ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ସେମାନେ କୌଣସି ସ୍ଥାନରେ ଆଶ୍ରୟ ନେଇପାରୁ ନାହାନ୍ତି କିମ୍ବା ଖାଇବାକୁ ପାଉନାହାନ୍ତି। ଫଳରେ ଅନେକ କୁକୁରଙ୍କ ମୃତ୍ୟୁ ଘଟୁଛି। ଏଣୁ ବେଙ୍ଗାଲୁରୁରେ ବୁଲାକୁକୁରଙ୍କୁ ଖାଇବାକୁ ଦେଉଥିବା ବିଭିନ୍ନ ସଂସ୍ଥା ସେମାନଙ୍କ ସୁରକ୍ଷିତ ଆଶ୍ରୟ ପାଇଁ କାର୍ଡବୋର୍ଡ ବକ୍ସ ନିର୍ମାଣ କରୁଛନ୍ତି। ଏହି ବକ୍ସ ଉପରେ ତାରପୋଲିନ୍ ଲଗାଯାଉଛି। ଏହି ବକ୍ସକୁ ପାଚେରି ଗେଟ୍କଡ଼ରେ ବାହାର ପାଖକୁ ରଖାଯାଉଛି। ଫଳରେ ବର୍ଷା ସମୟରେ କୁକୁରମାନେ ନ ଭିଜି ଏହି ବକ୍ସ ଭିତରେ ରହୁଛନ୍ତି। ଗୋଟିଏ କାର୍ଡବୋର୍ଡ ବକ୍ସ ତିଆରି କରିବା ପାଇଁ ୫୦୦ ଟଙ୍କା ଖର୍ଚ୍ଚ ହେଉଛି। ଏହି ବକ୍ସ ଭିତରେ କୁକୁର ଶୋଇବା ଲାଗି ପୁରୁଣା ଗଦି କିମ୍ବା କମ୍ବଳ ରଖାଯାଉଛି। କୁୁକୁରଙ୍କ ପାଇଁ ବିସ୍କୁଟ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ କିମ୍ବା ଭାତ ସହ ଚିକେନ ଓ ଅଣ୍ଡା ସେହି କୁକୁରଙ୍କୁ ଖାଇବାକୁ ଦିଆଯାଉଛି। କେବଳ ଏତିକି ନୁହେଁ, କୁକୁରଙ୍କ ଯତ୍ନ ନେଉଥିବା ସଂସ୍ଥାଗୁଡ଼ିକ ପକ୍ଷରୁ ସେମାନଙ୍କ ବେକରେ ଉଜ୍ଜ୍ୱଳ ଫିତା ବନ୍ଧାଯାଉଛି। ଫଳରେ ବର୍ଷା ସମୟରେ ସହଜରେ ସେମାନଙ୍କୁ ଦେଖିହେଉଛି ଓ ଦୁର୍ଘଟଣା ରୋକାଯାଇ ପାରୁଛି।

