ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ କାଦୁଅ ପଙ୍କରେ ଘାଣ୍ଟି ହୋଇ ଯାଉଥିଲା ବେଳେ କି କେତେ ପ୍ରାଣୋଛଳ ହୋଇ ପ୍ରକୃତି ମାଆ ସହ ଏକାକାର ହୋଇ ଯାଉଥିବେ ? କେବଳ କ’ଣ ଆମର ଶିଶୁମାନେ କେଉଁଠି ଫୁଲ ଉପରେ ପ୍ରଜାପତି ବସିଥିଲେ ଦୌଡ଼ିଯାଇ ଅବା ଧାରା ଶ୍ରାବଣର ଜଳସୁଅରେ କାଗଜ ଡଙ୍ଗା ଭସାଇ କେତେ ଅବିମଳ, ଅବିକୃତ ଅନବଦ୍ୟ ଦୃଶ୍ୟ ସୃଷ୍ଟି କରୁଥିବେ ? କେବଳ କ’ଣ ଆମ ଭିତରୁ ଖୁବ୍‌ କମ୍‌ ହେଲେ ବି ସେଇମାନେ ସକାଳ ଓ ସନ୍ଧ୍ୟାକୁ ଜାଣିଶୁଣିି ସ୍ବାଗତ କରି ଏବଂ ସେମାନଙ୍କର ପ୍ରୀତ୍ୟର୍ଥେ ସ୍ତବପାଠ ପୂର୍ବକ ଆପଣାର କୃତଜ୍ଞତା ଜ୍ଞାପନ କରୁଥିବେ ? ଆଉ କେବଳ କ’ଣ ଭାବୁକ ଓ ଦାର୍ଶନିକମାନେ ଖୋଲା ଅଥଚ କେଡ଼େ ରହସ୍ୟ ଘନ ଏ ସଂସାର ପ୍ରତି ଆସକ୍ତ ହୋଇ ମଧ୍ୟ ଅନାସକ୍ତ ହେଉଥିବେ? କେବଳ, ହଁ କେବଳ ଏ ଶବ୍ଦର ପ୍ରୟୋଗ ସଂଜ୍ଞାନରେ ଓ ସଜୋର୍‌  କରାଗଲା କାରଣ ମଣିଷ ଥାଟରେ ବିରାଜିତ ବିଭ୍ରାନ୍ତ ଦ୍ୱିପଦ ତା’ର ପାଦର ଅବସ୍ଥିତି ସମ୍ପର୍କରେ ଆଦୌ ଚେତିଲା ନାହିଁ। ନା ସେ ପାଦକୁ ଶ୍ରଦ୍ଧା କଲା  ନା ତା’ ପାଦକୁ କାର୍ଯ୍ୟକ୍ଷମ କରାଉଥିବା ଭୂମିକୁ ସ୍ବୀକାର କଲା। ସ୍ବୀକାର କରିବାର ଅନ୍ୟ ନାମ କୃତଜ୍ଞତା ଯାହାପୁଣି ଶ୍ରଦ୍ଧାସମ୍ଭୂତ। ଯଦି ମୁଁ ମୋ ମୂଳକୁ ଅସ୍ବୀକାର କରିବି, ତାହାହେଲେ ମୁଁ ତ ନିଶ୍ଚିତଭାବେ କୃତଘ୍ନ। ଫୁଲ ଫଳରେ ମଣ୍ଡିତ ଡାଳ ଯଦି ମୂଳ ଅବା ଚେରକୁ ଅସ୍ବୀକାରଜନିତ ଅବଜ୍ଞା କରେ ତାହାହେଲେ ତାର ସ୍ଥିତି ବିପନ୍ନ ହେବ ହିଁ ହେବ।
   ଚଷାଭାଇ ଯେଉଁ ଆତ୍ମାରାମରେ ଭୂମି ସହ ମିଶୁଛି ଏବଂ ସେଇ ଅବକାଶରେ ତା’ର ସ୍ତବ ପାଠ କରୁଛି, କବି ଯେଉଁ ଫୁଲର କି ପାହାଡ଼ର କି ଇନ୍ଦ୍ରଧନୁର ପ୍ରକାଶରେ ଅଭିଭୂତ ହେଉଛି, ଦାର୍ଶନିକ ଓ ଭାବୁକ ଯେଉଁ ଅକଳ୍ପନୀୟ ସଂସାରର ବିସ୍ତୃତିର ବ୍ରହ୍ମଚର୍ଯ୍ୟ ଦେଖି ବିସ୍ମୟମିଶ୍ରିତ ଅହଙ୍କାରଶୂନ୍ୟତା ଲାଭ କରୁଛନ୍ତି, ତା’ ମୂଳରେ ସେମାନଙ୍କର ଦୃଢ଼ ଅବବୋଧ ରହିଛି ଏଇ ମୂଳର। ପ୍ରକୃତିର ମୁକୁଳା ଔଦାର୍ଯ୍ୟ ଏବଂ ତଜ୍ଜନିତ ମାଧୁର୍ଯ୍ୟ ସେମାନଙ୍କୁ ତୁଚ୍ଛାଦେହୀ ଭାବରେ ରଖି ଦେଉନାହିଁ, ସେମାନେ ହୋଇଯାଉଛନ୍ତି ମୁକ୍ତଦେହୀ, ଯେଉଁଠି ଦେହ ମାଧ୍ୟମରେ ଦେହ ମୁକ୍ତିପାଏ ତେଣୁ ଦେହର ଯାବତୀୟ ମଳିନତା କଟିଯାଏ। ଦେହ ପାଇଁ ତ କବି ଫୁଲ ଦେଖିବାର ସମର୍ଥ ହେଉଛି ପୁଣି ଏପରି ଦେଖିବାରେ ସେ ଭିନ୍ନ ଏକ ଅବସ୍ଥାକୁ ଚାଲିଯାଉଛି, ଫୁଲଦର୍ଶନ ତା’ଭିତରେ ଫୁଲଭାବର ଅମନ୍ଦ ମନ୍ଦାକିନୀ ବୁହାଇ ଦେଉଛି। ସେ ମହାନ୍‌ ଭାବର ଅମୃତମୟ ସ୍ଥିତିରେ କବି ଭୂମିକୁ ସ୍ବୀକାର କରିବା ସଙ୍ଗେ ସଙ୍ଗେ ତା’ର ଚମକତ୍ାରିତା ସହ ଏକାକାର ହୋଇ ଯାଉଛି। ଫୁଲମୟ କବି ଫୁଲେନା ବରଂ ଆତ୍ମପ୍ରସାଦରେ ଝୁଲେ। କେଉଁ ଏକ ଅଦୃଶ୍ୟ ଅଧ୍ୟାତ୍ମ ପବନରେ ଦୋଳି ଖେଳେ। ସମସ୍ତ ସଂସାରୀ ଜନ ଯେତେବେଳେ ପୂଜା ଆଳରେ ଫୁଲକୁ ଫାଶି ଦେଉଥାନ୍ତି ସେତେବେଳେ କବି ସନ୍ଥ ଫୁଲ ଫୁଲର ପରମ ରମଣୀୟ ଚରଣାରବିନ୍ଦରେ ଅନାହତ ପ୍ରଣତି ଢାଳୁଥାଏ। ସେ ଫୁଲକୁ ଫାଶି ଦେବା ତ ଦୂରର କଥା ଫୁଲର ସାମାନ୍ୟ ଅବହେଳା ସହିପାରେ ନାହିଁ। ଫୁଲକୁ ସଂସାରୀମାନେ ଆପଣାର କାମନା ପୂରଣ ପାଇଁ ଫାଶି ଚଢ଼ାଉଥିବା ବେଳେ କବି (ଏବଂ ଅସଲଭକ୍ତ) ତା’ର ଅତି ନିକଟରେ ସୌନ୍ଦର୍ଯ୍ୟ ଉପନିଷଦ ଶୁଣୁଥାଏ। ଫୁଲ ହୁଏ ତା’ର ପରମାରାଧ୍ୟ ଗୁରୁ ଆଉ କବି ତା’ର ଚରମ ଅବନତ, ବିନୀତ ସେବକ ଶିଷ୍ୟ। ତେଣୁ ଗୁରୁଙ୍କୁ ପ୍ରଣିପାତ ଓ ସେବା ବ୍ୟତୀତ ସେ ଆଉ କ’ଣ କରନ୍ତା ? ତାହା ବି ସେ କରେ ଖୁବ୍‌ ମାର୍ମିକତାରେ। ଏ ମମତା ଆସକ୍ତିଶୂନ୍ୟ କିନ୍ତୁ ଅନାସକ୍ତ ଅବା ଅସମ୍ପୃକ୍ତ ନୁହେଁ। ତେଣୁ କବି ଫୁଲର ସୌନ୍ଦର୍ଯ୍ୟ ଉପନିଷଦ ଅଧ୍ୟୟନ କରି ଫୁଲ ଉପନିଷଦ ପାଲଟିଯାଏ  ବ୍ରହ୍ମବିଦ୍‌  ବ୍ରହ୍ମୈବ ଭବତି। କେତେ ମଜା କଥା ଏ! କବିର ଏ ନୈସର୍ଗିକ କର୍ମକୁ ସଂସାରୀମାନେ କଦାଚ ଲୋଡ଼ିଲେ ନାହିଁ। ଯନ୍ତ୍ର ଯୁଗର ଯନ୍ତ୍ରୀଭୂତ ସଂସାରୀ, ଫୁଲର ଆରାଧନା କରିବା ତ ଦୂରର କଥା ଫୁଲଟିଏ ଫୁଟିଛି ବୋଲି ସେ ଦେଖେନା, ଯଦିବା ଦେଖେ ସେଥିରେ ଆତ୍ମହରା ହୋଇ ଆତ୍ମଲାଭ କରେନା।
ଫୁଲର ସୌନ୍ଦର୍ଯ୍ୟ ସମ୍ପର୍କରେ ଅନବହିତ ସଂସାରୀ ଫୁଲକୁ ନେଇ ହୁଏତ ଠାକୁର ଘର ସଜାଏ, ଠାକୁରଙ୍କ ତାଳୁରୁ ତଳିପାଯାଏ ଫୁଲରେ ପୋତିପକାଏ। ପୁଣି ମନ ଖୁସିରେ ଗୋଟେ ଅଧେ ଫୁଲ କାନରେ ବି ଖୋସିଦିଏ। ଏତେ ଏତେ ଫୁଲରେ ଠାକୁର ପୂଜା କରୁଛି ବୋଲି ସଂସାରୀ ଖୁବ୍‌ ପ୍ରସନ୍ନବୋଧ କରେ, ଏଥିପାଇଁ ଯେ ଠାକୁର ପ୍ରସନ୍ନବୋଧ କରୁଥିବେ ବୋଲି ସେ ଭାବେ । ଏହା ଫଳରେ ଫୁଲଭାବଟି ତା’ ଠାରୁ ଦୂରେଇ ଯାଏ। ଫୁଲ ମଉଳିଯିବାର ଯଥେଷ୍ଟ ପୂର୍ବରୁ ଫୁଲଭାବ ତା’ଠାରୁ ବିଦାୟ ନେଇଥାଏ। ଫୁଲ ଭୋଗର ପାମରପଣିଆର ପାଲଟିଯାଏ, ଫୁଲଭାବର ପରମପ୍ରେମାସ୍ପଦତା କ୍ରୁଶବିଦ୍ଧ କ୍ଷତବିକ୍ଷତ ହୋଇଯାଏ। ସଂସାରୀ ଏଇଥିପାଇଁ ଫୁଲର ହୋଇପାରେ ନାହିଁ। ତେଣୁ ଠାକୁରଙ୍କର ମଧ୍ୟ ହୋଇପାରେ ନାହିଁ, କାରଣ ଅଭାବୀ କିପରି ଭାବ ପାଇବ ? ଅନ୍ୟପକ୍ଷରେ, କବି ଫୁଲର ଉପନିଷଦଟିଏ ପାଲଟି ଯାଇଥିବାରୁ ସେ ଫୁଲର ହୁଏ, ହୁଏ ବି ଠାକୁରଙ୍କର  ଏବଂ ତା’ ସହ ସେ ସଂସାରରେ ଆଉ ସଂସାର ପାଇଁ ଯେଉଁ କବିତା ଲେଖେ ତାହା ହୁଏ ସର୍ବୋତ୍ତମ ଉପାସନା, ସର୍ବୋତ୍ତମ ସେବା ଓ ସନ୍ଧାନୀ ସାଂସାରିକତା। ଆମେ ସେହି ଉପାସନା କରନ୍ତେ ନାହିଁ!
ବ୍ରଜମୋହନ ମିଶ୍ର
ଭଦ୍ରକ,  ମୋ:୮୦୧୮୦୮୭୮୩୧

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri