ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ସେତେବେଳେ ଏହି ଘଟଣା ଘଟିବା ପରେ ପରେ ଏକ ଘରୋଇ ଟିଭି ଚ୍ୟାନେଲରେ ଟପ୍ପର ହେବା ସମୟରେ ସେ ଦେଇଥିବା ସାକ୍ଷାତକାର ମୁଁ ଦେଖୁଥିଲି। ସେଥିରେ ସେ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ମୁଖ୍ୟତଃ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ସମେତ ସର୍ବାଙ୍ଗୀନ ଉନ୍ନତି ତାଙ୍କର ପ୍ରାଥମିକତା ରହିବ। ସମାଜର ଅନ୍ତିମ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଟି ପାଖରେ ପହଞ୍ଚି ତା’ର ନୂ୍ୟନତମ ଆବଶ୍ୟକତା ପୂରଣ କରିବା ପାଇଁ ସେ ସର୍ବଦା ତତ୍ପର ରହିବେ। ଏଥିସହିତ ଉନ୍ନତି ପଥରେ ଦୁର୍ନୀତି ଏକ ପ୍ରମୁଖ ବାଧା ବୋଲି ନିରୂପଣ କରିବା ସହିତ ଏହାର ମୂଳୋତ୍ପାଟନ ହେବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ହେଲେ ନିଜେ କହିଥିବା ଏହି କଥା କେଇପଦକୁ ସେ ରଖିପାରିଲେ ନାହିଁ ଏବଂ ପଦବୀ ଗ୍ରହଣ କରିବାର ମାତ୍ର କିଛି ବର୍ଷ ପରେ ନିଜେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇପଡ଼ିଲେ। କେବଳ ଏହି ଭଦ୍ରବ୍ୟକ୍ତିଙ୍କ କଥା କାହିଁକି, ଏଭଳି ହଜାର ହଜାର ଖବର ଆମେ ପ୍ରାୟତଃ ପ୍ରତିଦିନ ପଢ଼ୁଛେ, ଶୁଣୁଛେ ଓ ଦେଖୁଛେ। ଉଚ୍ଚଶିକ୍ଷିତ ପ୍ରଶାସନିକ ଅଧିକାରୀ, ପୋଲିସ, ଡାକ୍ତର, ଇଞ୍ଜିନିୟର୍‌, ଶିକ୍ଷକ, କିରାଣି ଆଦି ଲାଞ୍ଚ ନେବା ସହିତ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବାର ଖବର ପ୍ରାୟ ପ୍ରତିଦିନ ଖବରକାଗଜର ପୃଷ୍ଠାମଣ୍ଡନ କରୁଛି। ତେବେ ପ୍ରଶ୍ନ ଉଠୁଛି, ସମ୍ପ୍ରତି ଏଭଳି ଘଟଣା ବହୁଳ ପରିମାଣରେ କାହିଁକି ଘଟୁଛି? ଉଚ୍ଚଶିକ୍ଷିତ ବ୍ୟକ୍ତିଟିଏ ଏତେ ଉଚ୍ଚ ପଦପଦବୀରେ କାର୍ଯ୍ୟ କରିବା ସହିତ ଉଚ୍ଚବେତନ ପାଇବା ପରେ ମଧ୍ୟ କ’ଣ ଅଭାବ ରହୁଛି ଯେ ସେ ଏଭଳି ଏକ ଅପକର୍ମକୁ ପ୍ରଶ୍ରୟ ଦେଉଛି?
ଏଠାରେ ଉତ୍ତର ହେଉଛି ଅଭାବ ରହୁଛି ସଂସ୍କାରମୂଳକ ଶିକ୍ଷା। ସଂସ୍କୃତରେ ଏକ ଶ୍ଳୋକ ଅଛି- ବିଦ୍ୟା ଦଦାତି ବିନୟଂ ବିନୟାଦ ଯାତି ପାତ୍ରତାମ। ପାତ୍ରତ୍ୱାଦ ଧନମାପ୍ନୋତି ଧନାଦ ଧର୍ମଂ ତତଃ ସୁଖମ୍‌॥ ଏହାର ଭାବାର୍ଥ ହେଲା ପ୍ରକୃତ ବିଦ୍ୟା ମଣିଷକୁ ବିନମ୍ର କରେ, ବିନମ୍ରତାରୁ ଯୋଗ୍ୟତା ଆସେ ଏବଂ ଯୋଗ୍ୟତାରୁ ଧନ ଓ ଧର୍ମ ପ୍ରାପ୍ତି ହୋଇଥାଏ। ଯାହାଦ୍ୱାରା କି ସେ ସଫଳତା ହାସଲ କରେ ଏବଂ ପରମ ଶାନ୍ତି ଓ ସୁଖ ହାସଲ କରିଥାଏ। ପ୍ରକୃତ ଜ୍ଞାନ ବା ବିଦ୍ୟା ଗର୍ବ ଓ ଅହଙ୍କାର ନୁହେଁ, ବରଂ ମନରେ ବିନମ୍ରତା ଓ ସରଳତା ଆଣିଦିଏ। ଶିକ୍ଷାର ଅର୍ଥ କେବଳ ଶିକ୍ଷା ନୁହେଁ, ବରଂ କିଛି ଉନ୍ନତ ଚିନ୍ତା କରିବା ପାଇଁ ନିଜର ଧୀଶକ୍ତିକୁ କ୍ଷମତାସମ୍ପନ୍ନ କରାଇବା । ସୁଶିକ୍ଷା ଅନ୍ଧକାର ମଧ୍ୟରେ ଆଲୋକର ବର୍ତ୍ତିକା ସାଜେ, ନୈରାଶ୍ୟ ମଧ୍ୟରେ ଆଶାର ସଞ୍ଚାର ସାଜେ ଏବଂ ପଥଭ୍ରଷ୍ଟକୁ ପଥ ପ୍ରଦର୍ଶନ କରାଏ। ସମାଜରେ ସମ୍ମାନର ସହିତ ବଞ୍ଚିବାକୁ ହେଲେ ସୁଶିକ୍ଷାର ଅନ୍ୟ କୌଣସି ବିକଳ୍ପ ହିଁ ନାହିଁ।
ବିଦ୍ୟାର୍ଥୀମାନଙ୍କର ମସ୍ତିଷ୍କକୁ ଉର୍ବର ମସ୍ତିଷ୍କ କୁହାଯାଏ। ବିଦ୍ୟାର୍ଥୀ ସର୍ବଦା କଞ୍ଚାମାଟି ସଦୃଶ । ତାକୁ ଯେମିତି ଗଢ଼ାଯାଏ, ସେ ସେହିପରି ଭାବରେ ନିଜକୁ ଗଢ଼ିତୋଳିଥାଏ। ଏହି ଉର୍ବର ମସ୍ତିଷ୍କରେ ପ୍ରକୃତ ଜ୍ଞାନର ବୀଜରୋପଣ କରାଗଲେ ଚରିତ୍ର ଓ ସଂସ୍କାର ପ୍ରସ୍ଫୁଟିତ ହୋଇଥାଏ। କେବଳ ପୁସ୍ତକଗତ ଜ୍ଞାନ ଆହରଣ ସହିତ ଶିକ୍ଷାଗତ ପ୍ରମାଣପତ୍ର ହାସଲ କରିଦେଲେ ଯେ ଜଣେ ଯଥାର୍ଥ ଓ ବାସ୍ତବ ଶିକ୍ଷା ହାସଲ କରିଛନ୍ତି ବୋଲି କୁହାଯିବ ନାହିଁ। ଯେଉଁ ଶିକ୍ଷା ଜଣଙ୍କୁ ସମାଜରେ ସୁନାଗରିକ ହେବାପାଇଁ ଯୋଗ୍ୟତମ କରାଏ, ନିଃସ୍ବାର୍ଥପର ସେବା ସହିତ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରାଏ, ମାନବିକ ମୂଲ୍ୟବୋଧ ସମ୍ପନ୍ନ କରାଇବା ପାଇଁ ଆତ୍ମବିଶ୍ୱାସ ଯୋଗାଏ, ଗଚ୍ଛିତ ରଖିଥିବା ଶିକ୍ଷା ମାଧ୍ୟମରେ ସମାଜକୁ ସଂସ୍କାରବୋଧ କରାଇଥାଏ ଏବଂ ଆଗ୍ରହ ଅନୁଯାୟୀ କର୍ମ କରିବାକୁ ପ୍ରେରଣା ଯୋଗାଏ, ତାହାକୁ ପ୍ରକୃତ ଶିକ୍ଷା କୁହାଯାଏ।
କେବଳ ପୁସ୍ତକଗତ ଜ୍ଞାନ ଓ ଶିକ୍ଷାଗତ ପ୍ରମାଣପତ୍ରଯୁକ୍ତ ଶିକ୍ଷା ଆମ ଦେଶର ବ୍ୟବସ୍ଥାରେ ଚରମ ଦୁର୍ଗତି ସୃଷ୍ଟି କରିଛି। ଦେଶରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି, ଠକାମି, ପ୍ରତାରଣା, ଅତ୍ୟାଚାର, ବ୍ୟଭିଚାର, ଅମାନବିକତା ଏବଂ ନାରୀ ଓ ଶିଶୁ ନିର୍ଯାତନା ଆଦି ବୃଦ୍ଧି ପାଇବାରେ ଲାଗିଛି। ଏହାର ଏକମାତ୍ର କାରଣ ହେଲା ସୁଶିକ୍ଷାର ଅଭାବ। ତେଣୁ ବୃହଦାରଣ୍ୟକ ଉପନିଷଦରେ ଯଥାର୍ଥରେ କୁହାଯାଇଛି ଯେ ‘ତମସୋ ମା ଜ୍ୟୋତିର୍ଗମୟ’ ଅର୍ଥାତ୍‌ ମୋତେ ଅନ୍ଧକାରରୁ ବାହାର କରି ଆଲୋକ ଆଡ଼କୁ ନିଅନ୍ତୁ। ଜଣେ ପ୍ରକୃତ ଶିକ୍ଷକ ଅଜ୍ଞାନ ରୂପକ ଅନ୍ଧକାରରୁ ବାହାର କରି ଜ୍ଞାନର ଆଲୋକିତ ମାର୍ଗ ଆଡ଼କୁ ବାଟ କଢ଼ାଇ ନେବାରେ ସହାୟକ ହୁଅନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁସବୁ ଶିକ୍ଷକମାନଙ୍କ ଉପରେ ଏହି ସମାଜର ମେରୁଦଣ୍ଡକୁ ଗଢ଼ିତୋଳିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟପରାୟଣତା, ଦକ୍ଷତା, ନିଷ୍ଠା, ସତ୍ୟବାଦିତା, ସମ୍ବେଦନଶୀଳତା, ମୂଲ୍ୟବୋଧ ଓ ନୀତି-ନୈତିକତା ଉପରେ ସମ୍ପ୍ରତି ଅନେକାଂଶରେ ପ୍ରଶ୍ନ ଉଠୁଛି। କାରଣ ଆଜିର ଶିକ୍ଷା ବ୍ୟବସ୍ଥା ହୋଇଯାଇଛି ବ୍ୟବସାୟୀକରଣ। ଶିକ୍ଷକମାନେ ଶ୍ରେଣୀ ଗୃହର ପାଠପଢ଼ାକୁ ଗୌଣ କରି ଘରୋଇ ଟ୍ୟୁଶନ ଓ କୋଚିଂ ସେଣ୍ଟର୍‌ ପଦ୍ଧତି ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେଉଛନ୍ତି। ସମୂହ ସ୍ବାର୍ଥ ପରିବର୍ତ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ଫଳସସ୍ବରୂପ ପରୋକ୍ଷ ଭାବରେ ଶିକ୍ଷା ଓ ଶୈକ୍ଷିକ ବ୍ୟବସ୍ଥାର ଅଧୋପତନ ଘଟୁଛି, ଯାହାକି ସଂସ୍କାରମୂଳକ ଶିକ୍ଷାର ମୂଲ୍ୟବୋଧକୁ ହ୍ରାସ କରୁଛି।
କୁହାଯାଏ ଯେ, ଆଜିର ଶିଶୁ କାଲିର ଭବିଷ୍ୟତ। ଆଦର୍ଶ ନାଗରିକଟିଏ ହେବା ପାଇଁ ଉଭୟ ଶିକ୍ଷକ ଓ ଅଭିଭାବକମାନଙ୍କର ଗୁରୁଦାୟିତ୍ୱ ରହିଛି। ଶିକ୍ଷା ଓ ସଂସ୍କାର ପ୍ରତି ପ୍ରେରଣା କେବଳ ଜଣେ ଶିକ୍ଷକ ନୁହେଁ ବରଂ ଅଭିଭାବକଙ୍କର ପ୍ରଧାନ କର୍ତ୍ତବ୍ୟ। ଜଣେ ବ୍ୟକ୍ତିର ଘରୋଇ ସଂସ୍କାର ହିଁ ସମାଜରେ ପ୍ରତିଫଳିତ ହୋଇଥାଏ। ବ୍ୟକ୍ତିର ଚାଲିଚଳଣ, ଆଚାର ବ୍ୟବହାର, କଥାଭାଷା ଓ କ୍ରିୟାକଳାପ ଆଦି ଏକ ପରିବାରର ପଦମର୍ଯ୍ୟାଦା ଆଡ଼କୁ ଇଙ୍ଗିତ କରିଥାଏ। ମହାଭାରତର ଏକ ପର୍ଯ୍ୟାୟକୁ ଉଦାହରଣ ଭାବରେ ନିଅନ୍ତୁ। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପରି ଯୋଗ୍ୟତମ ବ୍ୟକ୍ତି, ଯିଏ କି କୁରୁବଂଶର ରାଜକୁମାର ତଥା ପାଣ୍ଡବ ଓ କୌରବଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ପାଣ୍ଡବମାନେ ଉଭୟ ଘରୋଇ ସଂସ୍କାର ଓ ଗୁରୁଙ୍କ ସୁଶିକ୍ଷା ଆଧାରରେ ସୁନା ପରି ଚମକି ଉଠିଲେ। ଅନ୍ୟ ପାର୍ଶ୍ୱରେ କୌରବମାନେ ଗୁରୁଙ୍କଠାରୁ ସୁଶିକ୍ଷା ପାଇଥିଲେ ସତ, ତେବେ ଘରୋଇ ସଂସ୍କାର ଅଭାବରୁ ସେମାନଙ୍କର ନୈତିକ ଅଧୋପତନ ଘଟିଥିଲା। ଫଳସ୍ବରୂପ ସେମାନଙ୍କ ବଂଶ ଧ୍ୱଂସ ହୋଇଗଲା। ତେଣୁ ଶିକ୍ଷା ଓ ସଂସ୍କାର ଉଭୟ ଉଭୟଙ୍କୁ ପରିପୂରକ ଏବଂ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ସୁଶିକ୍ଷିତ, ଦାୟିତ୍ୱବାନ, ଆତ୍ମସଂଯମୀ, ବିବେକସମ୍ପନ୍ନ, ସାଧାରଣ ବିଚାରଶକ୍ତି, ସମାଜ ତଥା ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଆଦର୍ଶ ନାଗରିକର ସର୍ବଶ୍ରେଷ୍ଠ ସଂଜ୍ଞା। ଆଦର୍ଶ ନାଗରିକଟିଏ ହିଁ ସୁଦୃଢ଼ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ। ନାଗରିକଟିଏ ଯଦି ନିଜେ ନିଜର ଅଧିକାର ପ୍ରତି ସଚେତନ ରୁହେ, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ରଖେ ତେବେ ଆମ ଏହି ସମାଜର ସମସ୍ତ ଦୁରବସ୍ଥା ହିଁ ଏକରକମ ବନ୍ଦ ହୋଇଯିବ ଏବଂ ରାଷ୍ଟ୍ରର ପ୍ରତ୍ୟକ୍ଷ ଭାବରେ ଉନ୍ନତି ହେବ।
ମନୁଷ୍ୟର ସହଜାତ ପ୍ରବୃତ୍ତି ମଧ୍ୟରେ ଲୋଭ, ମୋହ, କ୍ରୋଧ, କାମ, ଦ୍ୱେଷ, ଘୃଣା, ହିଂସା, ଅହଙ୍କାର ଆଦି ଥିବାବେଳେ ସହଜାତ ନିବୃତ୍ତି ମଧ୍ୟରେ ଦୟା, କ୍ଷମା, ପରୋପକାର, ସହନଶୀଳତା, ଧୈର୍ଯ୍ୟ, ସାଧୁତା, ନିରହଙ୍କାର ଆଦି ମନୋଭାବଗୁଡ଼ିକ ରହିଥାଏ। କେବଳ ଜଣେ ସଫଳତମ ବ୍ୟକ୍ତି ହେବା ପାଇଁ ନୁହେଁ, ବରଂ ଜଣେ ମୂଲ୍ୟବାନ ବ୍ୟକ୍ତି ହେବା ପାଇଁ ପ୍ରେରଣା ଯୋଗାଇବା ଶିକ୍ଷାର ପ୍ରକୃତ କାର୍ଯ୍ୟ। ଏଣୁ ଉପଯୁକ୍ତ ସଂସ୍କାରମୂଳକ ଶିକ୍ଷା ଦାୟିତ୍ୱବୋଧ ପ୍ରତି ଅଙ୍ଗୀକାରବଦ୍ଧ କରାଇବା ସହିତ ଏକ ସୁସ୍ଥ ସମାଜ ଓ ସୁଦୃଢ଼ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ।
ଅଠରଭାଗ, ପିପିଲି
ମୋ: ୯୮୧୮୮୪୭୮୦୬

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri