ଟୋକିଓ,୧ା୮(ଏପି):ଟୋକିଓ ଅଲିମ୍ପିକ୍ସ ସନ୍ତରଣ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ଏମା ମ୍ୟାକେନ ରବିବାର ଆଉ ଦୁଇଟି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫଳରେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ୭ଟି ପଦକ ଜିତିବା ସହ ସୋଭିଏଟ୍ ଜିମ୍ନାଷ୍ଟ ମାରିଆଙ୍କ ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ମ୍ୟାକେନ ୧୦୦ମିଟର ଜିତିସାରିବା ପରେ ୨୩.୮୧ ସେକେଣ୍ଡ ଟାଇମିଂରେ ୫୦ ମିଟର ଫ୍ରିଷ୍ଟାଇଲ ଜିତି ଏକ ଅଲିମ୍ପିକ ରେକର୍ଡ ପ୍ରତିଷ୍ଠା କରିଥିଲେ। ଫଳରେ ସେ ଡବଲ ସ୍ପ୍ରିଣ୍ଟ ସଫଳତା ହାସଲ କରିଥିଲେ। ଏହାର ୩୦ ମିନିଟ ପରେ ମ୍ୟାକେନ ସୁଇମିଂ ପୁଲ୍କୁ ଓହ୍ଲାଇଥିଲେ। ସେ ପୁଣି ବିଜୟ ଲାଭ କରିଥିଲେ। ଏଥର ସେ ଅଷ୍ଟ୍ରେଲିଆ ୪x୧୦୦ ମିଡ୍ଲେ ରିଲେ ଦଳର ସଦସ୍ୟ ଥିଲେ। ତାଙ୍କ ଟିମ୍ ଅଲିମ୍ପିକ ରେକର୍ଡ ସମୟରେ ରେସ୍ ଜିତିଥିଲା। ମ୍ୟାକେନ ଟୋକିଓରୁ ୪ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ ସହ ସ୍ବଦେଶ ଫେରିବେ। ଏହାଦ୍ୱାରା ସେ ୧୯୫୨ରେ ହେଲସେଙ୍କିରେ ସୋଭିଏଟ୍ ଜିମ୍ନାଷ୍ଟ ମାରିଆ ଗୋରୋଖୋଭସ୍କାୟାଙ୍କ ଦ୍ୱାରା ପ୍ରତିଷ୍ଠା ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ବ୍ରିସ୍ବେନ ବାସିନ୍ଦା ୨୭ ବର୍ଷୀୟା ମାକେନ ଏକ ସନ୍ତରଣ ପରିବାରରୁ ଆସିଛନ୍ତି। ସେ ଓ ତାଙ୍କ ଭାଇ ଡେଭିଡ୍ ୧୯୬୦ ପରେ ପ୍ରଥମ ଭାଇ-ଭଉଣୀ ଭାବେ ୫ବର୍ଷ ପୂର୍ବେ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ସେଠାରେ ମ୍ୟାକେନ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ଜିତିଥିଲେ। ତାଙ୍କ ପିତା ରୋନ୍ ହେଉଛନ୍ତି ଜଣେ ସନ୍ତରଣକାରୀ, ଯିଏକି ସିଡ୍ନୀଠାରେ ଏକ ରନ୍-ଟୁ-ସୁଇମ୍ ସେଣ୍ଟର ପରିଚାଳନା କରୁଛନ୍ତି। ମ୍ୟାକନ କହିଛନ୍ତି, ତାଙ୍କର ପଦକ ସଂଖ୍ୟା ପ୍ରତି ଧ୍ୟାନ ନ ଥିଲା। ତାଙ୍କ କଠିନ ପରିଶ୍ରମ ଫଳ ଯୋଗୁ ସେ ଏହି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ମ୍ୟାକନ କହିଛନ୍ତି ତାଙ୍କର ପିଲାଦିନରୁ ଅଲିମ୍ପିକ୍ସ ଉପରେ ନଜର ରହିଥିଲା। ମ୍ୟାକନଙ୍କର ଜଣେ ଟିମ୍ମେଟ୍ କାଇଲ ଚାଲମର୍ସ କହିଛନ୍ତି ଅଲିମ୍ପିକ୍ସରେ ଗୋଟିଏ ସ୍ବର୍ଣ୍ଣ ଜିତିବା କେତେ କଷ୍ଟରକର ବ୍ୟାପାର ମ୍ରାକନ ଏତେ ପଦକ କିପରି ଜିତିପାରୁଛନ୍ତି ସେ ଭାବି ପାରୁ ନାହାନ୍ତି। ତାଙ୍କୁ ଟିମ୍ରେ ପାଇ ଆମେ ଭାଗ୍ୟବାନ ମନେ କରୁଛୁ।