କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା ଓ ଚିହ୍ନଟ କରିବାରେ କର୍ତ୍ତୃପକ୍ଷ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ଏଥିସହିତ ନଦୀ ତଳମୁଣ୍ଡରେ ମୃତଦେହଗୁଡ଼ିକ ଭାସିଆସୁଥିବାରୁ ସେଗୁଡ଼ିକୁ ରଖିବା ପାଇଁ ବିଭିନ୍ନ ଜିଲାର ଶବାଗାରରେ ସ୍ଥାନାଭାବ ଦେଖାଦେଇଛି ବା ସାମର୍ଥ୍ୟଠାରୁ ଅଧିକ ମୃତଦେହ ରଖାଯାଇଛି। ଭୋଟେକୋଶୀ ବନ୍ୟାରେ ଭାସିଆସିଥିବା ମୃତଦେହଗୁଡ଼ିକୁ କେନ୍ଦ୍ରୀୟ ନେପାଳର ବିଭିନ୍ନ ଅଞ୍ଚଳରୁ ଠାବ କରାଯାଇଛି। ସେଗୁଡ଼ିକୁ ରଖିବା ପାଇଁ ସ୍ଥାନୀୟ ହସ୍ପିଟାଲଗୁଡ଼ିକରରେ ସ୍ଥାନାଭାବ ଯୋଗୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଅଧିକ ମୃତଦେହ ରଖିବା ପାଇଁ ଅସ୍ଥାୟୀ ଶବାଗାର ପ୍ରସ୍ତୁତ କରାଯାଉଛି। ସେହିପରି ମୃତଦେହ ସଂରକ୍ଷିତ କରି ରଖିବା ପାଇଁ ଡ୍ରାଏ ଆଇସ୍ର ଅଭାବ ଦେଖାଦେଇଛି। ଡ୍ରାଏ ଆଇସ୍ ଯୋଗାଡ଼ କରିବାରେ ସ୍ଥାନୀୟ ଶିଳ୍ପ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକକ ରାଜି ହୋଇଛନ୍ତି। ଅସ୍ଥାୟୀ ଶବାଗାର ଭର୍ତ୍ତି ହେଲେ ଦେବଘାଟର ବିଦ୍ୟୁତ୍ଚାଳିତ ଶ୍ମଶାନ ଅନ୍ୟତମ ବିକଳ୍ପ ରଖାଯାଇଛି।
ହସ୍ପିଟାଲରେ ସ୍ଥାନାଭାବ ସାଙ୍ଗକୁ ମୃତଦେହ ଚିହ୍ନଟ ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। କାରଣ ମୃତଦେହଗୁଡ଼ିକ ନଦୀ ପ୍ରଣାଳୀ ଦେଇ ବହୁ ଦୂରକୁ ଭାସିଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ କରିବା ସହଜ ହେଉନାହିଁ। କାଶୀ ପୋଲିସ ମୃତଦେହଗୁଡ଼ିକ ଫଟୋ ଉଠାଇବା ସହ ଅଙ୍ଗୁଳିଛାପ ରେକର୍ଡିଂ, ବ୍ୟବଚ୍ଛେଦ ଏବଂ ଡିଏନ୍ଏ ନମୁନା ସଂଗ୍ରହ କରୁଛି। ସମ୍ପର୍କୀୟମାନେ ଯେପରି ମୃତଦେହ ଚିହ୍ନଟ କରିପାରିବେ, ସେଥିପାଇଁ ସର୍ବସାଧାରଣରେ ଫଟୋ ଜାରି କରାଯାଇଛି। ଆବଶ୍ୟକ ସ୍ଥଳେ ଡିଏନ୍ଏ ନମୁନା ପରୀକ୍ଷା ପାଇଁ କାଠମାଣ୍ଡୁ ପଠାଯାଉଛି। ବହୁ ଦୂରରୁ ଲୋକମାନେ ଆସି ସେମାନଙ୍କ ସମ୍ପର୍କୀୟଙ୍କ ଖବର ପାଇବା ପାଇଁ ବିଭିନ୍ନ ହସ୍ପିଟାଲ ବାହାରେ ରୁଣ୍ଡ ହୋଇଛନ୍ତି। କେତେକ ପରିବାରର ନିଖୋଜ ସଦସ୍ୟଙ୍କ ଫଟୋ ଧରି ଖୋଜାଖୋଜି କରୁଥିବା ଦେଖାଯାଇଛି।

