କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି କ୍ଷେପଣାସ୍ତ୍ର ନିର୍ମାଣ କରିବେ। ଉଲ୍ଲେଖଯୋଗ୍ୟ, ‘ଅସ୍ତ୍ର’ ହେଉଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍ଡିଓ) ଦ୍ୱାରା ବିକଶିତ ଏବଂ ସରକାରୀ ପରିଚାଳିତ ଭାରତ ଡାଇନାମିକ୍ସ ଲିମିଟେଡ୍ ଦ୍ୱାରା ନିର୍ମିତ ଆକାଶରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଭାରତର ପ୍ରଥମ ସ୍ବଦେଶୀ ବିୟଣ୍ଡ୍-ଭିଜୁଆଲ-ରେଞ୍ଜ୍ କ୍ଷେପଣାସ୍ତ୍ର। ସେହିପରି ‘ପ୍ରଳୟ’ ହେଉଛି ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ସ୍ବଳ୍ପ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା କ୍ୱାସି-ବାଲିଷ୍ଟିକ୍ ମିଶାଇଲ। କେନ୍ଦ୍ର ସରକାର ପାରମ୍ପରିକ କ୍ଷେପଣାସ୍ତ୍ର ଘରୋଇ କମ୍ପାନୀ ପାଇଁ ଖୋଲା କରିବା ଫଳରେ ଅନେକ ହଜାର କୋଟି ଟଙ୍କାର ଏକ ବଜାର ସୃଷ୍ଟି ହେବ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉତ୍ପାଦନରେ ବିବିଧତା ଆଣିବା ଏବଂ ଏହାର ଗତିକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ ବୋଲି ସରକାରୀ ଭାବେ କୁହାଯାଉଛି।
ସାଧାରଣତଃ ବହିର୍ବ୍ୟାପାର, ପ୍ରତିରକ୍ଷା, ମୁଦ୍ରା ଓ ଯୋଗାଯୋଗ ଆଦି କ୍ଷେତ୍ର ଉପରେ ସରକାରୀ ନିୟନ୍ତ୍ରଣ ରହିବା କଥା। କାରଣ ଏଥିରେ ସରକାରୀ ଗୋପନୀୟତା ବଜାୟ ରହିଥାଏ। ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥିବା କେତେକ ବ୍ୟକ୍ତି ଶତ୍ରୁ ପକ୍ଷକୁ ସରକାରୀ ତଥ୍ୟ ବିକ୍ରି କରି ଧରାପଡ଼ିଥିବାର ନଜିର ମଧ୍ୟ ରହିଛି। ତେବେ ସରକାରଙ୍କ ବର୍ତ୍ତମାନର ନିଷ୍ପତ୍ତି ଅନୁଯାୟୀ ପ୍ରତିରକ୍ଷା ଉତ୍ପାଦନ ଚୁକ୍ତି ପାଇଁ କେବଳ ସରକାରୀ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ଡିପିଏସ୍ୟୁଏସ୍)ଗୁଡ଼ିକ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ। ଫଳରେ ଆଦାନୀ ଡିଫେନ୍ସ ଆଣ୍ଡ୍ ଏରୋସ୍ପେସ୍, ଟାଟା ଆଡ୍ଭାନ୍ସଡ୍ ସିଷ୍ଟମ୍ସ, ମହିନ୍ଦ୍ରା ଡିଫେନ୍ସ, ଭାରତ ଫର୍ଜ (କଲ୍ୟାଣୀ ଗ୍ରୁପ୍), ଆଇସିଓଏମ୍ଏମ୍ ଟେଲି ଏବଂ ସୋଲାର ଡିଫେନ୍ସ ଆଣ୍ଡ୍ ଏରୋସ୍ପେସ୍ ଭଳି ହାତଗଣତି କମ୍ପାନୀ ଏ ଦିଗରେ ଚୁକ୍ତି କରିବେ ବୋଲି କଥା ଉଠିଲାଣି।
ଏଥିରୁ ବୁଝାପଡୁଛି ଯେ, ମୁଖ୍ୟତଃ ଆଦାନୀ ଓ ଟାଟା ଭାରତର ପ୍ରତିରକ୍ଷା ସାମଗ୍ରୀର ମୂଳ ଯୋଗାଣକାରୀ ଭାବେ ଦାୟିତ୍ୱ ନେବେ। ଏହି ଦୁଇ କମ୍ପାନୀ ଏବେ ଭାରତରେ ପାଣିବନ୍ଦର, ବିମାନବନ୍ଦର, ବିମାନ ଚଳାଚଳ, ଚିନି, ଲୁଣଠାରୁ ଆରମ୍ଭ କରି ଖଣିଖାଦାନ ପର୍ଯ୍ୟନ୍ତ ହାତେଇ ନେଇଛନ୍ତି। ବାସ୍ତବରେ ଯଦି ଭବିଷ୍ୟତରେ ଯୁଦ୍ଧ ସ୍ଥିତି ଉପୁଜେ, ଏହି କମ୍ପାନୀଗୁଡ଼ିକ କେତେଦୂର ଦେଶର ସୁରକ୍ଷା ପାଇଁ ଦୃଷ୍ଟି ଦେଇପାରିବେ; ତାହା ଏକ ବଡ଼ ପ୍ରଶ୍ନ ଭାବେ ଦେଖାଦେଇଛି। ବ୍ୟବସାୟ କରିବା ଗୋଟିଏ କଥା, କିନ୍ତୁ ଦେଶ ସୁରକ୍ଷା ଏକ ଭିନ୍ନ ବିଷୟ। ଏହି ବ୍ୟବସାୟିକ ଗୋଷ୍ଠୀ କେବଳ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଗ୍ରାହକ ଭାବେ ଗ୍ରହଣ କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଏହି ଦେଶକୁ ବିକ୍ରି କରିବେ ନା ଡିଆର୍ଡିଓର ଗବେଷଣାକୁ ନେଇ ପ୍ରସ୍ତୁତ କରୁଥିବା ଯୁଦ୍ଧ ସାମଗ୍ରୀ ଅନ୍ତର୍ଜାତୀୟ ବଜାରକୁ ଦେଖି ଅନ୍ୟ ଦେଶକୁ ବିକ୍ରି କରିପାରିବେ; ତାହା ଏଯାଏ ଅସ୍ପଷ୍ଟ। ଯଦି ତାହା ହୁଏ, ତେବେ ଏହି କମ୍ପାନୀଗୁଡ଼ିକ କେଉଁ ଦେଶକୁ ସେସବୁ ବିକ୍ରି କରିପାରିବେ ତାହାର ଅନୁମତି ଓ ତାଲିକା କିଏ ଦେଇପାରିବ। ଉଦାହରଣ ସ୍ବରୂପ, ଆମେରିକାର ଯୁଦ୍ଧ ସାମଗ୍ରୀ ପ୍ରସ୍ତୁତ କରୁଥିବା କୌଣସି ଘରୋଇ କମ୍ପାନୀ ସିଧାସଳଖ ସରକାରୀ ଅନୁମତି ବିନା ବାହ୍ୟ ଦେଶକୁ ଗୋଳାବାରୁଦ, ଲଢ଼ୁଆ ବିମାନ, ହେଲିକପ୍ଟର, ପାଣିଜାହାଜ ଇତ୍ୟାଦି ବିକ୍ରି କରିପାରିବ ନାହିଁ। ଅନ୍ୟପଟେ ଫ୍ରାନ୍ସର କେତେକ ଘରୋଇ କମ୍ପାନୀ ସିଧାସଳଖ ଯୁଦ୍ଧ ସାମଗ୍ରୀ ଅନ୍ୟ ଦେଶକୁ ବିକ୍ରି କରିପାରିବେ। ଏଭଳି ପ୍ରଚ୍ଛଦପଟରେ ଭାରତୀୟ କମ୍ପାନୀଗୁଡ଼ିକ କେଉଁ ବାଟେ ଯିବେ ତାହା ମଧ୍ୟ ଆରମ୍ଭରୁ ସ୍ପଷ୍ଟ ହେବା ଦରକାର। ବିଶେଷକରି ଭାରତୀୟ କରଦାତାଙ୍କ ଅର୍ଥରେ ଗଢ଼ିଉଠିଥିବା ଡିଆର୍ଡିଓର ଗବେଷଣା ଓ ବିକାଶ (ଆର୍ ଆଣ୍ଡ୍ ଡି) ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରତିରକ୍ଷା ଉତ୍ପାଦର ଲାଭ ଏହି ଘରୋଇ କମ୍ପାନୀଗୁଡ଼ିକ ନେବେ ଏବଂ ନେଇଚାଲିବେ। ଏଠାରେ ଜଣାଶୁଣା ଯେ, ଭାରତର ବୃହତ୍ କମ୍ପାନୀଗୁଡ଼ିକ ପ୍ରାୟ ନିଜର କୌଣସି ‘ଆର୍ ଆଣ୍ଡ୍ ଡି’ କରି ନ ଥାନ୍ତି। ଉଦାହରଣ ସ୍ବରୂପ କୋଭିଡ୍-୧୯ ସମୟରେ ଦିଆଯାଇଥିବା ଦୁଇଟିଯାକ ଟିକା କୋଭାକ୍ସିନ୍ ଓ କୋଭିଶିଲ୍ଡ ଭାରତରେ ତିଆରି କରାଯାଇଥିଲେ ମଧ୍ୟ ତାହାର ପ୍ରଯୁକ୍ତି କୌଶଳ ବିଦେଶୀ ଥିଲା। ପ୍ରଶ୍ନ ଉଠିପାରେ ଯେ, ଘରୋଇ ଭାବେ ଭାରତରେ ନିର୍ମିତ ହେବାକୁ ଥିବା ଯୁଦ୍ଧ ସାମଗ୍ରୀ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତି କୌଶଳ ଆସିବ କେଉଁଠୁ। ଯଦି କେବଳ ଡିଆର୍ଡିଓ ଦେବ, ତେବେ ଭାରତୀୟ କରଦାତାଙ୍କ ଅର୍ଥ ଖର୍ଚ୍ଚହୋଇ ଚାଲୁଥିବ ଓ ଘରୋଇ କମ୍ପାନୀଗୁଡ଼ିକ ଲାଭ ପାଇ ଚାଲିଥିବେ। ଏଭଳି ପରିସ୍ଥିତିରେ ଏହି ବ୍ୟବସାୟ ଦେଶ ଓ ଜନସାଧାରଣଙ୍କ ପ୍ରତି ଘୋର ଅନ୍ୟାୟ। ତେଣୁ ଘରୋଇ କମ୍ପାନୀ ଯଦି ପ୍ରତିରକ୍ଷା ବ୍ୟବସାୟ କରିବେ, ତେବେ ଅନ୍ୟ ଦେଶ ଭଳି ଗବେଷଣା ଓ ପରୀକ୍ଷଣ ଦିଗରେ ସମ୍ପୂର୍ଣ୍ଣ ଖର୍ଚ୍ଚ ସେହି କମ୍ପାନୀଗୁଡ଼ିକ ବହନ କରିବା ଉଚିତ।
ଏହାବ୍ୟତୀତ ଯୁଦ୍ଧ ସମୟରେ ଯଦି ଏହି ଘରୋଇ କମ୍ପାନୀଗୁଡ଼ିକର କୌଣସି କ୍ଷେପଣାସ୍ତ୍ର ଅକାମୀ ହୋଇଗଲା, ତେବେ ସେହି କମ୍ପାନୀଗୁଡ଼ିକ ସହଜରେ ଡିଆର୍ଡିଓ ଦ୍ୱାରା ବିକଶିତ ପ୍ରଯୁକ୍ତି ଉପରେ ଦୋଷ ଲଦି ଖସିଯାଇପାରିବେ। ଦେଶର କ୍ଷତି ହେବ ଯୁଦ୍ଧ ଯୋଗୁ, କମ୍ପାନୀର ଲାଭ ହେବ ଯୁଦ୍ଧ ଯୋଗୁ। ଯେହେତୁ ଏହି ବିଷୟ ଜାତୀୟ ସୁରକ୍ଷା ସହିତ ସମ୍ପୃକ୍ତ, ସେଥିପାଇଁ ଏହି କମ୍ପାନୀଗୁଡ଼ିକର କାରନାମାକୁ କୌଣସି ଗଣମାଧ୍ୟମ ବା ବ୍ୟକ୍ତିବିଶେଷ ପ୍ରଶ୍ନ କରିପାରିବେ ନାହିଁ। କଲେ କହିବେ ଦେଶଦ୍ରୋହୀ।

