ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଝିଅ ଅନୀତା ବୋଷ ପାଫ୍। ଏହି ମାମଲାରେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଅଧୀନରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ବୈଦେଶିକ ମନ୍ତ୍ରଣାଳୟ (MEA) ଏବଂ ଗୃହ ମନ୍ତ୍ରଣାଳୟ (MHA) କୁ ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଏ.ଏମ୍. ସିଂଘଭୀ କହିଥିଲେ ଯେ ଏହା ଏକ ଏପରି ମାମଲା, ଯେଉଁଥିରେ ନେତାଜୀଙ୍କ ଝିଅ ନିଜେ କୋର୍ଟକୁ ଆସିଛନ୍ତି।
ନେତାଜୀଙ୍କ ଝିଅ ଅନୀତା ବୋଷ ପାଫ୍ ଦୀର୍ଘ ଦିନରୁ ତାଙ୍କ ପିତାଙ୍କ ଅସ୍ଥିକୁ ଭାରତ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତାଙ୍କର ଦାବି ରହିଛି ଯେ ନେତାଜୀଙ୍କୁ ଭାରତର ମାଟିରେ ଅନ୍ତିମ ସମ୍ମାନ ମିଳିବା ଉଚିତ। ପୂର୍ବରୁ ଗତ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ନେତାଜୀଙ୍କ ନାତିଙ୍କ ପୁଅ ଆଶିଷ ରାୟଙ୍କ ପିଏଲ୍ (PIL) କୁ ଶୁଣାଣି କରିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଯେ ନେତାଜୀଙ୍କ ଆଇନଗତ ଉତ୍ତରାଧିକାରୀ ଭାବେ ତାଙ୍କ ଝିଅ ନିଜେ ଆବେଦନ କରିବା ଉଚିତ। ବର୍ତ୍ତମାନ ଅନୀତା ନିଜେ ଆବେଦନ କରିବା ପରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି।
ବିଶ୍ୱାସ କରାଯାଏ ଯେ ୧୮ ଅଗଷ୍ଟ ୧୯୪୫ମସିହାରେ ବର୍ତ୍ତମାନର ତାଇୱାନରେ ଏକ ଜାପାନୀ ସାମରିକ ବିମାନ ଦୁର୍ଘଟଣାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରୁ ତାଙ୍କର ଅସ୍ଥି ଟୋକିଓର ରେଙ୍କୋଜି ବୌଦ୍ଧ ମନ୍ଦିରରେ ଏକ ସୁରକ୍ଷିତ କଳସରେ ରଖାଯାଇଛି। ତଦନ୍ତ ରିପୋର୍ଟ ଅନୁଯାୟୀ, ବିମାନ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ପରେ ଏକ ଜାପାନୀ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

