ବିଜ୍ଞାନରେ ମିଛ ମାୟା

ଡ. ନରେନ୍ଦ୍ର ସେଠୀ

ପ୍ରାଚୀନ ଭାରତୀୟ ସନାତନ ଧର୍ମରେ କୁହାଯାଇଛି ‘ମିଛ ମାୟାର ସଂସାର, କେହି ନୁହେଁ କାହାର’ ବା ସଂସାରରେ ସବୁ ହେଉଛି ଏକ ମାୟା ଓ କ୍ଷଣସ୍ଥାୟୀ। ଆମେ ଏହାକୁ ଏକ ପୁରାତନ ଢଗଢମାଳି କହିପାରୁ ନଚେତ୍‌ ଜଣେ ପାଗଳ ସନ୍ନ୍ୟାସୀଙ୍କ ସାଧାରଣ ଗୀତ କହିପାରୁ। ମାତ୍ର କଥାଟା ସେଇଆ ନୁହେଁ। ଏହାର ତାତ୍ପର୍ଯ୍ୟ ସେ ମହାନ୍‌ ସନ୍ନ୍ୟାସୀ ଜଣକ କେମିତି ହଜାର ହଜାର ବର୍ଷ ତଳେ ହୃଦୟଙ୍ଗମ କଲେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କାରଣ ହେଲା ଆଧୁନିକତମ ଶୃଙ୍ଖଳ ବିଜ୍ଞାନ ତତ୍ତ୍ୱ(String Theory ) ଅନୁସାରେ ଆମେ ଯେତେବେଳେ କୌଣସି ଜିନିଷକୁ ଦେଖୁ ତାହାର ବ୍ୟବହାର ବଦଳିଯାଏ ବା ଏକ ଜିନିଷର ପ୍ରକୃତି ତାକୁ କେହି ଦେଖୁଛି ନା ନାହିଁ ତାହା ଉପରେ ନିିର୍ଭର କରେ। ଅନ୍ୟ ଅର୍ଥରେ ବାସ୍ତବିକତା ଏକ ଭ୍ରମ ମାତ୍ର ଓ ଏହା କେବଳ ସତ ଲାଗେ ଆମେ ଯେତେବେଳେ ଏହାକୁ ଦେଖୁ। ଅର୍ଥାତ୍‌ ଆମ ଦେଖିବା ଓ ନ ଦେଖିବା ଉପରେ ଜିନିଷର ଅବସ୍ଥିତି ନିର୍ଭରକରେ ବା ଆମେ ନ ଦେଖିଲା ସମୟରେ ହୁଏତ ଜିନିଷ ଭଳି କିଛି ବସ୍ତୁ ନ ଥାଏ। ଶୃଙ୍ଖଳ ବିଜ୍ଞାନର ଏହି ତଥ୍ୟ ଅନୁସାରେ ସଂସାରର ସବୁ ଜିନିଷ ମିଛ ବା ମାୟା ସଦୃଶ। ତେଣୁ ଶୃଙ୍ଖଳ ତଥ୍ୟ ଆମକୁ ଏକବିଂଶ ଶତାବ୍ଦୀରେ କହିଲା ଯେ ‘ସବୁ ମିଛ ମାୟା’ ଯାହା ସେହି ସନ୍ନ୍ୟାସୀ ତାଙ୍କ ଗୀତରେ କହିଯାଇଥିଲେ। ତା’ହେଲେ ଏହି ସଂସାର ଓ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ କ’ଣ ମିଛ ? ଏହି ବ୍ରହ୍ମାଣ୍ଡର ଏତେଦିନ ତିଷ୍ଠି ରହିବା କ’ଣ ଏକ ଭାଗ୍ୟ ? ବିଜ୍ଞାନ ଅନୁସାରେ ଏହି ବ୍ରହ୍ମାଣ୍ଡର ତିଷ୍ଠିରହିବା ଏକ ‘ମିଥ୍ୟା ଶୂନ୍ୟସ୍ଥାନ ଉପବାଦ୍ୟ’ (False vacuum theory) ଉପରେ ପର୍ଯ୍ୟବସିତ ଯାହାକୁ ଅଧିକ ଆଲୋଚନା କରିବା ଦ୍ୱାରା ମନରେ କୋକୁଆଭୟ ସୃଷ୍ଟିକରେ।
ବିଜ୍ଞାନର ମୌଳିକ ନିୟମ ଅନୁସାରେ ଏକ ଭୌତିକ ପ୍ରଣାଳୀ ଯେମିତିକି ଆମ ବ୍ରହ୍ମାଣ୍ଡ ନିଜର ବଳକା ଶକ୍ତି କୌଣସି ଉପାୟରେ ତ୍ୟାଗକରି ସବୁବେଳେ ସର୍ବନିମ୍ନ ଶକ୍ତି ସ୍ଥିତିରେ ରହିବାକୁ ଚେଷ୍ଟା କରିଥାଏ। କିନ୍ତୁ ଗତାନୁଗତିକ ଶାସ୍ତ୍ରୀୟ ପଦାର୍ଥ ବିଜ୍ଞାନ ଅନୁସାରେ ଏକ ଭୌତିକ ପ୍ରଣାଳୀ ନିମ୍ନ ଶକ୍ତି ସ୍ଥିତିରେ ପହଞ୍ଚି ସାରିଥିଲେ ମଧ୍ୟ ସେଠାରୁ ଆହୁରି ଏକ ନିମ୍ନତର ଶକ୍ତି ଥିବା ସ୍ଥିତି ସମ୍ଭବ ଓ ଏହା ସେଠାକୁ ଯିବାକୁ ସର୍ବଦା ଚେଷ୍ଟା କରିବ। ଏହାକୁ ଏକ ଉଚ୍ଚ ପାହାଡ଼ ପାଖରେ ଥିବା ଛୋଟ ଉପତ୍ୟକାକୁ ବଲ୍‌ ଗଡ଼ିଯାଉଥିବା ସଙ୍ଗେ ତୁଳନା କରି ବୁଝାଯାଇପାରେ। ଯଦି ବଲ୍‌ଟି ଛୋଟ ସମତଳ ଉପତ୍ୟକାରୁ ବାହାରକୁ ଯିବ ତା’ହେଲେ ଏହା ପାହାଡ଼ ଠାରୁ ଆହୁରି ଦୂରକୁ ଗଡ଼ିଯିବ। କିନ୍ତୁ ରୋଚକ କଥା ହେଲା ବଲ୍‌କୁ ଉପତ୍ୟକାରୁ ବାହାରିବା ପାଇଁ କୌଣସି ବାଟ ମିଳୁନି। ତେଣୁ ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେହି ଉପତ୍ୟକାରେ ରହିବ। ଠିକ୍‌ ସେମିତି ଆମର ବ୍ରହ୍ମାଣ୍ଡ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏମିତି ତିଷ୍ଠି ରହିଛି। ଅର୍ଥାତ୍‌ ଯେଉଁଦିନ ପାହାଡ଼ ପାଖ ଛୋଟିଆ ଉପତ୍ୟକାରୁ ଆହୁରି ନିମ୍ନ ଇଲାକାକୁ ଯିବାକୁ ବାଟ ମିଳିଯିବ ସେଦିନ ବ୍ରହ୍ମାଣ୍ଡ ବର୍ତ୍ତମାନର ସ୍ଥିତିକୁ ତ୍ୟାଗକରିବ ଓ ଏହାର ଧ୍ୱଂସହେବା ଆରମ୍ଭ ହୋଇଯିବ। ବିଜ୍ଞାନର ଏହି ସଦ୍ୟତମ ‘ମିଥ୍ୟା ଶୂନ୍ୟସ୍ଥାନ’ ତଥ୍ୟ ନିଶ୍ଚୟ ଭୟାବହ ଓ ମନରେ ଆଶଙ୍କା ତିଆରି କରୁଛି ଏଥିରେ ସନ୍ଦେହ ନାହିଁ। ସେହିପରି ଭୌତିକ ବିଜ୍ଞାନର ଶୃଙ୍ଖଳ ତଥ୍ୟକୁ ଯଦି ବିଚାରକୁ ନିଆଯାଏ ତା’ହେଲେ ମଧ୍ୟ ଏହି ବ୍ରହ୍ମାଣ୍ଡ ଏକ ମିତସ୍ଥାୟୀ ଅବସ୍ଥାରେ ଅଛି ବା ଏହା ଯେଉଁ ଅବସ୍ଥାରେ ଅଛି ତାହା ଏକ ଅସ୍ଥାୟୀ ଅବସ୍ଥା। ଅର୍ଥାତ୍‌ ବ୍ରହ୍ମାଣ୍ଡ ଯେକୌଣସି ସମୟରେ ଏକ ନିମ୍ନ ସ୍ତରକୁ ଯାଇପାରେ ଓ ଯଦି ଏହା ହୁଏ ଏହା ବିନାଶର କାରଣ ହେବ ଓ ସବୁ ଧ୍ୱଂସପାଇଯିବ। ସତରେ କେଡ଼େ ସାମଞ୍ଜସ୍ୟ ବିଜ୍ଞାନ ଓ ଆଧ୍ୟାତ୍ମର ଏହି ତଥ୍ୟରେ! କିନ୍ତୁ ସୌଭାଗ୍ୟର କଥା ଯେ ଆସନ୍ତା କିଛି କୋଟି ବର୍ଷ ପାଇଁ ଏହି ଅବସ୍ଥା ଆସିବା ସମ୍ଭାବନା ନାହିଁ।
ମଣିଷର ଜୀବନକାଳ ସୀମିତ। ଗ୍ଲୋବାଲ ୱାର୍ମିଂ ଏବଂ ପ୍ରଦୂଷଣଜନିତ ଅନେକ ବିପଦରୁ ମାନବିକତାକୁ ରକ୍ଷା କରିପାରିବା କ୍ଷମତା ବିଜ୍ଞାନ ରଖିଛି। ଏପରିକି ମହାଜାଗତିକ ବିକିରଣ ଭଳି ମାନବ ସଭ୍ୟତାକୁ ସମାପ୍ତ କଲା ପରି ବିପଦକୁ ମଧ୍ୟ ସଫଳତାର ସହିତ ମୁକାବିଲା କରାଯାଇପାରେ ଯଦି ପର୍ଯ୍ୟାପ୍ତ ସମୟ ଦିଆଯାଏ। କିନ୍ତୁ ଅଦୃଶ୍ୟ ଭାବରେ ଆମ ପୃଥିବୀ ସହିତ ସମଗ୍ର ଆକାଶଗଙ୍ଗାକୁ ଧ୍ୱଂସ କଲା ପରି କ୍ଷମତା ରଖିଥିବା ଏକ ପ୍ରଚଣ୍ଡ ମହାଜାଗତିକ ବିକିରଣ ଯଦି ଝଡ଼ ରୂପରେ ମାଡି ଆସେ ତେବେ କ’ଣ ହେବ ? କିଛି ଚିନ୍ତା କରିବାର ନାହିଁ, ସବୁ ମିଛ ମାୟାର ସଂସାର !!! ଅନ୍ୟପକ୍ଷରେ ଯାହା ଆମପାଇଁ କୋଟି କୋଟି ବର୍ଷ ଲାଗୁଛି ତାହା ବ୍ରହ୍ମାଣ୍ଡ ପାଇଁ ଏକ ସ୍ବଳ୍ପ ସମୟ। ଏହି ବ୍ରହ୍ମାଣ୍ଡ ୧୪ଶହ କୋଟି ବର୍ଷ ପୂର୍ବେ ତିଆରି ହୋଇଥିଲା ଓ ପୃଥିବୀର ସୃଷ୍ଟି ସାଢ଼େ ୪ଶହ କୋଟି ବର୍ଷ ପୂର୍ବରୁ ହୋଇଥିଲା ବୋଲି ବିଜ୍ଞାନ ମତ ଦିଏ। ଏହି ସମୟ ଭିତରେ ଜଣେ ମଣିଷର ଆୟୁ ସ୍ବଳ୍ପ ଓ ଅସ୍ଥାୟୀ ହୋଇଗଲାଣି। ମାନବ ଇତିହାସର ଏପର୍ଯ୍ୟନ୍ତ ଉଠା ଯାଇଥିବା ସବୁଠୁ କୌତୂହଳ ଫଟୋ ମଧ୍ୟରେ ୧୯୯୦ରେ ନାସାର ଭୟେଜର-୧ ଉପଗ୍ରହ ପୃଥିବୀର ୬୫୦ କୋଟି କିଲୋମିଟର ଉପରେ ଥାଇ ନେଇଥିବା ଫଟୋରେ ପୃଥିବୀ ମହାକାଶରେ ଗ୍ରହ, ଉପଗ୍ରହ, ତାରାପୁଞ୍ଜମାନଙ୍କ ମଧ୍ୟରେ ଭାସୁଥିବା ଏକ ନୀଳବିନ୍ଦୁ ସଦୃଶ ଦେଖାଯାଇଥିଲା। ଏକ ଫଟୋକୁ ଦେଖି ଆମେରିକୀୟ ମହାକାଶ ଚାରିକାର୍ଲ ସାଗାନ ତାଙ୍କ ପୁସ୍ତକ ‘Pale Blue Dot’ ରେ ଲେଖିଛନ୍ତି, ଆମ ପୃଥିବୀ ସମଗ୍ର ବ୍ରହ୍ମାଣ୍ଡ ଭିତରେ ଏକ ଛୋଟିଆ ଫିକା ନୀଳ ବିନ୍ଦୁ ସଦୃଶ। ଅର୍ଥାତ୍‌ ଆମର ଅବସ୍ଥିତି, ପ୍ରତିପତ୍ତି ଓ ଗର୍ବ ଅହଂକାର ସବୁ କ୍ଷଣିକ ମାତ୍ର।
ମୋ-୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri