁ ନା କହିବା ଠିକ୍‌, କିନ୍ତୁ ସେ କ୍ଷେତ୍ରରେ କାର୍ଯ୍ୟ କରିବାବେଳେ ପୀଡ଼ିତଙ୍କୁ ହଠାତ ନା କହିବା ପୂର୍ବରୁ ଚିନ୍ତା କରିବାକୁ ପଡ଼େ ହଠାତ କୁହାଯିବ ନା କିଛି ସମୟ ଦିଆଯିବ। ଠିକ୍‌ ସେହିପରି ନାର ନକାରାତ୍ମକ ଦିଗ ଓ ପ୍ରଭାବକୁ ଦୃଷ୍ଟିରେ ରଖି ତାହାର ଯଥାର୍ଥତା ପ୍ରତିପାଦନ ସହ ଉପସ୍ଥାପନା କଲେ ନିଶ୍ଚୟ ଗ୍ରହଣୀୟ ଓ ଫଳପ୍ରଦ ହେବ। ନାର କଟୁତା କଟିବ ଓ ପଟୁତା ବଢ଼ିବ। ଏପରି କ୍ଷେତ୍ରରେ ନା କହୁଥିବା ଲୋକଙ୍କର ନା ଟି ଗ୍ରହଣୀୟ ହେବ। ତାଙ୍କୁ କେହି ନା ମଣିଷ କହିବେ ନାହିଁ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri