ଆତ୍ମଚିନ୍ତନର ସମୟ

ଡ. ଅଜୟ କୁମାର ନନ୍ଦ

 

ଆମ ଦେଶରେ ଏ ବର୍ଷ ମଧ୍ୟ ଦ୍ୱିତୀୟ ଥର ପାଇଁ କୋଭିଡ୍‌ କଟକଣା ମଧ୍ୟରେ ପାଳିତ ହେଉଛି ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ। ଏହି ମହାନ୍‌ ଦିବସର ସ୍ବତନ୍ତ୍ରତା ବିଶ୍ୱ ଦରବାରରେ ଆମକୁ ଏକ ନିଆରା ପରିଚୟ ଦେଇଛି। ଦୁଇଶହ ବର୍ଷରୁ ଊଦ୍ଧର୍‌ବ ଇଂରେଜ ଶାସନ କବଳରୁ ଦେଶକୁ ମୁକ୍ତ କରିବାରେ ଯେଉଁମାନଙ୍କ ଚିନ୍ତନ, ବଳିଦାନ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇଛି, ତାଙ୍କର ଜୟଗାନ କରିବା ସହିତ ଭବିଷ୍ୟତର ଦାୟାଦ ଭାବେ ଆମେ କେବଳ କର୍ତ୍ତବ୍ୟ ସମ୍ପାଦନ କରୁଛେ। ସେହି ସ୍ମରଣୀୟ ମଧ୍ୟରାତ୍ରିର କଥା, ୧୯୪୭ ମସିହା ଅଗଷ୍ଟ ୧୫ରେ ବିଦେଶୀ ଶାସନରୁ ମୁକ୍ତ ହୋଇ ଭାରତୀୟମାନେ ମୁକ୍ତିର ଜୟଗୀତି ଗାନ କଲେ, ଆମେ ଚଳାଇବୁ ଦେଶ ଆମରି, ଆମରି ନାଆରେ ଆମେ ନାଉରି। ଏହା ହେଉଛି, ଆଜିର ଜନରାଜ୍ୟ ଦିବସର ମୁଖ୍ୟ ଅନୁଚିନ୍ତା ଓ ଦେଶଭକ୍ତିର ଗାଥା। ପରବର୍ତ୍ତୀ ସମୟରେ ‘ଶାସନ ବିଧାୟକସଭା’ ଭାରତ ଭଳି ବୃହତ୍‌ ଦେଶର ଏକତାକୁ ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ବାନ୍ଧି ରଖିବା ପାଇଁ କେତେକ ଶାସନ ଖସଡ଼ା ପ୍ରସ୍ତୁତ କରି ଭାରତ ସରକାରଙ୍କ ହାତରେ ଅର୍ପଣ କଲେ; ଯାହାକୁ ଆମେ ସମ୍ବିଧାନ ବୋଲି କହୁଛେ । ଭାରତ ପାର୍ଲାମେଣ୍ଟରେ ଏହି ସମ୍ବିଧାନକୁ ୧୯୫୦ ମସିହା ଜାନୁୟାରୀ ୨୬ରେ ଗୃହୀତ କରାଯାଇଥିଲା। ତଦନୁଯାୟୀ ଭାରତ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ ଓ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା।
ଭାରତୀୟ ସମ୍ବିଧାନର ଅସାଧାରଣ ବୈଶିଷ୍ଟ୍ୟ ହେଉଛି, ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ। ଅର୍ଥାତ୍‌ ଜନକଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଏହି ସମ୍ବିଧାନରେ ନାଗରିକଙ୍କ ଅଧିକାର, କର୍ତ୍ତବ୍ୟ, ଦାୟିତ୍ୱ ତଥା ଦେଶ ଶାସନର ବ୍ୟବସ୍ଥା ନିମିତ୍ତ ବିଭିନ୍ନ ଧାରାରେ ପୃଥକ୍‌ ପୃଥକ୍‌ ଭାବେ ବର୍ଣ୍ଣନା କରାଯାଇଛି। ସାତଜଣିଆ ଡ୍ରାଫ୍ଟିଙ୍ଗ୍‌ କମିଟିରେ ଡ. ବି. ଆର୍‌. ଆମ୍ବେଡକରଙ୍କୁ ସମ୍ବିଧାନର ମୁଖ୍ୟ ସ୍ଥପତି ଭାବେ ଅଳଂକୃତ କରା ଯାଇ ତାଙ୍କର ମାର୍ଗଦର୍ଶନରେ, ଦେଶର ଅଖଣ୍ଡତା ଓ ଧାର୍ମିକ ବିବିଧତା ମଧ୍ୟରେ ‘ସଧର୍ମ ସମାନତା’ ଗଣତାନ୍ତ୍ରିକ ରାଷ୍ଟ୍ର ଗଢ଼ିବାରେ ଯେଉଁ ଅତୁଳନୀୟ ଅବଦାନ, ଯାହା ତାଙ୍କୁ ସମ୍ବିଧାନର ପ୍ରାଣପ୍ରତିଷ୍ଠାତା ରୂପେ ବିଶ୍ୱ ଦରବାରରେ ପରିଚିତ କରାଇଛି।
ଗଣତନ୍ତ୍ର ଦିବସ ସମସ୍ତ ଭାରତୀୟଙ୍କୁ ଦେଶଭକ୍ତି, ରାଷ୍ଟ୍ରୀୟ ଗୌରବ ଓ ସ୍ବଚ୍ଛ ଶାସନର ବାର୍ତ୍ତା ଦେଇ ଆସୁଅଛି। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶ ପ୍ରୀତି ଜାଗ୍ରତ କରାଇବା ପାଇଁ ପ୍ରତି ବର୍ଷ ସରକାର ସବୁ ରାଜ୍ୟର କଳା ସଂସ୍କୃତିର ବିଭିନ୍ନ ପ୍ରଜ୍ଞାପନ ମେଢ଼ ସହ ଶୃଙ୍ଖଳାଗତ ଅଭ୍ୟାସକୁ ଜୀବନରେ ଉପଯୋଗ କରିବା ପାଇଁ ଜଳ, ସ୍ଥଳ ଓ ଆକାଶ ବାହିନୀର କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ପରେଡ୍‌ ବ୍ୟବସ୍ଥା କରି ସ୍ବାଧୀନତାର ବାର୍ତ୍ତାକୁ ଭାରତୀୟଙ୍କ ହୃଦୟରେ ପୁନଃ ଜାଗ୍ରତ କରାନ୍ତି। ଏବର୍ଷ କେନ୍ଦ୍ର ସରକାର ଇଣ୍ଡିଆ ଗେଟ୍‌ରେ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହଲୋଗ୍ରାମ ମୂର୍ତ୍ତି ସ୍ଥାପନ କରିଛନ୍ତି; ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ଏତଦ୍‌ ସହିତ ଆଉ ଏକ ନିଆରା ବ୍ୟବସ୍ଥା ସ୍ବରୂପ, ନ୍ୟାଶନାଲ ଗ୍ୟାଲେରି ଅଫ୍‌ ମଡର୍ନ ଆର୍ଟ ଦ୍ୱାରା ଆୟୋଜିତ କଳାକୁମ୍ଭ ଜରିଆରେ ବିଭିନ୍ନ ରାଜ୍ୟର ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସେତେବେଳର ସାମାଜିକ ସ୍ଥିତିର ବିଭିନ୍ନ ଦୃଶ୍ୟ, ଦେଶର ବଛା ବଛା ପାଞ୍ଚଶହ ଚିତ୍ରକରଙ୍କ ତୂଳୀରେ କାନ୍‌ଭାସ ଉପରେ ଜୀବନ୍ତ ଚିତ୍ର ପ୍ରଦର୍ଶନ, ଦେଶପ୍ରେମର ଏକ ଅନନ୍ୟ ପ୍ରୟାସ। ଏହାକୁ ଦେଖି ଆମେ ଆତ୍ମ ଚିନ୍ତନ କରିବା ଦେଶ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟ କେତେ?
ସାଧୀନତାର ସାତ ଦଶନ୍ଧି ପରେ ଅନେକ ପରିବର୍ତ୍ତନ ଘଟିଛି। ସ୍ବାଧୀନତା ସମୟରେ ଦେଶର ଜନସଂଖ୍ୟା ପ୍ରାୟ ୩୫ କୋଟି ଥିଲାବେଳେ ବର୍ତ୍ତମାନର ଜନସଂଖ୍ୟା ୧୩୫ କୋଟିରୁ ଊଦ୍ଧର୍‌ବ। ସେହିପରି ସାକ୍ଷରତା ହାର ତୁଳନାରେ ସେତେବେଳର ସ୍ଥିତି ଓ ଏବର ସ୍ଥିତି ମଧ୍ୟରେ ଆକାଶ ପାତାଳ ଫରକ। ଗମନାଗମନ, ନଦୀ ସଂଯୋଗୀକରଣ, ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଢେର ଅଗ୍ରଗତି କରିଛି।
ମୋଟ ଜାତୀୟ ଉତ୍ପାଦ ଓ ହାରାହାରି ଘରୋଇ ଉତ୍ପାଦ ସାଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ବିଶ୍ୱରେ ଧନିକ ଶ୍ରେଣୀ ରାଷ୍ଟ୍ରମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ହେଲେ ବିଶ୍ୱର ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ବର୍ତ୍ତମାନ ଗଣତନ୍ତ୍ର ବିପନ୍ନ ହୋଇଛି। ବ୍ୟକ୍ତି ସ୍ବାଧୀନତା ଉପରେ ଅଙ୍କୁଶ ଲଗାଯାଉଛି। ବାକ୍‌ ସ୍ବାଧୀନତା କ୍ଷୁଣ୍ଣ ହୋଇଛି। ଗଣତାନ୍ତ୍ରିକ ସ୍ବଚ୍ଛ ଶାସନ ବ୍ୟବସ୍ଥା ପରିବର୍ତ୍ତେ ଅନ୍ୟାୟ, ଅତ୍ୟାଚାର, ବଳାତ୍କାର, ଲୁଣ୍ଠନ, ଅସହିଷ୍ଣୁତା ଆଦି ଘୃଣ୍ୟ କାର୍ଯ୍ୟକଳାପ ଏକ ସାମାଜିକ ବ୍ୟାଧି ରୂପେ ଉଭା ହୋଇଛି। ଏହା କବଳରେ ସମଗ୍ର ଜନସମାଜ ଅସ୍ତବ୍ୟସ୍ତ। ଏତେ ବର୍ଷ ପରେ ମଧ୍ୟ ମଣିଷର ବୌଦ୍ଧିକ ଜ୍ଞାନରେ ସେମିତି କିଛି ପରିବର୍ତ୍ତନ ହୋଇନି। ମଣିଷ ପାଲଟିଛି ମଣିଷର ଶତ୍ରୁ। କେଉଁଠି ମଣିଷ ଖାଦ୍ୟରେ ଅପମିଶ୍ରଣ କରୁଛି ତ ଅନ୍ୟ କେହି ବିଭିନ୍ନ ପ୍ରଲୋଭନ ଦେଖାଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଭାନ କରାଇ ନେଉଛି। ସାଇବର କ୍ରାଇମ ଏବେ ସମାଜ ପାଇଁ ସମସ୍ୟା ସୃଷ୍ଟି କରିଛି।
ଗଣତାନ୍ତ୍ରିକ ଶାସନରେ ବ୍ୟବସ୍ଥାପକ, ନ୍ୟାୟପାଳିକା, ପ୍ରଶାସନ ଏବଂ ଗଣମାଧ୍ୟମର ଭୂମିକା ଅଧିକ। ହେଲେ ମୁଖ୍ୟଧାରାର ବହୁ ଗଣମାଧ୍ୟମ ଏବେ ନିରପେକ୍ଷତା ବାହାରେ। ଯେଉଁମାନେ ଶାସନର ତ୍ରୁଟିକୁ ଲୋକଲୋଚନକୁ ଆଣୁଛନ୍ତି ସେମାନଙ୍କୁ ଟାର୍ଗେଟ କରାଯାଉଛି। ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିବାବେଳେ ଶାସକ ଗୋଷ୍ଠୀ ବିରୋଧୀଙ୍କ ସ୍ବରକୁ ଦବାଇ ଦେଉଛି। ପ୍ରଶାସନ କଥା ନ କହିଲେ ଭଲ। ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଦୁର୍ନୀତି ବିହୀନ ପ୍ରଶାସନର ଗୁରୁଦାୟିତ୍ୱ ରହିଛି। ଏହାଦ୍ୱାରା ନାଗରିକଙ୍କ କଲ୍ୟାଣ ହେବା ସହ ବିଭିନ୍ନ ଯୋଜନାର ସୁବିନିଯୋଗ ଓ ସୁବଣ୍ଟନ ବ୍ୟବସ୍ଥା ସୁଚାରୂପେ ହୋଇଥାଏ। ହେଲେ ଏବେ ଏଥିତ୍ରେ ବ୍ୟତିକ୍ରମ ଚରମ ସୀମାରେ ପହଞ୍ଚିଛି। ବିନା ହାତ ଗୁଞ୍ଜାରେ କାଗଜ ଖଣ୍ଡିଏ ଗୋଟେ ଟେବୁଲରୁ ଆଉ ଗୋଟେ ଟେବୁଲକୁ ଯାଇ ପାରୁନାହିଁ । ବିଶେଷକରି ପଞ୍ଚାୟତ, ବ୍ଲକ ଆଦି ଅନ୍ୟାନ୍ୟ ସରକରୀ ଅଫିସରେ ପିସି କାରବାର ହେଉଥିବା, ସରକାରୀ ବାବୁଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହେବା ଏହାର ବଳିଷ୍ଠ ପ୍ରମାଣ। ଏହା ସତ୍ତ୍ୱେ ମଧ୍ୟ ଆମେ ପାଳୁଥିବା ଦୁର୍ନୀତି ନିବାରଣ ସପ୍ତାହ, ଧର୍ମକୁ ଆଖିଠାର ନୁହେଁ ତ ଆଉ କ’ଣ ? ନାଗରିକ ହିସାବରେ ଆମମାନଙ୍କ ଆଚରଣ, ବ୍ୟବହାର, ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଆମେ କେତେ ପରିପକ୍ୱ ତାହା ତର୍ଜମା କରିବାର ସମୟ ଉପନୀତ ହୋଇଛି।
ଗଣତନ୍ତ୍ର ବ୍ୟବସ୍ଥାର ପ୍ରକୃତ ଅର୍ଥ ହେଉଛି ସ୍ବଚ୍ଛ ଶାସନ ମାଧ୍ୟମରେ ଜନତାଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ଓ ଆବଶ୍ୟକତାକୁ ଅକ୍ଳେଶରେ ତାଙ୍କ ପାଖରେ ପହଞ୍ଚାଇବା। ଗଣତନ୍ତ୍ରର ବାସ୍ତବ ରୂପ ଏବେ ରାଜନୀତିରେ ପ୍ରକାଶ ପାଉଛି। ନିର୍ବାଚନର ଧାରା ବଦଳିବାରେ ଲାଗିଛି। ଶାସନ ହାତେଇବା ନିଶାରେ କେଉଁଠି ରାଜନେତାମାନେ ବିଜୁଳି ଦେୟ ଛାଡ଼ କରୁଛନ୍ତି ତ କେଉଁଠି ବାର୍ଦ୍ଧକ୍ୟ ଭତ୍ତା ଦୁଇଗୁଣ ବଢ଼ାଇବା ପ୍ରଲୋଭନ ଦେଖାଇ ଭୋଟ ହାସଲ କରି ନିର୍ବାଚନ ବୈତରଣୀ ପାର ହେଉଛନ୍ତି ।
ଏହା କ’ଣ ଗଣତନ୍ତ୍ରର ପ୍ରକୃତ ଆଭିମୁଖ୍ୟ?
ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ସାମ୍ପ୍ରଦାୟିକ ସଦ୍‌ଭାବନା ଏବେ ସଙ୍କଟରେ। ଭୋଟ ଦେବା ମୌଳିକ ଅଧିକାର ହୋଇଥିଲେ ମଧ୍ୟ ସେଥିରୁ ନାଗରିକଙ୍କୁ ବଞ୍ଚିତ କରାଯାଉଛି। ତେବେ ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଆତ୍ମଚିନ୍ତନ କରିବାର ସମୟ ଆସିଛି, ସୁସ୍ଥ ସମାଜ ଗଠନ ପାଇଁ ଆମକୁ ଅନେକ କିଛି କରିବାକୁ ପଡ଼ିବ। ସମ୍ବିଧାନର ଜନ୍ମ ତିଥିରେ ସଚ୍ଚା ନାଗରିକ ହିସାବରେ ଗୋଟିଏ କଥାରେ ଏକମତ ହେବା ‘ନୈତିକ ଶିକ୍ଷା’ ହିଁ ହେବ ସୁସ୍ଥସମାଜ ଓ ନବଭାରତ ଗଢ଼ିବାରେ ଏକ ଆଲୋକବର୍ତ୍ତିକା।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ
[email protected]


Enter your email to get our daily news in your inbox.

All Right Reserved By Dharitri.Com

ବୁଲାକୁକୁରଙ୍କ ସ୍ମାର୍ଟ ସହର

ପ୍ରଭାତ କୁମାର ଦାସ ବନେଶ୍ୱର ସ୍ମାର୍ଟ ସହର ହେଲା ପରେ ବୁଲାକୁକୁରଙ୍କ ସଂଖ୍ୟା ଆଶାତୀତ ଭାବରେ ବଢିଛି। ସରକାର ଏ ସହରକୁ ମଳମୁକ୍ତ ସହର ବୋଲି...

ଶେଷ ସର୍ବୋତ୍ତମ ଆଶା

ଇଂ. ମାୟାଧର ସ୍ବାଇଁ ବର୍ତ୍ତମାନ ପୃଥିବୀର ପରିବେଶଗତ ବଡ଼ ସମସ୍ୟା ହେଉଛି ଜଳବାୟୁ ପରିବର୍ତ୍ତନ। ଏଥିପାଇଁ ମନୁଷ୍ୟ ହିଁ ଦାୟୀ, ଏଥିରେ କୌଣସି ସନ୍ଦେହ ନାହିଁ।...

ଏଇ ଭାରତରେ

ସ୍କ୍ରାପରୁ ନୂଆଯନ୍ତ୍ର ତିଆରି କରି ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି ତେଲଙ୍ଗାନାର ଅଶୋକ ଗୋରେ। ଯେଉଁ ସମୟରେ ପଢ଼ା ଉପରେ ଧ୍ୟାନଦେବା କଥା ସେ ସମୟରେ ଅଶୋକ...

ଏଇ ଭାରତରେ

ମଧ୍ୟପ୍ରଦେଶର ଖପରଖେଦା ଗାଁର ମହିଳା ଚାଷୀ ଲକ୍ଷ୍ମୀ ପରଟେ ନିଜେ ଚାଷ କରିବା ସହ ୬ଟି ଗାଁର ଚାଷୀମାନଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ପ୍ରୋତ୍ସାହିତ...

ଜୈନ ଦର୍ଶନ ଓ କର୍ମବାଦ

ଡ. ଭାଗ୍ୟଲିପି ମଲ୍ଲ ବସନ୍ତର ମହୋତ୍ସବ। ଚତୁର୍ଦ୍ଦିଗରେ ବର୍ଣ୍ଣିଳ ସମାବେଶ। ପ୍ରକୃତିର ଅଙ୍ଗେ ଅଙ୍ଗେ ନବ ଉନ୍ମାଦନାର ଶିହରଣ। ଏହିଭଳି ଏକ କମନୀୟ ସକାଳରେ ପୃଥିବୀ...

ବାପଧନ! ବୁଢ଼ାକୁ ‘ବୁଢ଼ା’ ଡାକନି

ଡ. ନିଖିଳାନନ୍ଦ ପାଣିଗ୍ରାହୀ ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଜଗ ସୁରୈୟା(ଜନ୍ମ:୧୯୪୬) ଗୋଟିଏ ସ୍ତମ୍ଭରେ ଲେଖିଛନ୍ତି ”ବିଭିନ୍ନ ସୂତ୍ରରୁ ବାରମ୍ବାର ଆମକୁ ମନେପକାଇ ଦିଆଯାଉଛି ଯେ,...

ଏଇ ଭାରତରେ

ଝାଡ଼ଖଣ୍ଡର କନ୍ଦୋନି ସୋରେନଙ୍କ ଅଦମ୍ୟ ସାହସ ଓ ନିଷ୍ଠା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଲୋକେ ତାଙ୍କୁ କହୁଛନ୍ତି ‘ଜଙ୍ଗଲର ସିଂହୀ’। କନ୍ଦୋନି ତାଙ୍କ ଗାଁ...

ଏଇ ଭାରତରେ

ପନ୍ଦର ବର୍ଷ ବୟସରେ ସମସ୍ତଙ୍କୁ ପରିବେଶ ସୁରକ୍ଷାର ମନ୍ତ୍ର ଦେଉଛନ୍ତି ମହାରାଷ୍ଟ୍ରର ବରଦ କୁବଲ। ସେ ଆହତ ପକ୍ଷୀଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରିବା...

Advertisement
Archives

Model This Week