ସାହିତ୍ୟ ଓ ପରିବେଶ ବିଜ୍ଞାନ

ମଣୀନ୍ଦ୍ର କୁମାର ମେହେର

 

ଯେଉଁମାନେ ସାହିତ୍ୟର ନିଷ୍ଠାପର ପାଠକ ସେମାନେ ଜାଣନ୍ତି ଯେ ଅପରୂପ ପ୍ରାକୃତିକ ଶୋଭା ସମ୍ପଦର ବର୍ଣ୍ଣନା କାବ୍ୟ କବିତା ଗଳ୍ପ ଉପନ୍ୟାସ ଆଦିକୁ କିପରି ଚିତ୍ତାକର୍ଷକ କରିପାରିଛି। ଯେକୌଣସି ସାହିତ୍ୟ ଶିଳ୍ପୀ ନିଜ ଚତୁଃପାର୍ଶ୍ୱର ପରିବେଶ ପ୍ରତି ଥାଆନ୍ତି ଅତ୍ୟନ୍ତ ସଚେତନ। ସେଥିପାଇଁ ସାହିତ୍ୟରେ ପରିବେଶ ବର୍ଣ୍ଣନାର ବୈଚିତ୍ର୍ୟ ଆମେ ସହଜରେ ଲକ୍ଷ୍ୟ କରିପାରୁ। ଅତୀତରେ ପରିବେଶ ଯେପରି ସୁନ୍ଦର ଓ ମଣିଷ ନିମନ୍ତେ ହିତକର ଥିଲା ସେଥିରେ ଘଟିଛି ଦୁର୍ଭାଗ୍ୟଜନକ ପରିବର୍ତ୍ତନ। ସମ୍ପ୍ରତି ସମଗ୍ର ପୃଥିବୀ ଯେପରି ପ୍ରଦୂଷିତ ହୋଇଯାଇଛି ତାହାର ମୂଳ କାରଣ ହେଲା ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ଓ ସଭ୍ୟ ମଣିଷର ଅସଭ୍ୟ ଆଚରଣ। ଏ ପରିପ୍ରେକ୍ଷୀରେ ଆଜିର ପରିବେଶ ବିଜ୍ଞାନୀମାନେ ଯେଉଁ ଭବିଷ୍ୟତର ଭୟାବହ ଚିତ୍ର ଉପସ୍ଥାପନ କରୁଛନ୍ତି ତାହା ମନୁଷ୍ୟ ସଭ୍ୟତାର ବିଲୁପ୍ତି ସୂଚକ ବର୍ଣ୍ଣନା। ପୂର୍ବପରି ଆମର ନଦୀ, ସମୁଦ୍ର, ହ୍ରଦ, ଜଳାଶୟ ଆଉ ସ୍ବଚ୍ଛ ଓ ପବିତ୍ର ହୋଇ ରହିନାହିଁ। କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏସବୁକୁ ବିଷାକ୍ତ କରିପକାଇଛି। ଯେଉଁଠି କୋଇଲା ଖନନ କାର୍ଯ୍ୟ ବ୍ୟବସାୟିକ ଦୃଷ୍ଟିରୁ ମଣିଷକୁ ସମ୍ପତ୍ତିଶାଳୀ କରିଛି ସେଇଠି ମାଟି ତଳେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବରେ ଚିହ୍ନିତ। ଆମର ଲକ୍ଷ ଲକ୍ଷ ବୃକ୍ଷଲତା କିପରି ପରିଶୁଦ୍ଧ ଅମ୍ଳଜାନ ସୃଷ୍ଟି କରନ୍ତି ତାହା କିଏ ବା ନ ଜାଣେ। ଏସବୁ ସତ୍ତ୍ୱେ ଯେପରି ଜାଙ୍ଗଲିକ ସୁଷମାକୁ ଧ୍ୱସ୍ତବିଧ୍ୱସ୍ତ କରିଦିଆଯାଉଛି ଓ ସବୁଜିମାଭରା ପାହାଡ଼ ପର୍ବତକୁ ଧ୍ୱଂସ ମୁଖକୁ ଠେଲି ଦିଆଯାଉଛି ତାହା ଉଦ୍‌ବେଗଜନକ ।
ଏ ସବୁ ସମ୍ପର୍କରେ ପରିବେଶ ବିଜ୍ଞାନୀମାନେ ଗବେଷଣା କରିବା ଓ ସେହି ଗବେଷଣାର ସାରମର୍ମ ସମାଜ ଆଗରେ ଉପସ୍ଥାପନ କରିବା ସେମାନଙ୍କ କର୍ତ୍ତବ୍ୟ। କବି, ଲେଖକ ଓ ସାହିତ୍ୟଶିଳ୍ପୀ ଏହି ପରିବେଶର ଧ୍ୱଂସଲୀଳାରେ ଆଜି ଯେପରି ଆହତ ବେଦନାଦଗ୍ଧ ଓ ଅଶ୍ରୁସ୍ନାତ ତାହା ବର୍ଣ୍ଣନା କରିହେବ ନାହିଁ। ପୂର୍ବରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ ରଚିତ ହେଉଥିଲା ଶ୍ରେଷ୍ଠ କାବ୍ୟକବିତା। ବର୍ତ୍ତମାନ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ହେଉଥିବା ଅବିବେକିତାପୂର୍ଣ୍ଣ ନିର୍ଦ୍ଦୟ ଆକ୍ରମଣ ହେଉଛି ସାହିତ୍ୟର ବିଷୟବସ୍ତୁ। ଏହି ପ୍ରକାରର ସାହିତ୍ୟକୁ କେନ୍ଦ୍ରକରି ଯେଉଁ ନୂତନ ସମାଲୋଚନା ବିଭାଗ ମଧ୍ୟ ସୃଷ୍ଟି ହୋଇଛି ତାହାକୁ କୁହାଯାଉଛି ପରିବେଶ ତାତ୍ତ୍ୱିକ ସମାଲୋଚନା ବା ଇଂଲିଶରେ Eco Criticism। ଏହି ବିଷୟ ଭିତ୍ତିରେ ଗବେଷଣା ମଧ୍ୟ କମ୍‌ ହେଉନାହିଁ ଉଭୟ ବିଜ୍ଞାନ ଓ ସାହିତ୍ୟ ଜଗତରେ। ଗବେଷକମାନେ ଉଚ୍ଚତର ଡିଗ୍ରୀ ଲାଭକରିବା ସ୍ବାଭାବିକ। ମାତ୍ର ପରିବେଶ ସୁରକ୍ଷା ସକାଶେ ଯେପରି ସଚେତନତା ପ୍ରକାଶ ପାଇବା ଜରୁରୀ- ତାହା ହୋଇପାରୁନାହିଁ।
ବୃକ୍ଷଲତା କେବଳ ଯେ ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରଖନ୍ତି ସେତିକି ନୁହେଁ; ସେମାନେ ମଣିଷ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ପଣ୍ଡିଚେରୀର ଶ୍ରୀମା ତାଙ୍କ ବକ୍ତବ୍ୟରେ ଏକଦା ପ୍ରକାଶ କରିଥିଲେ ଯେ ଏକ ବିଶାଳ ବୃକ୍ଷ ଛାୟାରେ କେହି ଯଦି ଆଶ୍ରୟ ଗ୍ରହଣ କରେ ସେ ମର୍ମେ ମର୍ମେ ଏହା ଅନୁଭବ କରିପାରିବ ଯେ ବୃକ୍ଷଟିର ଶାଖା ପ୍ରଶାଖା ଆଉ ପ୍ରତ୍ୟେକଟି ପତ୍ରରୁ ଶାନ୍ତିର ଶୀତଳତା କିପରି ତାକୁ ସ୍ପର୍ଶ କରୁଛି ଓ ତାହାର ଅଶାନ୍ତ ଉତ୍ତପ୍ତ ମନରେ ଅକଳ୍ପନୀୟ ଶାନ୍ତି ସଞ୍ଚାର କରିପାରୁଛି। ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗାଳ୍ପିକ ମନୋଜ ଦାସ ‘ପର୍ବତ’ ଶୀର୍ଷକରେ ଲେଖିଛନ୍ତି ଏକ ପ୍ରେରଣାଧର୍ମୀ ବଳିଷ୍ଠ ଗଳ୍ପ। ସେଥିରେ ଦର୍ଶାଇ ଦିଆଯାଇଛି ଯେ ଯିଏ ପର୍ବତ ଧ୍ୱଂସ କରୁଛି ସେ ଯୁକ୍ତି କରୁଛି-”ମୁଁ ଆଇନର ଅନୁମତି ନେଇ ପର୍ବତ ଭାଙ୍ଗୁଛି।“ ଗଳ୍ପନାୟକ ଏହାର ପ୍ରତିବାଦ କରିଛି ଶାଣିତ ଶବ୍ଦରେ। ସେ କହୁଛି- ଆଇନ ଅନୁସାରେ ତମେ ପର୍ବତ ଭାଙ୍ଗି ଦେଇପାରିବ। କିନ୍ତୁ ସେହି ଆଇନ ଅନୁଯାୟୀ ଏକ ନୂତନ ପର୍ବତ ତୁମେ ପ୍ରତିଷ୍ଠା କରିପାରିବ କି? ଯେଉଁମାନେ ଏ ପ୍ରକାରର ଧ୍ୱଂସାତ୍ମକ କାର୍ଯ୍ୟ ସହିତ ଜଡ଼ିତ ସେମାନେ ତାଙ୍କର ବଳକା ଅର୍ଥର ବିନିଯୋଗ କିପରି କରନ୍ତି? ମନୋଜଙ୍କ ଗଳ୍ପନାୟକ ପ୍ରତିପାଦନ କରିଦେଇଛି ଯେ ଏପରି ନିଷ୍ଠୁର ବ୍ୟବସାୟୀମାନେ ଅଧିକ ମୂଲ୍ୟର ବିଦେଶୀ ମଦ୍ୟପାନଠାରୁ ଆଉ କିଛି ମହତ କାମ କରିବା ଅସମ୍ଭବ। ପରିବେଶର ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରଖିବା ପାଇଁ ସାହିତ୍ୟ ଶିଳ୍ପୀର ହୃଦୟ କେତେ ମନ୍ଥିତ ତାହା ଏପରି ଗଳ୍ପରୁ ସ୍ବତଃ ସୂଚିତ ହୋଇଯାଏ। ‘କେତେ ଦିଗନ୍ତ’ ପୁସ୍ତକରେ ଜଣେ ବୈଜ୍ଞାନିକ ଏକ ନଦୀକୁ ସୁନିର୍ମଳ ଓ ପବିତ୍ର ବୋଲି ଯେତେବେଳେ ପ୍ରମାଣ କରିଛନ୍ତି, ସେତେବେଳେ ସେ ଅଞ୍ଚଳର ଲୋକ-ଶକ୍ତି ତାଙ୍କୁ ଅର୍ପଣ କରିଛନ୍ତି ସଶ୍ରଦ୍ଧ ସମ୍ବର୍ଦ୍ଧନା। କେତେକାଳ ବିତିଯିବା ଅନ୍ତେ ସେହି ନିର୍ଦ୍ଦିଷ୍ଟ ନଈଟି ଯେପରି ବିଷାକ୍ତ ହୋଇଯାଇଛି ତାହା ଯେତେବେଳେ ଉକ୍ତ ବୈଜ୍ଞାନିକ ଦର୍ଶାଇ ଦେଇଛନ୍ତି ସେତେବେଳେ ସେ ଅଞ୍ଚଳର ଲୋକ ସମାଜ ତାଙ୍କ ପ୍ରତି ପ୍ରଦର୍ଶନ କରିଛି ଠିକ୍‌ ବିପରୀତ ଆଚରଣ।
ପରିବେଶ ଧ୍ୱସ୍ତବିଧ୍ୱସ୍ତ ହେବା ଫଳରେ ପରିବେଶ ବିଜ୍ଞାନୀମାନେ ଯେପରି ବେଦନାରତ, କବି ଓ ଲେଖକବୃନ୍ଦ ମଧ୍ୟ ସେପରି ଆଘାତପ୍ରାପ୍ତ। ପରିବେଶ ବିଜ୍ଞାନୀ ଯେଉଁ ଅପ୍ରିୟ ସତ୍ୟ ଉଦ୍‌ଘାଟନ କରିଦିଏ ସାହିତ୍ୟ ଶିଳ୍ପୀ ତାହାକୁ ଭିତ୍ତିକରି ରଚନା କରେ ପାଠକ ହୃଦୟକୁ କମ୍ପିତ କରିବା ପରି ହୃଦୟସ୍ପର୍ଶୀ ରଚନା। ପରିବେଶ ବିଜ୍ଞାନୀ ସତ୍ୟ ତଥ୍ୟ ପରିବେଷଣ କରୁଥିବା ବେଳେ ସାହିତି୍ୟକମାନେ ସେହି ତଥ୍ୟ ଆଶ୍ରୟରେ ଏପରି ଆବେଗଧର୍ମୀ କବିତା, ଗଳ୍ପ ବା ପ୍ରବନ୍ଧ ରଚନା କରନ୍ତି, ଯାହା ପ୍ରତ୍ୟେକ ପାଠକ ଆତ୍ମାରେ ସୃଷ୍ଟିକରେ ପରିବେଶ ସୁରକ୍ଷା ନିମିତ୍ତ ଗଭୀର ପ୍ରେରଣା। ବିଜ୍ଞାନ ଆମକୁ ପ୍ରଦାନ କରେ ତଥ୍ୟ। ସାହିତ୍ୟ ତାହାକୁ ଆଧାର କରି ସୃଷ୍ଟି କରିପାରେ ଆବେଗର ତୀବ୍ରତା। ଏ କ୍ଷେତ୍ରରେ ତେଣୁ କାହାକୁ ଉତ୍କୃଷ୍ଟ ବା ନିକୃଷ୍ଟ ବିଚାର କରିବା ଆଦୌ ପ୍ରାସଙ୍ଗିକତା ରଖେ ନାହିଁ। ବୈଜ୍ଞାନିକ ଓ ସାହିତି୍ୟକ ଉଭୟେ ପରିବେଶର ସୌନ୍ଦର୍ଯ୍ୟ ଫେରାଇ ଆଣିବା ନିମିତ୍ତ ଯେପରି ପ୍ରତିଶ୍ରୁତିବଦ୍ଧ ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ।
ଏହାର ବିପରୀତ ଘଟଣା ମଧ୍ୟ ଆମକୁ ବ୍ୟଥିତ କରିଦିଏ। ପରିବେଶ କଳୁଷିତ କରିବାରେ ଯେଉଁ ବୈଜ୍ଞାନିକ ବା ସାହିତି୍ୟକମାନଙ୍କ ଭୂମିକା ରହିଛି, ତାହାକୁ ଅଣଦେଖା କରାଯାଇପାରିବ ନାହିଁ। ବିବେକହୀନ ବୈଜ୍ଞାନିକ ଓ ଲକ୍ଷ୍ୟଭ୍ରଷ୍ଟ ଲେଖକମାନେ ହିଁ ଏପରି ପ୍ରଦୂଷଣ ନିମନ୍ତେ ଦାୟୀ। ବୈଜ୍ଞାନିକ ଗବେଷଣା ନାମରେ ଯେଉଁମାନେ ମଣିଷ ଜାତିର କ୍ଷତି ସାଧନ କରିପାରନ୍ତି ଓ ସାହିତ୍ୟ ନାମରେ ଯେଉଁମାନେ ଅସାହିତି୍ୟକ ବାତାବରଣ ସୃଷ୍ଟି କରି ଅପସଂସ୍କୃତିର ପ୍ରସାର କରନ୍ତି ସେମାନଙ୍କୁ ଆତ୍ମଘାତୀ, ଦେଶଦ୍ରୋହୀ, ମାନବବିରୋଧୀ, ବିବେକଶୂନ୍ୟ ବୋଲି ବର୍ଣ୍ଣନା କଲେ ମଧ୍ୟ ଯଥେଷ୍ଟ ହେବ ନାହିଁ।
ତେଣୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଯେପରି ସଚ୍ଚୋଟ ବୈଜ୍ଞାନିକ ନିଜ ଗବେଷଣାରେ ଅଙ୍ଗୀକାରବଦ୍ଧ, ସାହିତି୍ୟକ ମଧ୍ୟ ସେଭଳି ସାମାଜିକ ପ୍ରତିବଦ୍ଧତାରେ ହେଉଛି ପ୍ରକୃତରେ ମାନବବାଦୀ ଓ ଜୀବନବାଦୀ। ବୈଜ୍ଞାନିକ ବା ସାହିତି୍ୟକ ଏମାନେ କେବଳ ମଣିଷ ଜାତି ପାଇଁ ଚିନ୍ତିତ ସେତିକି ନୁହେଁ; ସେମାନେ ଜୀବଜଗତର ଭାରସାମ୍ୟ ଅତୁଟ ରଖିବା ପାଇଁ ମଧ୍ୟ ସମ୍ବେଦନଶୀଳ। ଏ ପୃଥିବୀରେ ବୃକ୍ଷଲତା, ପାହାଡ଼ ପର୍ବତ, ନଦୀଝରଣା, ଜୀବଜନ୍ତୁ ତଥା ମଣିଷ ସମସ୍ତେ ସୁରକ୍ଷିତ ଓ ସୁସ୍ଥ ରହିବା ଦ୍ୱାରା ହିଁ କଲ୍ୟାଣମୟ ଜୀବନଧାରାକୁ ଅନାହତ ରଖାଯାଇପାରିବ। ପରିବେଶ ବିଜ୍ଞାନୀ ଓ ସୌନ୍ଦର୍ଯ୍ୟ ସନ୍ଧାନୀ ଲେଖକଙ୍କ ପୃଥିବୀବାସୀଙ୍କ ପ୍ରତି ପ୍ରକାଶିତ ବାର୍ତ୍ତାକୁ ଗଭୀରତାର ସହିତ ଗ୍ରହଣ କରିବାର ଓ ପାଳନ କରିବାର ଜୀବନ-ନିଷ୍ଠା ଆଜି ଆମର ଏକାନ୍ତ କାମ୍ୟ।
ପ୍ରଫେସର ଓ ବିଭାଗ ମୁଖ୍ୟ
ସ୍ନାତକୋତ୍ତର ଭାଷ୍ୟ ଓ ସାହିତ୍ୟ ବିଭାଗ
ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?