ମାନସିକତାରେ ପରାଧୀନ

ଭାରତ ଆଜି ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି। ଏହି ସ୍ବତନ୍ତ୍ରତାକୁ ସ୍ମରଣୀୟ କରି ରଖିବା ଲାଗି ବର୍ଷେବ୍ୟାପୀ ଦେଶସାରା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାକୁ ସମ୍ମାନ ଦେଇ ତିନି ରଙ୍ଗର ଜାତୀୟ ପତାକାକୁ ଅନେକ ଲୋକ ତାଙ୍କ ଘରେ ଉଡ଼ାଇବାର ଦେଖାଯାଉଛି। ଏଭଳି ଦେଶପ୍ରେମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ତେବେ ଘର ଘର ବୁଲି କିଏ ପତାକା ଉଡ଼ାଇଲେ ଓ କିଏ ନ ଉଡ଼ାଇଲେ ବୋଲି ହିସାବ ରଖାଯିବାର ଯେଉଁ ଧମକ ଦିଆଯାଉଛି, ସେହି ଧମକ ସାମାଜିକ ପରିବର୍ତ୍ତନ ପାଇଁ ଦିଆଯାଇ ପାରିଲେ ଏହି ଭୂଖଣ୍ଡର ଉନ୍ନତି ଘଟିପାରନ୍ତା। ନିକଟରେ ରାଜସ୍ଥାନରେ ଘଟିଥିବା ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଉ। ଗତ ଜୁଲାଇ ୨୦ ତାରିଖରେ ରାଜସ୍ଥାନ ଜାଲୋର ଜିଲା ସୁରାନା ଗ୍ରାମରେ ଥିବା ସରସ୍ବତୀ ବିଦ୍ୟାମନ୍ଦିରରେ ପଢ଼ୁଥିବା ତୃତୀୟ ଶ୍ରେଣୀର ୯ ବର୍ଷର ଦଳିତ ଛାତ୍ର ଇନ୍ଦର ମେଘଓ୍ବାଲ ତାଙ୍କ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ମାଟିପାତ୍ରରୁ ପାଣି ପିଇ ଦେବାରୁ ତାଙ୍କୁ ପ୍ରବଳ ମାଡ଼ ଖାଇବାକୁ ପଡ଼ିଥିଲା। ‘ଉଚ୍ଚ ଜାତି’ର ଶିକ୍ଷକ ଚୈଲ ସିଂ ପିଲାଟିକୁ ଏଭଳି ବାଡ଼େଇଲେ ଯେ ସେ ଅସୁସ୍ଥ ହୋଇ ସ୍ଥାନୀୟ ହସ୍‌ପିଟାଲ ଓ ପରେ ଉଦୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର ହେଲେ। ସ୍ବାସ୍ଥ୍ୟାବସ୍ଥା ଅତି ଗମ୍ଭୀର ହେବାରୁ ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ଲାଗି ଅହମଦାବାଦ ନିଆଯାଇଥିଲା। ହେଲେ ୧୩ ଅଗଷ୍ଟରେ ତାଙ୍କର ମୃତ୍ୟୁ ଘଟିଲା। ଇତିମଧ୍ୟରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ ଦୋଷ ନ ଥାଇ ସରସ୍ବତୀ ବିଦ୍ୟାମନ୍ଦିରର ନିରୀହ ଛାତ୍ରର ପାଣି ପିଇବାର ପ୍ରଚେଷ୍ଟା ଯୋଗୁ ଯେଭଳି ଜୀବନ ଗଲା ତାହା ଭାରତର ପ୍ରତ୍ୟେକ ନାଗରିକଙ୍କ ବିବେକକୁ ଦଂଶନ କରିବା କଥା। କିନ୍ତୁ ଆମେ ଏଭଳି ଏକ ନୃଶଂସ ଜାତିରେ ପାଲଟି ଗଲୁଣି ଯେ, ଏପରି ଘଟଣାକୁ ଅତି ଶୀଘ୍ର ଭୁଲିଯିବାର ସବୁ ଚେଷ୍ଟା କରିବୁ। ଗୋଟିଏପଟେ ପତାକା ଉଡ଼ାଇ କ୍ଷମତା ରାଜନୀତି କରିବାର ଇଚ୍ଛା ପ୍ରବଳତର ହେଉଥିବା ବେଳେ ଅନ୍ୟପଟେ ଭାରତର ସମାଜ ଖଣ୍ଡବିଖଣ୍ଡିତ ହେବାରେ ଲାଗିଛି।
ସ୍ବାଧୀନତାର ଅର୍ଥ ଆଜି ପର୍ଯ୍ୟନ୍ତ ଭାରତୀୟମାନେ ବୁଝିବାକୁ ଅକ୍ଷମ। ଅନେକ ଶହ ବର୍ଷରୁ ଚାଲିଆସୁଥିବା ଜାତିଆଣ ବିବାଦ, ଅସ୍ପୃଶ୍ୟତା ଓ ଅସହିଷ୍ଣୁତା ଆଜି ମଧ୍ୟ ସଜାଗ ଓ ଶକ୍ତିଶାଳୀ ଅଛି। ସେହି ମନୋଭାବକୁ ଆଜିର ଶାସକମାନେ ପରୋକ୍ଷ ଭାବେ ଉତ୍ସାହିତ କରୁଥିବା ବିଷୟ ସ୍ପଷ୍ଟ ଜଣାପଡ଼େ। କ୍ଷମତା ରାଜନୀତି ପାଇଁ ହିନ୍ଦୁ-ମୁସଲମାନ ବିଭେଦ ଯେତିକି ସହାୟକ ହେଉଛି, ତାହାଠାରୁ ଅଧିକ ଉଚ୍ଚନୀଚ ଜାତିର ପ୍ରଭେଦ ବଢ଼ାଇଲେ ନିର୍ବାଚନରେ ସଫଳତା ମିଳୁଛି। ଗୋଟିଏ ଦେଶ କେବଳ ଏକ ରାଜନୈତିକ କିମ୍ବା ସେନା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମାନଚିତ୍ରରେ ସୀମିତ ରହିବା କଥା ନୁହେଁ। ରାଷ୍ଟ୍ରର ଚରିତ୍ର ଗଢ଼ାଯାଏ ସେଠାକାର ଲୋକଙ୍କୁ ନେଇକରି। ଯେତେବେଳେ ଗୋଟିଏ ଦେଶର ନାଗରିକ ସୁଖ, ସମୃଦ୍ଧି ଓ ଭୟବିହୀନ ପରିବେଶରେ ବଞ୍ଚିଥାଏ, ସେତେବେଳେ ବାସ୍ତବ ସ୍ବାଧୀନତା ମିଳିଛି ବୋଲି କୁହାଯାଇପାରେ। ପତାକା ଉଡ଼ାଇ ଦେଶ ପ୍ରତି ପ୍ରେମ ବାଧ୍ୟବାଧକତାମୂଳକ କରାଇବା କେବେହେଲେ ସମ୍ଭବପର ହୁଏ ନାହିଁ। ଦେଖିବାକୁ ଗଲେ ଅତ୍ୟଧିକ ମାତ୍ରାର ପାପ କରୁଥିବା ଲୋକ ଯେମିତି ମନ୍ଦିର ବ୍ୟତୀତ ସାଧୁସନ୍ଥଙ୍କ ପାଖକୁ ଧାଇଁ ଥାଆନ୍ତି, ସେହିଭଳି ଅତ୍ୟଧିକ ମାତ୍ରାର ଦୁର୍ନୀତି, ଅତ୍ୟାଚାର ଓ ଅନ୍ୟାୟ ଘଟାଉଥିବା ନାଗରିକ ବିରାଟକାୟ ପତାକା ଉଡ଼ାଇ ନିଜର ଜାତୀୟତାବାଦ ପ୍ରମାଣ କରିବାକୁ ଚେଷ୍ଟା କରିଥାନ୍ତି। ଯେତେବେଳେ କୁହାଯାଉଛି ଯେ ହିନ୍ଦୁ ଧର୍ମାବଲମ୍ବୀଙ୍କ ପ୍ରତି ବିପଦ ଉପୁଜୁଛି ସେତେବେଳେ ସେହି ନିଃଶ୍ୱାସରେ କୁହାଯିବା ଦରକାର ଯେ ହିନ୍ଦୁ ଚିନ୍ତାଧାରାକୁ ବିପଦ ହିନ୍ଦୁ ଧର୍ମାନ୍ଧଙ୍କଠାରୁ ସୃଷ୍ଟି ହେଉଛି। ଏହି ଧର୍ମରେ ଗଭୀର ଚେର ମାଡ଼ିଥିବା ଜାତିଆଣ ବିଭେଦକୁ ଶେଷ କରା ନ ଯିବା ପର୍ଯ୍ୟନ୍ତ ‘ହିନ୍ଦୁ ବିପଦରେ ରହିଛି’। ହିନ୍ଦୀରେ କହୁଛନ୍ତି ‘ହିନ୍ଦୁ ଖତ୍‌ରେ ମେଁ ହୈ’, କାରଣ ଆମ ଆଭ୍ୟନ୍ତରୀଣ ଅସୂୟାଭାବ ଆମକୁ ଶଢ଼ି ପଚେଇ ଦେଲାଣି। ଯେପର୍ଯ୍ୟନ୍ତ ସେହି ମାନସିକତାକୁ ତ୍ୟାଗ କରି ହିନ୍ଦୁମାନେ ଆଗକୁ ଯାଇପାରିବେ ନାହିଁ, ସେ ପର୍ଯ୍ୟନ୍ତ ଏହି ଦେଶର ପିଲାମାନେ ପାଣି ପିଇଲା ବେଳକୁ ମାଡ଼ ଖାଇ ମରିବେ। ଏଥିସହିତ ଦଳିତ ଯୁବତୀ ଓ ମହିଳାଙ୍କ ପ୍ରତି ଯେଉଁ ଯୋଜନାବଦ୍ଧ ଅତ୍ୟାଚାର ଓ ଅନ୍ୟାୟ ଘଟାଯାଉଛି କୌଣସି ସ୍ବାଧୀନ ଦେଶର ସଭ୍ୟ ସମାଜ ସହିବା କଥା ନୁହେଁ। ଯେପର୍ଯ୍ୟନ୍ତ ଏହି ଦେଶର ଗୋଟିଏ ବି ନାଗରିକ ଅବିଚାର ଏବଂ ଅସହିଷ୍ଣୁତା ଯୋଗୁ ଅନ୍ୟାୟର ଶିକାର ହେବ, ସେ ପର୍ଯ୍ୟନ୍ତ ଏହି ଦେଶ ଏକ ବିକୃତ ମାନସିକତାରେ ପରାଧୀନ ହୋଇ ରହିଛି ବୋଲି ବୁଝିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri