ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି ଚାଲିଛି ନିର୍ବାଚନୀ ପ୍ରତିଯୋଗିତା। ଗଣତନ୍ତ୍ର ଶାସନରେ ଲୋକଙ୍କ ହାତରେ ଥିବା ଏହି କ୍ଷମତା ଟିକକ ହାତେଇବା ପାଇଁ ସବୁଠି ଚାଲିଛି ମୂଷା ଦୌଡ଼ ପ୍ରତିଯୋଗିତା। କିଏ ମାରିବ ବାଜି। କିଏ ହେବ ସରକାର। ଆଉ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁଠୁ କ୍ଷମତାଶାଳୀ ଜନତା। ଜନତାଙ୍କୁ ଜନାର୍ଦ୍ଦନ କହି ଭୋଟ ଖଣ୍ଡିକ ହାତେଇବା ପାଇଁ ଚାଲିଛି ଅଭିନବ ପ୍ରୟାସ। ସେଥିପାଇଁ ନୂଆ ନୂଆ ମୁହଁ ଦେଖିବାକୁ ମିଳିବା ସହ ସବୁଆଡ଼େ ଶୁଭୁଛି ନୂଆ ପ୍ରତିଶ୍ରୁତି। ଆସନ ହାତେଇବା ପାଇଁ ଚାଲିଛି ନିୟମିତ ନୂଆ ନୂଆ ଉପସ୍ଥାପନା। ଆଉ ସେସବୁ ଭିତରେ ସାଧାରଣ ଜନତା ଟିଏ ବଲବଲ କରି ଚାହିଁଛି ଶୂନ୍ୟ ଆକାଶକୁ।
ସେ ଭାବୁଛି ସବୁଦିନେ ଅଲୋଡ଼ା ଥିବା ତା’ ଭଳି ମଣିଷଙ୍କୁ ଆଜି କାହିଁକି ଏତେ ଆଦର ଆଉ ଅଭ୍ୟର୍ଥନା। ଜୀବନର ସାୟାହ୍ନରେ ଉପନୀତ ସାଧାରଣ ମଣିଷଟିଏ ଚାହୁଁଛି, ତା’ ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ ଆଉ ତା’ ଚନ୍ଦ୍ର ସୂର୍ଯ୍ୟ ଦିଶୁଥିବା ନୁଆଁଣିଆ ଛାତକୁ। ତା’ ଜୀବନ କାଳ ଭିତରେ ଏଇ ନିର୍ବାଚନ ପର୍ବ ଅନେକ ଥର ଆସିଛି। ନୂଆ ନୂଆ ଚେହେରା ଆଉ ନୂଆ ନୂଆ ପ୍ରତିଶ୍ରୁତି ସେ ପାଇଛି, ହେଲେ ବ୍ୟକ୍ତିଗତ ଭାବରେ ସେ ପାଇଛି କ’ଣ?
ଦାରିଦ୍ର୍ୟର କଷା ଘାତରେ ଶଢ଼ି ଶଢ଼ି ବଞ୍ଚିଛି ସେ। ଦିନକୁ ଦୁଇମୁଠା ପେଟ ପୂରା ଖାଇବାକୁ ସେ ସଂଘର୍ଷ ଜାରି ରଖିଥିଲା ବେଳେ ଆଜି ତାକୁ ବିନା ପରିଶ୍ରମରେ ମିଳୁଛି ଭୂରି ଭୋଜନ। କାହିଁକି…?
ବର୍ତ୍ତମାନ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ନେତାମାନେ ଆପଣେଇଛନ୍ତି ଦୁଇଟି ‘ଭ…’। ସାଧାରଣ ଜନତାଙ୍କୁ ଭକୁଆ ବନେଇବାକୁ ପ୍ରତ୍ୟେକ ପ୍ରାର୍ଥୀ ଆପଣେଇଛନ୍ତି ଦୁଇଟି ଭ.. କୁ। ଗୋଟିଏ ‘ଭ’ ହେଉଛି ଭାଷଣ ଆଉ ଗୋଟିଏ ‘ଭ’ ଭୋଜି। ବନିଶିକଣ୍ଟାରେ ଥୋପ ଦେଲା ଭଳି ବର୍ତ୍ତମାନ ଜନତାଙ୍କ ପାଇଁ ଏହା ହେଉଛି ଥୋପ। କହିବାର ତାତ୍ପର୍ଯ୍ୟ, ଥରେ ଯଦି କାହା ଥୋପରେ ବଶ ହୋଇଗଲ ଏବେ ପୂରା ୫ବର୍ଷ ଛଟପଟ ହେବା ସାର। ତେଣୁ ସର୍ବଦା ନିଜ ବୁଦ୍ଧି ବିବେକର ଉପଯୋଗ କରନ୍ତୁ।
ଏବେ ଆସିବା ପ୍ରକୃତ କଥାକୁ। ମନେରଖିବା ଉଚିତ ଯେ, ଭଗବାନ୍‌ଙ୍କ ଅଦାଲତରେ ସମସ୍ତେ ସମାନ। ହେଉ ସେ ରଙ୍କ ଅବା ରାଜା। କେତେବେଳେ କେଉଁ ମୁହୂର୍ତ୍ତରେ ଆରପୁରରୁ ଡାକରା ଆସିବ କିଏ କହିବ। ମାତ୍ର କେତୋଟି ମୁହୂର୍ତ୍ତ ଭିତରେ ପୋଡ଼ି ପାଉଁଶ ହୋଇଯିବ ଏଇ ସୁନ୍ଦର ଶରୀର ଆଉ ତା’ ସହ ଆମର ସବୁ ଗର୍ବ ଅହଂକାର ଆଉ ପାରିଲାପଣିଆ। କିଏ ଜାଣେ କେଉଁ ମୁହୂର୍ତ୍ତରେ ଆମେ ଚାଲିଯିବା, କିନ୍ତୁ ଛାଡ଼ିଯିବl ଆମ ମଣିଷପଣିଆ। ଆଜି ଯେଉଁ ଆସନ ପାଇଁ ଆମେ ପରସ୍ପରର ଗୋଡ଼ ଟାଣୁଛନ୍ତି, ଅନ୍ୟକୁ ବୋକା ବନେଇ ଆସନ ହାତେଇବାକୁ ଚାହୁଁଛନ୍ତି, ସେ ଆସନ ସମୟ ଆସିଲେ ଆମ ପାଇଁ ମୂଲ୍ୟହୀନ ହୋଇଯିବ। କିନ୍ତୁ ଆମ ପାଇଁ କ’ଣ ସବୁଠୁ ମୂଲ୍ୟବାନ୍‌ ଜାଣନ୍ତି, ମାନବିକତା ବୋଧ। ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ଭାବରେ ଯଦି ଆମ ପାଖରେ ମାନବିକତା ନାହିଁ ତା’ହେଲେ ସେ ଜୀବନ ତୁଚ୍ଛ। ଜଣେ ଲୋକ ପ୍ରତିନିଧି ଭାବେ ସାଧାରଣ ମାନବର ବିକାଶ ଆମର ମୂଳଲକ୍ଷ୍ୟ ହେବା ଉଚିତ। ଯିଏ ଆମକୁ ନିଜର ଭାବି ଅନେକ ଆଶା ଭରସା ରଖି ଲୋକ ପ୍ରତିନିଧି ଭାବେ ଚୟନ କରୁଛନ୍ତି ସେମାନଙ୍କ ବିକାଶ ଆମର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। ଯେଉଁଠି ମୋ ଲୋକମାନେ ଭୋକ ଉପାସରେ ଶଢ଼ୁଛନ୍ତି, ରୋଗରେ ପଡ଼ି ଚିତ୍କାର କରୁଛନ୍ତି, ଦେହକୁ ଖଣ୍ଡେ କନା କି ପେଟକୁ ମୁଠେ ଦାନl ଯୋଗାଡ଼କରି ପାରୁନାହାନ୍ତି, ମୁଣ୍ଡ ଗୁଞ୍ଜିବାକୁ ଚାଖଣ୍ଡେ ଛାତ ନାହିଁ ସେଠି ମୋର ଅସ୍ତିତ୍ୱ କ’ଣ….. ଏଇ ପ୍ରଶ୍ନ ଜଣେ ଲୋକ ପ୍ରତିନିଧି ହିସାବରେ ଆମେ ନିଜେ ନିଜକୁ ପଚାରିବା ଉଚିତ। ଯଦି ଉତ୍ତର ହଁ, ତା‘ହେଲେ ଆମେ ନିଶ୍ଚିତ ବିଜୟ ଲାଭ କରିବା ଏଥିରେ ସନ୍ଦେହ ନାହିଁ। ଭଗବାନ୍‌ଙ୍କର ଅଦୃଶ୍ୟ ଆଖି ଦୁଇଟି ଆମ ଚତୁଃପାର୍ଶ୍ୱରେ ସର୍ବଦା ଘୂରିବୁଲୁଛି। ଆମ ପାପପୁଣ୍ୟର ହିସାବ କରୁଛି। ଅପେକ୍ଷା କେବଳ ଶୁଣାଣିର। ସବୁରି କଣ୍ଠରେ ଏବେ ଶୁଭୁଛି
-ଦେଶବାସୀ ପଛେ ମିଶନ୍ତୁ ମାଟିରେ, ମୋ ସ୍ବାର୍ଥ ଥାଉ ସବୁରି ଊର୍ଦ୍ଧ୍ୱରେ। ନା, ଆଜ୍ଞା, ଏଇ ପଂକ୍ତି ନୁହେଁ ବରଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ସେଇ ପଂକ୍ତି ଆମ ହୃଦୟରେ ଗୁଞ୍ଜରିତ ହେବା ଉଚିତ।
“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।”

  • ବସନ୍ତ ମଞ୍ଜରୀ ମିଶ୍ର
    ମୋ: ୯୮୬୧୧୯୨୪୪୫

Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri