ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର ମାତ୍ରାଧିକ ବୃଦ୍ଧି ହେଲେ ବନ୍ୟା ବିପତ୍ତି ଆସେ ଏବଂ ଜଳ ଅଭାବ ଯଦି ସୃଷ୍ଟି ହୁଏ ତେବେ ଜୀବଜଗତ ବଞ୍ଚିବା ପାଇଁ କଷ୍ଟ କରିବାକୁ ହୋଇଥାଏ। ମୁଖ୍ୟତଃ ପୃଥିବୀରେ ସମୁଦ୍ର ଜଳର ମାତ୍ରା ୯୭.୫% ଏବଂ ମଧୁର ଜଳର ମାତ୍ରା ୨.୫% । ସେହି ମଧୁର ଜଳ ମଧ୍ୟରୁ ହିମାଳୟ ପର୍ବତ ଭଳି ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଏବଂ ବରଫ ଆଚ୍ଛାଦିତ ମେରୁ ଅଞ୍ଚଳମାନଙ୍କରେ ଜଳ ବରଫ ରୂପରେ ୬୯% ଥିବା ବେଳେ ଭୂତଳ ଜଳ ୩୦% ଏବଂ ନଦୀ, ହ୍ରଦ ଆଦି ମିଶି ୧% ରହିଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ମଣିଷର ବିକୃତ ମାନସିକତା ନିମିତ୍ତ ଉପରୋକ୍ତ ମଧୁର ଜଳ ବିଶେଷକରି ଭୂତଳ ବା ଭୂଗର୍ଭ ଜଳର ସମସ୍ୟା ଦିନକୁ ଦିନ ଭୟଙ୍କର ଭାବରେ ବୃଦ୍ଧି ଘଟୁଛି।
ଭୂଗର୍ଭର ଜଳ ହେଉଛି ପୃଥିବୀର ଏକ ଅମୂଲ୍ୟ ପ୍ରାକୃତିକ ସମ୍ପଦ। ଭୂତଳ ଜଳ ମୁଖ୍ୟତଃ ମାଟିତଳେ ସଞ୍ଚୟ ହୋଇ ରହିଥାଏ; ଯାହାକୁ ମଣିଷ କୃଷି, ପାନୀୟ ଜଳ, ଶିଳ୍ପ କାରଖାନା ଆଦିରେ ବହୁଳ ମାତ୍ରାରେ ବ୍ୟବହାର କରୁଛି। ଅତିରିକ୍ତ ଭୂତଳ ଜଳର ଉତ୍ତୋଳନ ହେବା ଦ୍ୱାରା ଏହାର ସଙ୍କଟ ଦିନକୁ ଦିନ ବୃଦ୍ଧି ପାଉଛି। ବିଶେଷ କରି ମଣିଷ ନିଜର ସ୍ବାର୍ଥ ପାଇଁ ପୃଥିବୀରେ ଥିବା ପ୍ରାୟ ସମସ୍ତ ପ୍ରାକୃତିକ ସମ୍ପଦଗୁଡ଼ିକୁ ନଷ୍ଟ କରିବାରେ ଉଦ୍ୟତ। ଦିନକୁ ଦିନ ଦ୍ରୁତ ଶିଳ୍ପାୟନ, ସହରୀକରଣ ଏବଂ ଗ୍ରାମାଞ୍ଚଳରେ କଂକ୍ରିଟର ମାତ୍ରା ବୃଦ୍ଧି ପାଇବା ଦ୍ୱାରା ମଣିଷ ନିଜର ସୁବିଧା ପାଇଁ ପ୍ରତି ଘରେ ଘରେ ନଳକୂପ, କୂପ ଏବଂ ବୋରିଂ ଆଦି କରି ଭୂତଳ ଜଳକୁ ବହୁଳ ପରିମାଣରେ ବ୍ୟବହାର କରୁଛି। ଭାରତରେ ଭୂତଳ ଜଳକୁ ବିଶେଷକରି ପାନୀୟ ଜଳ ଭାବରେ ବ୍ୟବହାର କରାଯାଏ। କୃଷି କାର୍ଯ୍ୟରେ ଅତ୍ୟଧିକ ଜଳର ଆବଶ୍ୟକତା ରହିଛି। ନଦୀ, ନାଳ, କେନାଲ ଆଦି ଜଳସେଚନର ଅସୁବିଧା ପାଇଁ ମଣିଷ ବର୍ତ୍ତମାନ ସମୟରେ କୃଷି କାର୍ଯ୍ୟରେ ଭୂତଳ ଜଳକୁ ଅତିରିକ୍ତ ଉତ୍ତୋଳନ କରୁଛି। ସେହିପରି ଶିଳ୍ପ କାରଖାନା ମାନଙ୍କରେ ମୁଖ୍ୟତଃ ବସ୍ତ୍ର ଶିଳ୍ପ, ଚିନି କାରଖାନା, କାଗଜ କାରଖାନା, ଲୁହା ଏବଂ ଷ୍ଟିଲ ଶିଳ୍ପ, ହୋଟେଲ ଶିଳ୍ପ, ସିମେଣ୍ଟ ଏବଂ ସାର କାରଖାନା ଆଦିରେ ଭୂତଳ ଜଳ ଅତ୍ୟଧିକ ବ୍ୟବହାର ହେଉଛି। ଜଙ୍ଗଲ କ୍ଷୟ ଏବଂ ଅନିୟନ୍ତ୍ରିତ ସହରୀକରଣ ନିମନ୍ତେ ଭୂତଳ ଜଳକୁ ଅତିରିକ୍ତ ଶୋଷଣ କରାଯାଉଛି। ଜଙ୍ଗଲ ନଷ୍ଟ ହେବା ଦ୍ୱାରା ବର୍ଷା ପାଣି ମାଟି ଭିତରକୁ ପ୍ରବେଶ କରିପାରୁନାହିଁ, ଯାହା କି ଭୂତଳ ଜଳର ପୁନଃ ଭର୍ତ୍ତି କ୍ରିୟାରେ ବାଧା ସୃଷ୍ଟି କରୁଛି। ସହର ଏବଂ ଗାଁମାନଙ୍କରେ କଂକ୍ରିଟ ହେବା ଦ୍ୱାରା ମାଟିର ମାତ୍ରା କମି ଯାଉଛି, ଯଦ୍ଦ୍ବାରା ବର୍ଷା ଜଳଗୁଡ଼ିକ ସିଧାସଳଖ ମାଟି ଭିତରକୁ ପ୍ରବେଶ କରିପାରୁନାହିଁ। ଏହିସବୁ ଅସୁବିଧା ପାଇଁ ଭୂତଳ ଜଳସ୍ତର ଅତ୍ୟଧିକ ତଳକୁ ଚାଲିଯାଉଛି।
ପରିବେଶ ପ୍ରଦୂଷଣ ଦିନକୁ ଦିନ ଜନ୍ମ ନେଉଛି ବିଶେଷ କରି ଅତିରିକ୍ତ ଶିଳ୍ପ କେନ୍ଦ୍ର ପାଇଁ। କାରଖାନାରୁ ନିର୍ଗତ ବିଷାକ୍ତ ପାଣି, ସାର, କୀଟନାଶକ ଆଦି ମାଟି ଭିତରକୁ ପ୍ରବେଶ କରିବା ସହିତ ଭୂତଳ ଜଳର ଗୁଣକୁ ନଷ୍ଟ କରୁଛି। ଭୂତଳ ଜଳ ପ୍ରଦୂଷିତ ହୋଇ ଅନେକ ପ୍ରକାରର ରୋଗ ସୃଷ୍ଟି କରାଏ। ଖବରକାଗଜରେ ବିଶେଷ କରି ମଣିଷର ବୃକ୍‌କ ରୋଗ ଖବର ଆମେ ଅତିରିକ୍ତ ମାତ୍ରାରେ ଦେଖିବାକୁ ପାଉଛୁ । କଟକ ଜିଲା ନରସିଂହପୁର, ବାଙ୍କୀ ଏବଂ ତିଗିରିଆ ଅଞ୍ଚଳରେ ଏହି ରୋଗ ବ୍ୟାପିଥିବାର ଦେଖିବାକୁ ମିଳୁଛି। ବୃକ୍‌କ ରୋଗ ସହିତ ଦାନ୍ତ ଏବଂ ହାଡ଼ ଦୁର୍ବଳ, ଚର୍ମ ଏବଂ କର୍କଟ ଆଦି ଅନେକ ପ୍ରକାରର ରୋଗ ଭୂତଳ ଜଳ ପ୍ରଦୂଷଣ ହୋଇ ମଣିଷ ଶରୀରରେ ସୃଷ୍ଟି ହୋଇଥାଏ। ଭାରତରେ ମୁଖ୍ୟତଃ ଭୂତଳ ଜଳର ସ୍ତର ୧ ମିଟର କମିଛି କିନ୍ତୁ ଉତ୍ତର ଭାରତରେ ବିଶେଷ କରି ପଞ୍ଜାବ, ହରିୟାଣା, ଦିଲ୍ଲୀ ଆଦି ଅଞ୍ଚଳରେ ଅତିରିକ୍ତ ଭୂତଳ ଜଳର ଉତ୍ତୋଳନ ହେବା ଫଳରେ ସେହି ସ୍ଥାନମାନଙ୍କରେ ୨ ମିଟର ପର୍ଯ୍ୟନ୍ତ ଭୂତଳ ଜଳ ସ୍ତର ହ୍ରାସ ଘଟୁଛି।
ତେଣୁ ବର୍ତ୍ତମାନ ମଣିଷ ଯଥା ସମ୍ଭବ ଉପରୋକ୍ତ ସମସ୍ୟାର ସମାଧାନ କରିବା ନିମିତ୍ତ ଉଦ୍ୟମ କରିବା ଆବଶ୍ୟକ। ବିଶେଷ କରି ଭୂତଳ ଜଳକୁ ସଂରକ୍ଷଣ କରିବା ନିହାତି ଦରକାର। ବର୍ଷା ଜଳ ସଂଗ୍ରହ କଲେ ପରିବେଶ ପ୍ରତି ମଙ୍ଗଳପ୍ରଦ। ବିଶେଷ ପରିମାଣରେ ବୃକ୍ଷ ରୋପଣ କରିବା ସହିତ ଜଙ୍ଗଲ କ୍ଷୟକୁ ରୋକିବା ଉଚିତ। ଭୂତଳ ଜଳ ଯେପରି ପ୍ରଦୂଷିତ ନ ହେବ ସେଥିପ୍ରତି ଯଥେଷ୍ଟ ଧ୍ୟାନଦେବା ଆବଶ୍ୟକ। ଭୂଗର୍ଭ ଜଳ ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି। ଯେପରି କି ଅଟଳ ଭୂଜଳ ଯୋଜନା, ଜଳ ଜୀବନ ମିଶନ, ଜଳ ଶକ୍ତି ଅଭିଯାନ। ସରକାରୀ ଗୃହ, ବିଦ୍ୟାଳୟ, ଅଫିସ ଆଦିରେ ବର୍ଷା ଜଳକୁ ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଜଳାଶୟ, ପୋଖରୀ, ନଦୀ ଆଦିକୁ ପୁନରୁଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। କୃଷି କାର୍ଯ୍ୟରେ ପାଣି ଅପଚୟ ରୋକିବା ପାଇଁ ଡ୍ରିପ ଇରିଗେସନର ବ୍ୟବସ୍ଥା କରାଯାଉଛି। ଭୂତଳ ଜଳ ଅପବ୍ୟବହାରକୁ ରୋକିବା ପାଇଁ ସରକାରୀ ସ୍ତରରେ କଠୋର ନିୟମ ପ୍ରଣୟନ କରିବା ଭଲ। ସର୍ବଶେଷରେ ଜଳ ସଂରକ୍ଷଣ ରୋକିବା ପାଇଁ ଜନଜାଗରଣ ନିହାତି ଆବଶ୍ୟକ। ମଣିଷର ମାନସିକତାରେ ନିହାତି ପରିବର୍ତ୍ତନ ଦରକାର; ଯାହା ଫଳରେ ଭୂତଳ ଜଳ ସହିତ ମଧୁର ଜଳ ସମସ୍ୟାରେ ସମାଧାନ ହୋଇପାରିବ।

ଅରିଜିତ ମିଶ୍ର
ଅଧ୍ୟାପକ (ଭୂଗୋଳ ବିଭାଗ)
ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ
କଟକ, ମୋ: ୯୦୪୦୩୫୦୦୮୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri