ଚାରି ଦୁଆର ଓ ରତ୍ନ ଭଣ୍ଡାର

ପୁରୀ ସହର ବା ଜିଲା ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଏପରି କି ବିଦେଶରେ ରହୁଥିବା ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଶ୍ରୀମନ୍ଦିରର ଚାରି ଦ୍ୱାର ଏବଂ ରତ୍ନଭଣ୍ଡାର ଖୋଲାଯିବାର ଉତ୍କଣ୍ଠା ବଢ଼ିଚାଲିଛି। କିନ୍ତୁ ସରକାରଙ୍କ ଅହେତୁକ ନୀରବତା ଯୋଗୁ ଏହା କ୍ରମଶଃ ଜଟିଳ ହେବାକୁ ଯାଉଥିବା ବେଳେ କିପରି ଓ କାହିଁକି ଏଭଳି ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ବିଷୟକୁ ଏଡ଼ାଇ ଦିଆଯାଉଛି ତାହା ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରି ଦୁଆରର ସ୍ବତନ୍ତ୍ରତା ରହିଛି। ସିଂହଦ୍ବାରକୁ ଧର୍ମ ଦ୍ୱାର, ଦକ୍ଷିଣ ଦ୍ବାରକୁ ଅର୍ଥ ଦ୍ବାର, ପଶ୍ଚିମ ଦ୍ୱାରକୁ କାମ ଦ୍ବାର ଓ ଉତ୍ତର ଦ୍ୱାରକୁ ମୋକ୍ଷ ଦ୍ୱାର କୁହାଯାଏ। ଉତ୍ତର ଦ୍ବାର ଦେଇ ଶ୍ରୀଜୀଉମାନଙ୍କର ମହାଦାରୁ କୋଇଲି ବୈକୁଣ୍ଠକୁ ଯାଇଥାଏ। ଏହି ଦ୍ବାର ସୂର୍ଯ୍ୟାସ୍ତ ପରେ ବନ୍ଦ କରାଯିବା ପାଇଁ ଶାସ୍ତ୍ରୀୟ ବିଧି ରହିଛି। କରୋନା ମହାମାରୀ ସଂକ୍ରମଣ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲା ରହୁଥିଲା। ସଂଧ୍ୟା ପୂର୍ବରୁ ଚାରି ଦ୍ବାର ଓ ସୂର୍ଯ୍ୟାସ୍ତ ପରେ ତିନି ଦ୍ବାରରେ ଭକ୍ତମାନେ ପ୍ରବେଶ ପ୍ରସ୍ଥାନ କରୁଥିଲେ। ବିଶେଷ ପର୍ବଦିନ ବ୍ୟତୀତ ଅନ୍ୟ ଦିନରେ ଭିଡ଼ ନିୟନ୍ତ୍ରଣ ଅନାବଶ୍ୟକ ଥିଲା। କିନ୍ତୁ ସ୍ଥାନୀୟ ସଂଗଠନ ଓ ଅଧିବାସୀଙ୍କ ବିରୋଧ ସତ୍ତ୍ୱେ ଭକ୍ତଙ୍କ ଦର୍ଶନ ପାଇଁ ଅବାଞ୍ଛିତ ଓ ଅନାବଶ୍ୟକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇ ଭକ୍ତମାନେ ସୁବିଧାରେ ଶ୍ରୀମନ୍ଦିରରେ ଦର୍ଶନ କରୁଛନ୍ତି ବୋଲି ପ୍ରଚାର କରାଗଲା। କିନ୍ତୁ ଭକ୍ତ ସଂଖ୍ୟା ବଢ଼ି ନ ଥିଲେ ମଧ୍ୟ ପ୍ରଚାରକୁ ପ୍ରମାଣିତ କରିବାକୁ କୃତ୍ରିମ ଭିଡ଼ ସୃଷ୍ଟି କରାଯାଇ ତାହାକୁ ମଧ୍ୟ ସୁନିୟନ୍ତ୍ରିତ କରାଯାଉଥିବା ଗଣମାଧ୍ୟମରେ ପ୍ରଚାର କରାଗଲା।
କରୋନା ସଂକ୍ରମଣଜନିତ କଟକଣା ଲାଗୁ ହେବାରେ ଶ୍ରୀମନ୍ଦିର ପ୍ରବେଶ ପ୍ରାୟ ଦୁଇବର୍ଷ ନିଷେଧ ହୋଇଥିଲା। ମନ୍ଦିର ଖୋଲାଯିବା ପରେ ଭକ୍ତଙ୍କ ସଂଖ୍ୟା ଅବଶ୍ୟ କିଛି ବଢ଼ିଲା। କିନ୍ତୁ ଏହାର ସୁଯୋଗ ନେଇ ବନ୍ଦ ପୂର୍ବରୁ ହୋଇଥିବା ଧାଡ଼ି ଦର୍ଶନ ସହ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ମନ୍ଦିର ପ୍ରବେଶ କରାଗଲା ଏବଂ ଭକ୍ତଙ୍କ ସୁବିଧା ନାମରେ ବ୍ୟାରିକେଡ୍‌,ବିଶ୍ରାମ ସ୍ଥଳୀ ଏବଂ ପରେ ତାପନିୟନ୍ତ୍ରଣ ବ୍ୟବସ୍ଥା କରାଗଲା। ଏଥିରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଏବଂ ବହୁଲକ୍ଷ ଟଙ୍କା ବିଦ୍ୟୁତ ଦେୟ ବାବଦରେ ଖର୍ଚ୍ଚ ସତ୍ତ୍ୱେ ଭକ୍ତଙ୍କ କଷ୍ଟ ଯେ ବଢ଼ିଛି ଏହା ପ୍ରତ୍ୟେକ ଦିନର ଖବର ଓ ଭକ୍ତଙ୍କର ଅନୁଭବ ହୋଇଯାଇଛି। କିଛି ଦିନ ପୂର୍ବରୁ ବହୁ ଦାବି ଯୋଗୁ ପଶ୍ଚିମ ଦ୍ୱାର କେବଳ ପୁରୀ ସହରବାସୀଙ୍କ ପାଇଁ ଖୋଲିଥିଲେ ବି ଏହା ପଛରେ ଅଭିସନ୍ଧି ରହିଥିଲା। ଏବେ ପୁରୀ ସହରବାସୀଙ୍କ ଅପେକ୍ଷା ଏହି ଦ୍ବାର ଯାତ୍ରୀ ଗୁମାସ୍ତାଙ୍କର ଯାତ୍ରୀମାନଙ୍କୁ ନେବା ପାଇଁ ଅଧିକ ଉପଯୋଗୀ ହେଉଛି। ଏହି ବାସ୍ତବତା ପ୍ରତ୍ୟେକ ଭକ୍ତ ଅନୁଭବ କରୁଛନ୍ତି ଯେ ଧାଡି ସିଂହ ଦ୍ବାରରେ ଶେଷ ହେଉଥିବା ବେଳେ ମନ୍ଦିର ଭିତରେ ଭିଡ଼ ଅଣାୟତ୍ତ ହେଉଛି। କିନ୍ତୁ ତା’ର ପ୍ରତିକାର ପରିବର୍ତ୍ତେ କେଉଁ ସ୍ବାର୍ଥରେ ସମସ୍ତ ଦ୍ବାରରେ ପ୍ରବେଶ ନିଷେଧ ହେଉଛି ତାହା ଏବେ ବି ପ୍ରଶ୍ନରେ ରହିଛି।
ଦ୍ବିତୀୟ କଥା ହେଉଛି ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ। ଶ୍ରୀମନ୍ଦିର ଆଇନରେ ପ୍ରତି ତିନିବର୍ଷରେ ରତ୍ନ ଭଣ୍ଡାରର ରତ୍ନ ଗଣତି ମଣତି ହେବାର ନିୟମ ରହିଥିବା ସତ୍ତ୍ୱେ ଏହା ୧୯୭୮ପରେ ଖୋଲା ଯାଇନାହିଁ। ରତ୍ନଭଣ୍ଡାର ଖୋଲାଯିବା କେବେ ପ୍ରସଙ୍ଗ ନ ଥିଲା। ଜଣେ ସାମାଜିକ କର୍ମୀ ନିର୍ଦ୍ଦିଷ୍ଟ ବର୍ଷର ଦୁଇଟି ତାରିଖ ଏବଂ ସମୟ, ଜଣାଇ ରତ୍ନ ଭଣ୍ଡାରରୁ ରତ୍ନ ଚୋରିର ସେ ପ୍ରତ୍ୟକ୍ଷ ସାକ୍ଷୀ ବୋଲି ବୟାନ ଦେବାପରେ ଏହି ପ୍ରସଙ୍ଗଟି ଆଲୋଚନା ପରିସରକୁ ଆସିଲା। ସେ ଏହା ମଧ୍ୟ କହିଲେ ଯେ, ଯଦି ରତ୍ନଭଣ୍ଡାର ଯାଞ୍ଚ ପରେ ସମସ୍ତ ରତ୍ନ ସୁରକ୍ଷିତ ବୋଲି ଜଣାଯାଏ ତେବେ ସେ ଯେ କୌଣସି ଦଣ୍ଡକୁ ଗ୍ରହଣ କରିନେବେ। ଏହି ମନ୍ତବ୍ୟ ପରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କୌଣସି ଗୁରୁତ୍ୱ ଦେଲେ ନାହିଁ। କିନ୍ତୁ ଜଣେ ସାମାଜିକ କର୍ମୀ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ମାମଲା କଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ସତର ଜଣିଆ ଦଳ ଜିଲାପାଳଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ପ୍ରବେଶ କରିବା, ଯାହା ଜାଣିଲେ ତାହା ବାହାରେ ପ୍ରକାଶ ନ କରିବାକୁ ଶପଥ ନେବା, ଚାବି ମିଳିଲାନି ବୋଲି ପ୍ରକାଶ କରିବା, ଦୁଇଦିନ ପରେ ଖୋଦ ଜିଲାପାଳ ତାଙ୍କର କାର୍ଯ୍ୟାଳୟରୁ ନକଲି ଚାବି ମିଳିବା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ବି ଚାବି ନ ଦେଖାଇବା, ଚାବି ହଜିବା ସମ୍ପର୍କରେ ସରକାର ତତ୍କାଳ ରଘୁବର ଦାସ କମିଶନ ଗଠନ କରିବା, ତଦନ୍ତ ରିପୋର୍ଟ ବିଧାନସଭାରେ ଆଲୋଚନା ନ ହେବା ଆଦି ତଥ୍ୟ ଗଣମାଧ୍ୟମରେ ବହୁଳ ଭାବେ ଆଲୋଚନା ହେଲା। ଏହା ସତ୍ୟ ଯେ ସରକାର କୌଣସି ଗମ୍ଭୀର ପ୍ରସଙ୍ଗ ଏଡ଼ାଇବାକୁ ଅନ୍ୟ ପ୍ରସଙ୍ଗ ସୃଷ୍ଟି କରୁଥିବା ନଜିର ରହିଛି। ଶ୍ରୀଜଗନ୍ନାଥପ୍ରେମୀଙ୍କୁ ଭ୍ରମିତ କରିବାକୁ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା ଯେ ସୁଚିନ୍ତିତ ଯୋଜନା ଏଥିରେ ସାମାନ୍ୟ ସନ୍ଦେହ ନାହିଁ।
କିନ୍ତୁ ଏହାପରେ ସୃଷ୍ଟି ହେଲା ଅନ୍ୟ ଏକ ସ୍ପର୍ଶ କାତର ପ୍ରସଙ୍ଗ। ପୁରୀର ତତ୍କାଳୀନ ଜିଲାପାଳ ତଥା ରତ୍ନଭଣ୍ଡାର ତନଖି କମିଟିର ପୁରୋଧା ସ୍ବୀକାର କଲେ ଯେ ରତ୍ନଭଣ୍ଡାରର ଭିତର କାନ୍ଥ ସୁରକ୍ଷିତ ନୁହେଁ। ସେଥିପାଇଁ ରତ୍ନଭଣ୍ଡାର ଖୋଲାଯିବା ଅପରିହାର୍ଯ୍ୟ। କିନ୍ତୁ ତାହାକୁ ମଧ୍ୟ ଏଡ଼ାଇବାକୁ ଶ୍ରୀଜଗନ୍ନାଥ ନ ଚାହିଁଲେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ନୁହେଁ, ଶ୍ରୀଲୋକନାଥ ସାପ ରୂପରେ ରତ୍ନ ଭଣ୍ଡାର ଜଗିଥିବା ସର୍ବୋପରି ରତ୍ନ ଭଣ୍ଡାର ଖୋଲିଲେ ସରକାର ଭାଙ୍ଗିଯିବ ଆଦି କପୋଳକଳ୍ପିତ ଏବଂ ପ୍ରାୟୋଜିତ ମତ ମାଧ୍ୟମରେ ପୁନଶ୍ଚ ସରକାରଙ୍କୁ ପ୍ରଭାବିତ କରାଗଲା। ଏଠାରେ ସ୍ପଷ୍ଟ କରାଯିବା ଉଚିତ ଯେ ପୂର୍ବରୁ ରତ୍ନ ଭଣ୍ଡାର ଖୋଲିଥିଲେ ମଧ୍ୟ ସରକାରଙ୍କ ସ୍ଥିତିରେ କୌଣସି ବିପଦ ଆସିନାହିଁ। ଏହି ମିଥ୍ୟା ପ୍ରଚାର ସହ ଶ୍ରୀମନ୍ଦିର ପ୍ରଶାସନ ଏଂ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଅସାଧୁ ମଧୁଚନ୍ଦ୍ରିକା ରତ୍ନଭଣ୍ଡାର ଖୋଲିବା ଓ ମରାମତି ପାଇଁ ବାଧକ ହେଲା। ଲେବର ସ୍କାନିଂ ଏବଂ କମିଟି ଗଠନ ଆଦି ଦୀର୍ଘ ସୂତ୍ର ପନ୍ଥା ଗ୍ରହଣ କରାଯିବା ଏବଂ ଏଭଳି ଗମ୍ଭୀର ବିଷୟକୁ ଭାରତର ପ୍ରଧାନମନ୍ତ୍ରୀ ନିର୍ବାଚନୀ ମୁଦ୍ଦା କରିସାରିଥିବା ବେଳେ ରାଜ୍ୟ ସରକାରଙ୍କ ଆଚରଣର ଯେଉଁ ପ୍ରଶ୍ନ ଆଜି ଶ୍ରୀଜଗନ୍ନାଥପ୍ରେମୀଙ୍କ ମନକୁ ଆସୁଛି ତାହା ହେଲା ରତ୍ନ ଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ତ? ଦ୍ବିତୀୟ ପ୍ରଶ୍ନ ସତରେ କ’ଣ ଚାରି ଦ୍ୱାର ଖୋଲାଯାଇ ଭକ୍ତଙ୍କୁ ନିର୍ବିରୋଧ ଦର୍ଶନ ସୁଯୋଗ ମିଳିବ? କିନ୍ତୁ ଉତ୍ତର ଦେବ କିଏ?

  • ହରିଶଙ୍କର ମିଶ୍ର
    ୧୧୩, ଗୁଣ୍ଡିଚା ବିହାର, ପୁରୀ
    ମୋ: ୭୯୭୮୭୮୫୪୭୮

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

ସୃଜନଶୀଳତାର ସତେଜ ଅମ୍ଳଜାନ

ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri