ମାନିବାକୁ ପଡ଼ିବ

ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ହରିୟାଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅହଂକାରୀ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ନିକଟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ କୃଷକଙ୍କ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏଥିସହିତ ସେ କହିଥିଲେ ଏହି ଆନ୍ଦୋଳନ ଯୋଗୁ ଦେଶର ୫୦୦ କୃଷକଙ୍କ ଜୀବନ ଚାଲିଗଲା। ମଲିକ୍‌ଙ୍କ କହିବା ଅନୁଯାୟୀ ତାଙ୍କୁ ଉତ୍ତରରେ ପ୍ରଧାନମନ୍ତ୍ରୀ ପଚାରିଥିଲେ, ମୋ ପାଇଁ କ’ଣ କୃଷକଙ୍କ ଜୀବନ ଗଲା କି ? ମଲିକ୍‌ କହିଥିଲେ, ଯେହେତୁ ଆପଣ ରାଜା ସେହି ଦୃଷ୍ଟିରୁ କୁହାଗଲା। ତେବେ ମାତ୍ର ପାଞ୍ଚ ମିନିଟ୍‌ର କଥୋପକଥନ ପରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ବ୍ୟବହାରରେ ମଲିକ୍‌ ଅତିଷ୍ଠ ହୋଇଥିବା କହିଥିଲେ। ଏହା ପରେ ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ମଲିକ୍‌ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି କଥାବାର୍ତ୍ତା କଲା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବୁଦ୍ଧି ହରାଇ ବସିଲେଣି ଓ ଯାହା କହିବାର ଅଛି ଆମକୁ କୁହ ବୋଲି ଶାହା କହିଥିଲେ। ଏସବୁ ବିଷୟ ମଲିକ୍‌ ସାଧାରଣରେ ପ୍ରକାଶ କରିବା ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ସେହିସବୁ କଥାକୁ ସୋସିଆ ମିଡିଆରେ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ପାଗଳ ହୋଇଗଲେଣି ବୋଲି ଶାହା ଦେଇଥିବା ମନ୍ତବ୍ୟକୁ ମଲିକ୍‌ କହୁଥିବାର ଭିଡିଓକୁ ଉପଲକ୍ଷ୍ୟ କରି ଖାର୍ଗେ ଯେଉଁ ସମାଲୋଚନା କରିଛନ୍ତି, ତାହା ଅନେକ ରାଜନୈତିକ ପ୍ରଶ୍ନ ସୃଷ୍ଟି କରୁଛି।
ଅମିତ ଶାହା ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସତ୍ୟ ହୋଇଥିବ ବୋଲି ବିଶ୍ୱାସ ହେଉନାହିଁ। ମଲିକ୍‌ଙ୍କ ମୋଦି ବିରୋଧୀ ଚିନ୍ତାଧାରା, ହୁଏତ, ଭାଜପାର ପୁରୁଖା ନେତାଙ୍କ ମଧ୍ୟରେ ବ୍ୟାପି ସାରିଛି। କିନ୍ତୁ ଅସ୍ବାଭାବିକ କଥା କହି ନିଜର ଗୁରୁତ୍ୱ ବଢ଼ାଇବାର ଉଦ୍ୟମ ମଲିକ୍‌ଙ୍କଠାରେ ସ୍ପଷ୍ଟ ଦେଖାଯାଉଛି। ସାଧାରଣ ଅଶିକ୍ଷିତ ନାଗରିକ ମଧ୍ୟ କହିପାରିବ ଯେ ଆଜିର ସମଗ୍ର ଭାଜପା ସରକାର ଏବଂ ଦଳ କେବଳ ମାତ୍ର ନରେନ୍ଦ୍ର ମୋଦିଙ୍କ କାନ୍ଧରେ ଚଢ଼ିକରି ବସିଛି। କେନ୍ଦ୍ର ସରକାରଙ୍କ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପାର୍ଲାମେଣ୍ଟକୁ ରାଜ୍ୟ ସଭା ମାଧ୍ୟମରେ ପ୍ରବେଶ କରିସାରିଛନ୍ତି। ମୋଦିଙ୍କ ବିନା ସେମାନଙ୍କର କୌଣସି ଅସ୍ତିତ୍ୱ ନାହିଁ। ସେଥିପାଇଁ କୌଣସି କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ ମୋଦିଙ୍କ ବିରୋଧରେ ଜଣେ ଜଣାଶୁଣା ବିରୋଧୀଙ୍କୁ ମନ୍ତବ୍ୟ ଦେବେ ବୋଲି ବିଶ୍ୱାସ କରିହେଉ ନାହିଁ। ଆଜି ଯଦି ଭାଜପାକୁ ଭୋଟ୍‌ ମିଳୁଛି ତାହାର ଶ୍ରେୟ ନରେନ୍ଦ୍ର ମୋଦିଙ୍କୁ ଯିବ। ତାଙ୍କ ବିନା ହୁଏତ ଅଧାରୁ ଅଧିକ ଭାଜପା ନେତା ନିର୍ବାଚନ ଜିଣିପାରିବେ ନାହିଁ ବୋଲି ଇତିହାସ ବାରମ୍ବାର ଭାରତୀୟ ଭୋଟରଙ୍କୁ ଦେଖାଇଆସିଛି। ତଥାପି ମଲିକ୍‌ଙ୍କ କଥାକୁ ଏଡ଼ାଇଦେବା ଉଚିତ ନୁହେଁ। ଭାଜପାର ଆଶୀର୍ବାଦ ଯୋଗୁ ରାଜ୍ୟପାଳ ପଦବୀ ପାଇଥିବା ମଲିକ୍‌ ନିଜର ମନୋବଳ ପ୍ରଦର୍ଶନ କରିବା ସହିତ ତାଙ୍କର ମେରୁଦଣ୍ଡ ଅଛି ବୋଲି ପ୍ରମାଣ କରିଦେଇଛନ୍ତି। ସାଧାରଣ ନାଗରିକ ଏହା ମଧ୍ୟ ବୁଝୁଛନ୍ତି ଯେ ମଲିକ୍‌ଙ୍କର ପୂର୍ବରୁ କୌଣସି ଅନୈତିକ କାର୍ଯ୍ୟ ଥିଲେ ତାହାକୁ ଏବେସୁଦ୍ଧା ଦାଣ୍ଡରେ ପକାଇ ଘୋଷାଡ଼ି ନେଇସାରନ୍ତେଣି। ‘ନୂଆ ଭାରତ’ରେ କୌଣସି ବିରୋଧୀଙ୍କୁ ବରଦାସ୍ତ କରାଯାଉନାହିଁ କିମ୍ବା ଗଣତାନ୍ତ୍ରିକ ପଦ୍ଧତିରେ ସମ୍ମାନ ଦେବାର ଇଚ୍ଛା ମଧ୍ୟ କରାଯାଉ ନାହିଁ। ଏଭଳି ପ୍ରଚ୍ଛଦପଟରେ ସତ୍ୟପାଲ ମଲିକ୍‌ଙ୍କର ନୈତିକ ଶକ୍ତିକୁ ପ୍ରଶଂସା କରିବାକୁ ପଡ଼ିବ। ଏଥିସହିତ ସାଧାରଣ ଭାରତୀୟ ଚରିତ୍ରକୁ ମଧ୍ୟ ଅଧ୍ୟୟନ କରିବାର ସମୟ ଆସିଲାଣି। କ୍ଷମତାରେ ଥିବାବେଳେ ମାଇଲା ମୂଷା ଭଳି ସମସ୍ତେ ଗୋଡ଼ଚଟା ହୋଇଥିବାର ଲକ୍ଷ୍ୟ କରାଯାଏ। ଅବସର ନେବାପରେ ପୁନର୍ବାର କୌଣସି ଏକ ପଦବୀରେ ଅବସ୍ଥାପିତ ହେବା ପାଇଁ ବିକଳ ହୋଇଥାନ୍ତି। ତାହା ଯଦି ନ ମିଳେ, ତେବେ ହଠାତ୍‌ ବୀର ପାଲଟି ସେହି ଗୋଡ଼ଚଟାମାନେ ନେତୃତ୍ୱକୁ ବିରୋଧ କରନ୍ତି। ସ୍ଥଳବିଶେଷରେ ମଧ୍ୟ କେତେକେ ବହି କିମ୍ବା ସ୍ତମ୍ଭ ଲେଖି ହଠାତ୍‌ ସଚ୍ଚୋଟ ପାଲଟିବାର ଚିତ୍ର ଆଙ୍କନ୍ତି। ମାନିବାକୁ ପଡ଼ିବ। ସତ୍ୟପାଲ ମଲିକ୍‌ ଜଣେ ଗୋଡ଼ଚଟା ନୁହନ୍ତି। କ୍ଷମତାରେ ଥିବା ସମୟରେ କୃଷକଙ୍କୁ ସମର୍ଥନ କରି ତାଙ୍କର ଶକ୍ତିଶାଳୀ ଚରିତ୍ରକୁ ପ୍ରତିପାଦନ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri