ବଦଳିଲା ମ୍ୟାନ୍‌ମାର

ମ୍ୟାନ୍‌ମାର (ଯାହାକୁ ପୂର୍ବରୁ ବର୍ମା କୁହାଯାଉଥିଲା) ୧ ଫେବୃୟାରୀ ୨୦୨୧ରେ ପୁଣି ସେନା ଅକ୍ତିଆରକୁ ଚାଲିଯାଇଛି। ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି ନଭେମ୍ବର ୨୦୨୦ରେ ଅନୁଷ୍ଠିତ ନିର୍ବାଚନରେ ୮୩ ପ୍ରତିଶତ ଭୋଟ ପାଇ ବିଜୟଲାଭ କରିଥିଲା। କିନ୍ତୁ ସେନା ସମର୍ଥିତ ୟୁନିୟନ ସଲିଡାରିଟି ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ପାର୍ଟି (ୟୁଏସ୍‌ଡିପି) ଅଭିଯୋଗ କରିଥିଲା ଯେ ନିର୍ବାଚନରେ ଜାଲିଆତି ହୋଇଛି। ଏହାକୁ ସୁଯୋଗ ଭାବେ ନେଇ ସେନାମୁଖ୍ୟ ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌ ସାମରିକ ଶାସନ ଜାରି କରିଦେଇଛନ୍ତି। ୫ ଦଶନ୍ଧିର ସାମରିକ ଶାସନ ପରେ ଦକ୍ଷିଣପୂର୍ବ ଏସିଆର ଏହି ଦେଶକୁ ଗଣତନ୍ତ୍ର ସମ୍ପୂର୍ଣ୍ଣ ଫେରି ଆସୁଥିବା ବେଳେ ପୁନଶ୍ଚ ସେନା ହାତକୁ କ୍ଷମତା ଯିବା ପଡ଼ୋଶୀଙ୍କୁ ବ୍ୟସ୍ତ କରିବା କଥା। ସ୍ୟୁ ଚୀଙ୍କ ଦଳ ବିରୋଧରେ ନିର୍ବାଚନ ହେରଫେର ହୋଇଥିବାର ପ୍ରମାଣ ମିଳି ନ ଥିଲେ ମଧ୍ୟ ସାମରିକ ଶାସନ ଫେରାଇ ଆଣିବାକୁ ଅହରହ ଚେଷ୍ଟା କରୁଥିବା ସେନାକୁ ଗଣତନ୍ତ୍ର ବିରୋଧୀ ନେତାମାନେ ସାହାଯ୍ୟ କରିଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ, ୨୦୨୦ ନଭେମ୍ବରରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପରାଜୟ ଘଟଣା। ସେଠାରେ ଶାସନରେ ଥିବା ଟ୍ରମ୍ପ୍‌ ଅଭିଯୋଗ କରିଥିଲେ ଯେ, ନିର୍ବାଚନ ବେଳେ ବ୍ୟାପକ ଅନିୟମିତତା ହୋଇଥିଲା। କିନ୍ତୁ କୌଣସି ପ୍ରମାଣ ଦେଇପାରି ନ ଥିଲେ। ଏହାକୁ ଡେମୋକ୍ରାଟିକ୍‌ ଦଳର ନେତାମାନେ ନିନ୍ଦା କରିବା ସହ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଇଥିଲା। ଶେଷରେ ଦାୟିତ୍ୱ ହସ୍ତାନ୍ତର ପାଖେଇ ଆସୁଥିବା ବେଳେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟୋଲ୍‌ ହିଲ୍‌ ଉପରେ ଆକ୍ରମଣ କରିବା ଦର୍ଶାଇଥିଲା ଯେ, ରାଷ୍ଟ୍ରପତି ଟ୍ରମ୍ପ୍‌ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଛନ୍ତି। ହୁଏତ ମ୍ୟାନ୍‌ମାର ମିଲିଟାରୀ ନେତାମାନେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବହିରୁ ଗୋଟିଏ ପୃଷ୍ଠା ପଢ଼ିଛନ୍ତି। ସେଥିପାଇଁ ସେମାନେ ନିର୍ବାଚନୀ ହେରଫେର୍‌ ଆଳରେ ଗଣତାନ୍ତ୍ରିକ ସରକାରକୁ ଗଡ଼ାଇ ଦେଇଛନ୍ତି। ଆମେରିକା ଏବଂ ମ୍ୟାନ୍‌ମାର ଉଭୟଙ୍କ ଉଦାହରଣ ଏବେ ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକ ପାଇଁ ଅସୁବିଧାଜନକ ସ୍ଥିତି ସୃଷ୍ଟି କରିପାରେ। ଯେକୌଣସି ନିର୍ବାଚନକୁ ଗୋଳମାଳିଆ ରୂପ ଦେଇ ଫଳାଫଳକୁ ପ୍ରତ୍ୟାଖ୍ୟାନ କରିହେବ। ମ୍ୟାନ୍‌ମାରରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ ଦୀର୍ଘ ଦଶନ୍ଧି ଧରି ଅଭିଯାନ ଚଳାଇ ଆସିଥିଲେ। ୨୦୧୫ରେ ସେଠାକାର ଜନସାଧାରଣ ଗଣତନ୍ତ୍ରର ସୁଫଳକୁ ଉପଭୋଗ ମଧ୍ୟ କରିଥିଲେ। ଆଶା କରାଯାଉଥିଲା ନଭେମ୍ବରରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଶେଷ ହୋଇଥିବାରୁ ଜନସାଧାରଣ ଅଧିକ ସ୍ବାଧୀନତା ପାଇବେ। ହେଲେ ୧ ଫେବୃୟାରୀରେ ନୂଆ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ସୈନ୍ୟବାହିନୀ ସାମରିକ ବିଦ୍ରୋହ ବଳରେ କ୍ଷମତା ଦଖଲ କରି ପ୍ରାୟ ୧ ବର୍ଷ ପାଇଁ ମ୍ୟାନ୍‌ମାରକୁ ସାମରିକ ଶାସନ ଭିତରେ ରଖିବ ବୋଲି ଜଣାପଡ଼ିଛି। ମିଲିଟାରୀ ଶାସକମାନେ କହିଛନ୍ତି ଯେ, ପୂର୍ବଗଠିତ ନିର୍ବାଚନ କମିଶନଙ୍କୁ ଭାଙ୍ଗି ଏକ ନୂତନ ଆୟୋଗ ସୃଷ୍ଟି କରାଯିବ ଏବଂ ଏକ ବର୍ଷ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହା କେତେଦୂର ସତ୍ୟ ତାହା କେବଳ ସମୟ କହିବ। କାରଣ ମଣିଷ ରକ୍ତ ଚାଖିଥିବା ବାଘ ଯେଭଳି ଅନ୍ୟ କିଛି ପଶୁ ଖୋଜେନାହିଁ, ସେହିଭଳି କ୍ଷମତା ଚାଖିଥିବା ମିଲିଟାରୀ ଜୁଣ୍ଟା କେବେହେଲେ, ସହଜରେ, କ୍ଷମତା ଛାଡ଼େନାହିଁ। ଏତଦ୍‌ବ୍ୟତୀତ ଏହା ମଧ୍ୟ ଉଲ୍ଲେଖନୀୟ ଯେ ପୂର୍ବରୁ ଦୀର୍ଘବର୍ଷ ଧରି କ୍ଷମତାରେ ରହିଥିବା ମ୍ୟାନ୍‌ମାର ସାମରିକ ବାହିନୀ ଅନ୍ତର୍ଜାତୀୟ ସ୍ତରରେ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ବୋଲି ଦର୍ଶାଇ ସାରିଛି। ଚାଇନା ସହିତ ଅତ୍ୟନ୍ତ ଘନିଷ୍ଠ ବ୍ୟବସାୟିକ ସମ୍ପର୍କ ଥିବାବେଳେ ମ୍ୟାନ୍‌ମାର୍‌ର ଅନ୍ୟ ସବୁ ଏସୀୟ ଦେଶଗୁଡ଼ିକ ସହିତ ବାଣିଜ୍ୟ କାରବାର ଅବ୍ୟାହତ ରହିଆସିଛି। ମିଲିଟାରୀ ଶାସନ ଥିବା ସତ୍ତ୍ୱେ ପଡ଼ୋଶୀ ଦେଶଗୁଡ଼ିକ ମ୍ୟାନ୍‌ମାରକୁ ପୂର୍ବରୁ ଏକଘରିଆ କରି ନ ଥିଲେ। ସେଥିପାଇଁ ଭବିଷ୍ୟତକୁ ସାମ୍ନା କରିବା ପାଇଁ ଏହି ମିଲିଟାରୀ କର୍ତ୍ତୃପକ୍ଷ ନିଶ୍ଚିତ ପ୍ରସ୍ତୁତ ଥିବେ। ଫେବୃୟାରୀ ୧ରେ ସାମରିକ କ୍ଷମତା ହାସଲକୁ କେବଳ ଆମେରିକା ଓ ଅଷ୍ଟ୍ରେଲିଆ ବିରୋଧ କରିଛନ୍ତି। ତେବେ ଆମେରିକା ପୂର୍ବରୁ ମ୍ୟାନ୍‌ମାର ସହିତ ସବୁ ସମ୍ପର୍କ କାଟିସାରିଛି। ସେହି ଦେଶର ସଂଖ୍ୟାଲଘୁ ରୋହିଙ୍ଗ୍ୟାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକା ନ ଯିବା ପର୍ଯ୍ୟନ୍ତ ଆମେରିକାର ଏହି ବାସନ୍ଦ କାର୍ଯ୍ୟକାରୀ ଥିବାରୁ, ସେଥିପ୍ରତି ମ୍ୟାନ୍‌ମାର ଶାସକଙ୍କ କୌଣସି ଭୟ ନ ଥିବ।
ମ୍ୟାନ୍‌ମାରରେ ସାମରିକ ଶାସନ ପ୍ରତିଷ୍ଠା କରାଯିବା ଗଣତନ୍ତ୍ର ପ୍ରତି ଏକ ଆକ୍ରମଣ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଭାରତ ସରକାର ଆଶା କରିଛନ୍ତି ଯେ, ସେଠାରେ ଖୁବ୍‌ ଶୀଘ୍ର ଗଣତନ୍ତ୍ର ପ୍ରତିଷ୍ଠା ହେଉ। ଏଭଳି ପରିପ୍ରେକ୍ଷୀରେ ମ୍ୟାନ୍‌ମାର ଉପରେ ବାସନ୍ଦ ଲଗାଯାଇ ଅନ୍ତର୍ଜାତୀୟ ଚାପ ପ୍ରୟୋଗ କଲେ ହୁଏତ କାମ ଦେଇ ନ ପାରେ। ନିକଟରେ ଭାରତ ଦେଇଥିବା ୧୫ ଲକ୍ଷ କୋଭିଡ ଟିକାକୁ ମ୍ୟାନ୍‌ମାର ତା’ର ନାଗରିକଙ୍କୁ ଦେବାକୁ ଆରମ୍ଭ କରିଥିବା ବେଳେ ଚାଇନା ପକ୍ଷରୁ ଯଚା ଯାଇଥିବା ୩ ଲକ୍ଷ ଡୋଜ୍‌କୁ ଗ୍ରହଣ କରି ନାହିଁ। ତେଣୁ ଭାରତ ଏପରି ସ୍ଥଳେ ଠିକ୍‌ ଭାବେ ବୈଦେଶିକ ନୀତି ପ୍ରୟୋଗ କରିବା ଦରକାର। ମ୍ୟାନ୍‌ମାରବାସୀ ଚାହିଁଲେ ସେଠାରେ ଗଣତନ୍ତ୍ର ଫେରିପାରିବ। କାରଣ ସେମାନେ ସ୍ୟୁ ଚୀଙ୍କୁ ଦେଇଥିବା ୮୩ ପ୍ରତିଶତ ଭୋଟ ଗଣତନ୍ତ୍ର ଫେରାଇ ଆଣିବା ଲାଗି ଯଥେଷ୍ଟ ହେବ, ଯଦି ସେମାନେ ପୁଣି ଏକଜୁଟ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?