ଟିକିରି,୯।୭(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ସମୟରେ ନାବାଳିକାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ ବଳାତ୍କାର ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ରାୟଗଡା ଜିଲା କାଶିପୁର ବ୍ଲକ ଅନ୍ତର୍ଗତ ଭାଲୁମାସ୍କା ଅଞ୍ଚଳରେ ଘଟିଛି ଏହି ଘଟଣା ।
ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ଯୁବକ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ପରେ ନାବାଳିକା ଜଣଙ୍କ ବିଷ ପିଇ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉକ୍ତ ଯୁବକ ଜଣକ ସିରିପାଇ ପଞ୍ଚାୟତର କଇଁତଲା ଗ୍ରାମର ସିଙ୍ଗି ମାଝୀଙ୍କର ପୁଅ ଗୁରୁ ମାଝୀ ବୋଲି ଜଣାପଡ଼ିଛି। ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ କାଶୀପୁର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିବା ସହିତ ପୋସ୍କୋ ଆକ୍ଟ ଅନୁସାରେ କୋର୍ଟ ଚାଲାଣ କରିଛି।
ସୂଚନା ମୁତାବକ ନାବାଳିକା ଜଣଙ୍କ ଛତୁ ତୋଳିବା ନିମନ୍ତେ ସାଙ୍ଗ ମାନଙ୍କ ସହିତ ମିଶି ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ପାଖ ଗାଁର ଏକ ଯୁବକ ତାଙ୍କୁ ସେଠାରୁ ଉଠାଇ ନେଇଥିଲେ, ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ତାଙ୍କୁ ଜୋର କରି ମନ୍ଦିରରେ ବାହାହେବା ନିମନ୍ତେ ନେଇଥିଲେ।ପରେ ନାବଳିକା ଏହାକୁ ବିରୋଧ କରି ଜଙ୍ଗଲୀ ବିଷଫଳ ଖାଇ ଗୁରୁତର ହୋଇଥିବା ପରିବାର ପକ୍ଷରୁ ଜଣାପଡ଼ିଛି ।

