ବିବାହ ଓ ପ୍ରତାରଣା

ବୈକୁଣ୍ଠନାଥ ମିଶ୍ର

 

ପ୍ରେମ ଅଧିକାଂଶ କ୍ଷେତ୍ରରେ ବିବାହର ରୂପ ନେଉଛି। କିନ୍ତୁ ପରିତାପର ବିଷୟ ଯେ ପ୍ରେମବିବାହ ଭିତରୁ ପ୍ରାୟ ଶତକଡ଼ା ୭୦ ଭାଗ ବିଫଳ ହେଉଛି। ମାତ୍ର ୫୦/୬୦ ବର୍ଷ ପୂର୍ବେ ପ୍ରେମ ବିବାହ କ୍ୱଚିତ୍‌ ଦେଖାଯାଉଥିଲା। ପ୍ରେମବିବାହ ସ୍ଥାନରେ ଆୟୋଜିତ ବିବାହ ଥିଲା ସର୍ବଗ୍ରାହ୍ୟ। ଆୟୋଜିତ ବିବାହରେ ଝିଅପୁଅ ପରସ୍ପରକୁ ଦେଖୁ ନ ଥିଲେ କି ଜାଣି ନ ଥିଲେ। ମାତାପିତା ଓ ଗୁରୁଜନ ଯେଉଁ ଝିଅକୁ ବୋହୂରୂପେ ବା ଯେଉଁ ପୁଅକୁ ଜ୍ୱାଇଁ ରୂପେ ଚୟନ କରୁଥିଲେ ତାହା ହିଁ ଥିଲା ସର୍ବଶେଷ। ମାତାପିତା ଓ ଗୁରୁଜନଙ୍କ ନିଷ୍ପତ୍ତି ଯେ ପିଲାମାନଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଏ ବିଶ୍ୱାସ ପିଲାମାନଙ୍କର ମନପ୍ରାଣକୁ ସ୍ପର୍ଶ କରୁଥିଲା। ସେତେବେଳେ ରୂପ ଅପେକ୍ଷା ଗୁଣକୁ ପ୍ରାଧାନ୍ୟ ଦିଆଯାଉଥିଲା। ଝିଅ ବା ଜ୍ୱାଇଁ ମନୋନୟନ ସମୟରେ ସମ୍ପୃକ୍ତ ପରିବାର ସମ୍ବନ୍ଧରେ ନାନା ତଥ୍ୟ ସଂଗ୍ରହ କରାଯାଇ ସେଗୁଡ଼ିକର ଔଚିତ୍ୟକୁ ତର୍ଜମାକରି ପରସ୍ପରକୁ ଜୀବନସାଥୀ ରୂପେ ନିବନ୍ଧିତ କରାଯାଉଥିଲା। ଫଳରେ ବିବାହୋତ୍ତର ଜୀବନ ପ୍ରେମମୟତାରେ ଭରିଯାଉଥିଲା।
ବାହ୍ୟ ସଭ୍ୟତାକୁ ଆପଣେଇ ନେବା ଦ୍ୱାରା ଆମ ପରମ୍ପରା କ୍ଷତାକ୍ତ ହେବାକୁ ଲାଗିଲା। ବିବାହ ପରି ପବିତ୍ର କର୍ମରେ ମା’ ବାପାଙ୍କର ଗୁରୁତ୍ୱ ହ୍ରାସ ପାଇଲା ଓ ପିଲାମାନେ ତାଙ୍କ ଜୀବନସାଥୀ ନିଜେ ଚୟନକଲେ। ବିଚରା ମାତାପିତା ପିଲାମାନଙ୍କ ବ୍ୟକ୍ତିଗତ ଜୀବନ ପରିସରରୁ ଦୂରେଇ ଗଲେ । ମାତାପିତାଙ୍କ ଅସମ୍ପୃକ୍ତି ଫଳରେ ପିଲାଙ୍କ ଦାମ୍ପତ୍ୟ କଳହ ଉଗ୍ରରୂପ ନେଲା। ଘରର ଗୁମର ପଦାରେ ପଡ଼ିଲା। କେହିକାହା ସହ ବୁଝାମଣା କରିବା ଅବସ୍ଥାରେ ରହିଲେ ନାହିଁ। ପ୍ରେମର ସ୍ଥାନ ନେଲା ଅବିଶ୍ୱାସ, ଘୃଣା ଓ ଅସହିଷ୍ଣୁତା।
ମିଛ ପ୍ରେମ, ଦୈହିକ ସୁଖଭୋଗ ଓ ପ୍ରଚୁର ଧନାର୍ଜନ ସେମାନଙ୍କ ଛଦ୍ମବେଶୀ ଭଲମଣିଷର ଚେହେରା ତଳେ ସଦା ଉଜ୍ଜୀବିତ ଥାଏ। ନିକଟ ଅତୀତର ମାତ୍ର ଷଷ୍ଠଶ୍ରେଣୀ ପଢ଼ିଥିବା ଜଣେ ଯୁବକ ନିଜକୁ କେତେବେଳେ ଡାକ୍ତରୀ ଛାତ୍ର ତ କେବେ ପ୍ରଶାସନିକ ଅଧିକାରୀ କହି ଶତାଧିକ ତରୁଣୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାର ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଶିକ୍ଷିତା ସାବାଳିକାମାନେ ପ୍ରେମରେ ଅନ୍ଧହୋଇ ବାଟବଣା ହେଉଥିବାବେଳେ ସ୍ବଳ୍ପଶିକ୍ଷିତା ନାବାଳିକାଙ୍କ କଥା ନ କହିବା ଭଲ।
ସମ୍ପ୍ରତି ଏକ ଭୟଶୂନ୍ୟ ବାତାବରଣ ସର୍ବତ୍ର ପରିଦୃଷ୍ଟ। କିଶୋରୀ କିଶୋରମାନେ ଭୟଶୂନ୍ୟ ହୋଇ ସ୍ବାଧୀନ ଜୀବନଯାପନର ଅଭିଳାଷ ରଖୁଥିବାରୁ ନିଜ ନିଷ୍ପତ୍ତି ନିଜେ ନେଇ ବିଷମ ପରିସ୍ଥିତିକୁ ଆହ୍ବାନ କରୁଛନ୍ତି। ଏଥିରେ ମହିଳାମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି। ଯେଉଁ ସମୟରେ ସେମାନେ ଭବିଷ୍ୟତ ଗଠନରେ ମନୋନିବେଶ କରିବାକଥା, ସେ ସମୟରେ ଅବାଟରେ ଚାଲି ଲହୁଲୁହାଣ ହେଉଛନ୍ତି। କେନ୍ଦ୍ର ସରକାର ଗତ ଡିସେମ୍ବର ୨୧ତାରିଖରେ ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ସଂକ୍ରାନ୍ତୀୟ ଏକ ଚିଠାପ୍ରସ୍ତାବ ଲୋକ ସଭାରେ ପାରିତ କରିଛନ୍ତି। କେନ୍ଦ୍ର ସରକାରଙ୍କର କହିବାକଥା ହେଲା ଉକ୍ତ ଆଇନର ଆଭିମୁଖ୍ୟ ହେଉଛି ୨୧ବର୍ଷ ବୟସ ସୁଦ୍ଧା ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ଓ ତତ୍‌ପରେ ବିବାହବନ୍ଧନରେ ଅନୁବନ୍ଧିତ ହୋଇ ପରିବାରର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିପାରିବେ। ୨୦୧୧ଜନଗଣନା ଅନୁଯାୟୀ ୧୮ରୁ ୨୧ବର୍ଷ ମହିଳାଙ୍କ ସଂଖ୍ୟାଥିଲା ୪କୋଟି ୬୪ଲକ୍ଷ, ଯାହା ବର୍ତ୍ତମାନ ପ୍ରାୟ ୬କୋଟି ହେବ। ଏତେ ସଂଖ୍ୟକ ମହିଳା ସ୍ବାବଲମ୍ବୀ ହେବା ପାଇଁ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ମହିଳାଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ସ୍ବଳ୍ପଶିକ୍ଷା ଓ ଆୟବିହୀନ ଏକ ସଙ୍କୁଚିତ ପରିବେଶରେ ଏହି ମହିଳାମାନେ କିପରି ସ୍ବାବଲମ୍ବୀ ହୋଇପାରିବେ? ଫଳତଃ ନାନା ଆପରାଧିକ କାର୍ଯ୍ୟରେ ନିଜକୁ ସଂପୃକ୍ତ କରିବାର ସମ୍ଭାବନାକୁ ଅସ୍ବୀକାର କରିହେବ ନାହିଁ। ଏ ସମସ୍ତ କଥାକୁ ବିଚାରକୁ ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ (ଓଏସ୍‌ସିପିସିଆର)୨୧ବର୍ଷ ବିବାହ ବୟସକୁ ବିରୋଧକରି କେନ୍ଦ୍ର ଶିକ୍ଷା ମହିଳା ଶିଶୁ ଓ କ୍ରୀଡ଼ା ବ୍ୟାପାର ସଂସଦୀୟ କମିଟିକୁ ଏକ ଚିଠି ଲେଖିଛି।
ବିବାହ ବୟସ ୨୧ ହେଉ ବା ୧୮ ହେଉ ଆଇନକୁ ସମ୍ମାନ ଜଣାଇ ବିବାହକୁ ସିନା ଟାଳି ଦେଇହେବ; ମାତ୍ର ଝିଅଟି ଯେ ପ୍ରାକ୍‌ ବୈବାହିକ ପ୍ରେମ ଓ ତଜ୍ଜନିତ ପ୍ରତାରଣାର ଶିକାର ହେବ ନାହିଁ- ଏହାର କିଛି ସମୁଚିତ ପ୍ରତିବିଧାନ ନାହିଁ। ସାମାଜିକ ଉଚ୍ଛୃଙ୍ଖଳତା ଚରମ ସୀମାରେ ଉପନୀତ। ପିଲାମାନେ କାଳେ କୌଣସି ବିପଜ୍ଜନକ ପରିସ୍ଥିତିକୁ ଆମନ୍ତ୍ରଣ କରିବେ, ସେଥିପାଇଁ ମାଆବାପାଙ୍କୁ ନୀରବ ରହିବାକୁ ପଡୁଛି। ସମ୍ପ୍ରତି ଚାଇନା ସରକାର ଏକ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ଯେ, ପିଲାମାନଙ୍କର ପ୍ରାକ୍‌ ବୈବାହିକ ଉଚ୍ଛୃଙ୍ଖଳତା ପାଇଁ ସେମାନଙ୍କ ମାତାପିତାଙ୍କୁ ଦଣ୍ଡିତ କରାଯିବ। ଯେହେତୁ ପିଲାଏ ନାବାଳକ ଓ ଭଲମନ୍ଦ ବିଚାର କରିବା ପାଇଁ ସେମାନେ ଯଥେଷ୍ଟ ପରିପକ୍ୱ ନୁହନ୍ତି ତାଙ୍କ ସ୍ଥାନରେ ମାତାପିତାଙ୍କୁ ଦଣ୍ଡଦେବାର ବ୍ୟବସ୍ଥା ହେବାକୁ ଯାଉଛି। ଫଳରେ ପିଲାମାନଙ୍କ ଉଚ୍ଛୃଙ୍ଖଳତା ପାଇଁ ମାତାପିତା ଉଦାସୀନ ହେବେନାହିଁ। ଭାରତରେ ଏପରି ପ୍ରାବଧାନର ପ୍ରାସଙ୍ଗିକତା ଅଛି କି ନାହିଁ ଏହା ଏକ ବିତର୍କର ଅପେକ୍ଷା ରଖେ।
ପ୍ରାକ୍‌ ବିବାହ ଯୌନ ସମ୍ପର୍କ ଝିଅମାନଙ୍କ ପକ୍ଷେ କେତେ ଦୁର୍ଭାଗ୍ୟଜନକ ତାହା ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ଦ୍ୱାରା ପ୍ରକାଶିତ ଏକ ରାୟକୁ ଅନୁଧ୍ୟାନ କଲେ ଜଣାଯିବ। ୧୯୯୬ରେ ଆଗତ ଉକ୍ତ ମାମଲା ଅନୁଯାୟୀ ଜଣେ ଯୁବକ ତାଙ୍କ ବାଳିକା ବନ୍ଧୁ ସହ ତିନିବର୍ଷକାଳ ଯୌନ ସମ୍ପର୍କ ରଖି ବିବାହ ନିମିତ୍ତ ଅନିଚ୍ଛା ପ୍ରକାଶ କରିବାରୁ ମହିଳାଜଣକ ନ୍ୟାୟାଳୟର ଆଶ୍ରୟ ନେଲେ । ଦୀର୍ଘ ୨୫ବର୍ଷ ପରେ ୨୦୨୧ରେ ରାୟ ପ୍ରକାଶ କରି ନ୍ୟାୟାଳୟ କହିଛନ୍ତିି ଯେ, ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ଅନିଚ୍ଛା ପ୍ରକାଶ କରିବା କିମ୍ବା ବିବାହ ନ କରିବା ଆଦୌ ଅପରାଧ ନୁହେଁ। ଯୌବନୋତ୍ତର ବୟସରେ ଉପନୀତ ସଂପୃକ୍ତ ମହିଳାଙ୍କର ଭାଗ୍ୟ ଆକାଶରେ କଳାବାଦଲ ଘୋଟି ଆସିଛି। ନାରୀଜାତି ପାଇଁ ସାମଗ୍ରିକ ଭାବେ ଏହା ଏକ ଚିନ୍ତାର ବିଷୟ ଯେ ପ୍ରାକ୍‌ ବୈବାହିକ ସମ୍ପର୍କ କେତେ ଭୟଙ୍କର ହୋଇପାରେ। ନିଚ୍ଛକ ପ୍ରେମ ଦୃଶ୍ୟପଟରୁ ଅନ୍ତର୍ହିତ ହେବାକୁ ବସିଲାଣି। ପ୍ରେମ ପ୍ରତାରଣାରେ ରୂପାନ୍ତରିତ ହେବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ। ତେଣୁ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଏ ବିଷୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
ସିଦ୍ଧଳ, ଜଗତ୍‌ସିଂହପୁର,
ମୋ- ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri