ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍ର ପ୍ରଥମ ମ୍ୟାଚ୍ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍ଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହା କୋହଲିଙ୍କ ୪୪ତମ ODI ମ୍ୟାଚ୍ । ଏହା ସହ ସେ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କ ୨୮ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ପାଇଁ ସର୍ବାଧିକ ODI ମ୍ୟାଚ୍ ଖେଳିବାର ରେକର୍ଡ ପୂର୍ବରୁ ଅଜହରୁଦ୍ଦିନଙ୍କ ନାଁରେ ଥିଲା। ସେ କାରିବିଆନ୍ ଦଳ ବିପକ୍ଷରେ ୪୩ଟି ODI ଖେଳିଥିଲେ । ଏବେ ୪୪ତମ ମ୍ୟାଚ୍ରେ ପ୍ରବେଶ କରି କୋହଲି ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ଭାରତ ପକ୍ଷରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ODI ଖେଳିଥିବା ଖେଳାଳିଙ୍କ ତାଲିକାରେ କୋହଲିଙ୍କ ପଛକୁ କପିଳ ଦେବ ୪୨ଟି, ରାହୁଲ ଦ୍ରାବିଡ ୪୦ଟି ଏବଂ ଏମ୍ଏସ୍ ଧୋନି ଓ ସଚିନ ତେନ୍ଦୁଲକର ୩୯ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି।
କେବଳ ଅଜହରୁଦ୍ଦିନଙ୍କ ରେକର୍ଡ ନୁହେଁ, ଏହି ସିରିଜ୍ରେ କୋହଲିଙ୍କ ନଜର ଆଉ ଏକ ବଡ଼ ରେକର୍ଡ ଉପରେ ରହିଛି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ODI ମ୍ୟାଚ୍ରେ ସର୍ବାଧିକ ଥର ମଇଦାନକୁ ଓହ୍ଲାଇଥିବା ଖେଳାଳି ହେଉଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଶିବନାରାୟଣ ଚନ୍ଦ୍ରପଲ୍ । ସେ ୧୯୯୪ରୁ ୨୦୦୯ ମଧ୍ୟରେ ଭାରତ ବିପକ୍ଷରେ ୪୬ଟି ODI ଖେଳିଥିଲେ। ଅନ୍ୟପକ୍ଷରେ, ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ODI ଖେଳିବାର ରେକର୍ଡ ପାକିସ୍ତାନର ଜାଭେଦ ମିଆଁଦାଦ ଓ ୱାସିମ ଆକ୍ରମଙ୍କ ନାଁରେ ରହିଛି। ଉଭୟ ୬୪ଟି ଲେଖାଏଁ ODI ଖେଳିଛନ୍ତି।
ଏହି ମ୍ୟାଚ୍ରେ କୋହଲିଙ୍କ ପାଖରେ ବ୍ୟାଟ୍ରେ ମଧ୍ୟ ଇତିହାସ ରଚିବାର ସୁଯୋଗ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଏପର୍ଯ୍ୟନ୍ତ ୯ଟି ODI ଶତକ ହାସଲ କରିଛନ୍ତି । ଯଦି ପ୍ରଥମ ମ୍ୟାଚ୍ରେ ଆଉ ଏକ ଶତକ ହାସଲ କରନ୍ତି, ତେବେ ଏହି ଦଳ ବିପକ୍ଷରେ ୧୦ଟି ODI ଶତକ କରିଥିବା ବିଶ୍ୱର ପ୍ରଥମ ବ୍ୟାଟର୍ ହେବେ।
ଏହା ସହ କୋହଲିଙ୍କ ନଜର ୧୫ ହଜାର ODI ରନ୍ ଉପରେ ମଧ୍ୟ ରହିଛି । ୩୧୪ଟି ODIରେ ତାଙ୍କ ନାଁରେ ୧୪,୯୪୧ ରନ୍ ରହିଛି । ତେଣୁ ୧୫,୦୦୦ ରନ୍ ପୂରଣ କରିବା ପାଇଁ ତାଙ୍କୁ ଆଉ ମାତ୍ର ୫୯ ରନ୍ ଆବଶ୍ୟକ । ଏହି ସଫଳତା ହାସଲ କଲେ ସେ ODI ଇତିହାସରେ ୧୫ ହଜାର ରନ୍ ପୂରଣ କରିଥିବା ବିଶ୍ୱର ଦ୍ୱିତୀୟ ବ୍ୟାଟର୍ ହେବେ । ତାଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର ଏହି ମାଇଲ୍ଷ୍ଟୋନ୍ ଛୁଇଁଛନ୍ତି ।

