ନୂଆଦିଲ୍ଲୀ,୨୭।୧୧: ଗୋଟିଏ ଟେଷ୍ଟ ସିରିଜର ଦୁଇଟି ଅଲଗା ମ୍ୟାଚରେ କେତେ ସମାନତା ରହିପାରେ? ଉଭୟ ମ୍ୟାଚର ପ୍ଲେଇଂ ଇଲେଭେନ ସମାନ ହୋଇପାରେ, ଟସ୍ରଫଳାଫଳ ଏକାଭଳି ହୋଇପାରେ। ଏପରିକି କିଛି ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ସମାନ ରହିପାରେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ପ୍ରଥମ ଦିନର ଖେଳ ମଧ୍ୟ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନର କାହାଣୀ ସହ ପ୍ରାୟ ସମାନ ଥିଲା। ଟିମ ଇଣ୍ଡିଆ ପୁଣି ଥରେ ପ୍ରଥମ ଦିନରେ କଡ଼ା ବୋଲିଂ କରିଥିଲା। କିନ୍ତୁ ଗୋଟିଏ ସେସନକୁ ଛାଡ଼ିଦେଲେ ଭାରତୀୟ ବୋଲରଙ୍କୁ ବିଶେଷ ସଫଳତା ମିଳିନଥିଲା।
ଶୁକ୍ରବାର, ନଭେମ୍ବର ୨୭ରୁ ହେଗ୍ଲି ଓଭାଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚରେ ଟସ ଓ ବ୍ୟାଟିଂ-ବୋଲିଂ ନିଷ୍ପତ୍ତି ମାମଲାରେ ୱେଲିଂଟନ ଟେଷ୍ଟର ପୁନରାବୃତ୍ତି ହୋଇଥିଲା। ଭାରତୀୟ ଅଧିନାୟକ ଶୁଭମନ ଗିଲ ପୁଣି ଥରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ପୁଣି ଥରେ ଭାରତୀୟ ପ୍ଲେଇଂ ଇଲେଭେନରେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିନଥିଲା। ତେବେ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିଲା। ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ଗୁରନୂର ବରାଡ଼ଙ୍କୁ ସୁଯୋଗ ମିଳିଥିଲା। ଏହି ମ୍ୟାଚ ଜରିଆରେ ସେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳରେ କୌଣସି ପରିବର୍ତ୍ତନ କରିନଥିଲା।
ଏଥର ମଧ୍ୟ ପ୍ରଥମ ଓଭରରେ ହିଁ ଜସପ୍ରୀତ ବୁମ୍ରା ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମଙ୍କୁ ଆଉଟ କରିଦେଇଥିଲେ। କିନ୍ତୁ କ୍ରାଇଷ୍ଟଚର୍ଚ୍ଚର ସ୍ଥାନୀୟ ଖେଳାଳି ଲାଥମଙ୍କୁ ଡିଆର୍ଏସ (DRS) ଜୀବନଦାନ ଦେଇଥିଲା। ଏହାପରେ କେଏଲ ରାହୁଲ ମଧ୍ୟ ତାଙ୍କର ଏକ କ୍ୟାଚ ଛାଡ଼ିଥିଲେ। ଫଳରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଇନିଂସରେ ଏକ ଭଲ ଭାଗୀଦାରି ଗଢ଼ିବାର ସୁଯୋଗ ମିଳିଥିଲା।
ଲାଥମ ଓ ଡେଭନ କନୱେ (୩୧) ମିଶି ୭୭ ରନର ଭାଗୀଦାରି କରିଥିଲେ। ପ୍ରଥମ ସେସନର ଶେଷ ଓଭରର ଶେଷ ବଲରେ ଡେଭନ କନୱେଙ୍କୁ ଆଉଟ କରି ଡେବ୍ୟୁଟାଣ୍ଟ ଗୁରନୂର ବରାଡ଼ ଏହି ଭାଗୀଦାରି ଭାଙ୍ଗିଥିଲେ।
ଦ୍ୱିତୀୟ ସେସନର ଆରମ୍ଭ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଠିକଠାକ୍ ରହିଥିଲା। ଲାଥମ (୫୯) ଅର୍ଦ୍ଧଶତକ ହାସଲ କରି ଦଳର ସ୍କୋରକୁ ୧୧୦ ରନରେ ପହଞ୍ଚାଇଥିଲେ। କିନ୍ତୁ ଏହାପରେ ଲଗାତାର ୩ ଓଭରରେ କୌଣସି ରନ ନଦେଇ ଆକାଶ ଦୀପ ଓ ଅଂଶୁଲ କମ୍ବୋଜ ୩ଟି ଉଇକେଟ୍ ନେଇଥିଲେ।
ଆକାଶ ଦୀପ ଭିନ୍ନ ଭିନ୍ନ ଓଭରରେ ସମାନ ଧରଣର ବଲ ପକାଇ ଲାଥମ ଓ ରଚିନ ରବୀନ୍ଦ୍ର (୦)ଙ୍କୁ ଆଉଟ କରିଥିଲେ। ସେହିପରି ଅଂଶୁଲ କମ୍ବୋଜ ହେନରୀ ନିକୋଲ୍ସ (୧୬)ଙ୍କ ଇନିଂସରେ ବ୍ରେକ ଲଗାଇଥିଲେ। କିନ୍ତୁ ୱେଲିଂଟନ ଟେଷ୍ଟର ଶେଷ ଦିନର ହିରୋ ଡାରିଲ ମିଚେଲ କ୍ରିଜରେ ଜମି ରହିଥିଲେ। ସେ ଉଊଇକେଟ୍ ବ୍ୟାଟର୍ ଟମ ବ୍ଲଣ୍ଡେଲଙ୍କ ସହ ମିଶି ୭୪ ରନ୍ର ଭାଗୀଦାରି କରିଥିଲେ।

