ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍ଆଣ୍ଡବି ସବ୍ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ଅରବିନ୍ଦ ମହାନ୍ତିଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି ।ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ଉପରେ ଏହି ତଲାସି କରାଯାଉଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।। ବାରିପଦା ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ଉ କରୁଛି।
ଭିଜିଲାନ୍ସ ଟିମ୍ ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ତଲାସି ଚଳାଇଛି। ବାଲେଶ୍ୱର ଅଙ୍ଗାରଗଡ଼ିଆସ୍ଥିତ ତିନି ମହଲା କୋଠା, ଖୋର୍ଦ୍ଧା ଜିଲା ବାଲିଅନ୍ତାସ୍ଥିତ ଦୁଇ ମହଲା କୋଠା, ବେତନଟୀସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ ହୋଇଛି। ସେହିପରି ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ରାୟଣ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବସନ୍ତପୁରସ୍ଥିତ ଫାର୍ମ ହାଉସ୍, ବାମପଦାସ୍ଥିତ ଅନ୍ୟ ଏକ ଘରରେ ମଧ୍ୟ ତଲାସି ଚାଲିଛି। ଏହାବ୍ୟତୀତ ଅଙ୍ଗାରଗଡ଼ିଆରେ ଥିବା ଜଣେ ଘନିଷ୍ଠ ସହଯୋଗୀଙ୍କ ଘର, ମୟୂରଭଞ୍ଜର ବାଇଶିଙ୍ଗାସ୍ଥିତ ଅନ୍ୟ ଜଣେ ସହଯୋଗୀଙ୍କ ଘର ଏବଂ ବାମପଦାସ୍ଥିତ ଆଉ ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାସି କରୁଛି।
ତଲାସି ସମୟରେ ମିଳୁଥିବା ଦଲିଲପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଓ ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର ଆଦିର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି । ତେବେ ଚଢ଼ଉ ଜାରି ରହିଥିବାରୁ ମୋଟ ସମ୍ପତ୍ତି କିମ୍ବା ଅନ୍ୟାନ୍ୟ ଜବତ ସାମଗ୍ରୀ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଏପର୍ଯ୍ୟନ୍ତ ସବିଶେଷ ତଥ୍ୟ ପ୍ରକାଶ କରାଯାଇନାହିଁ । ତଦନ୍ତ ଶେଷ ହେବା ପରେ ଏନେଇ ଅଧିକ ତଥ୍ୟ ମିଳିବ ବୋଲି ଜଣାପଡିବ ।

