ନୂଆଦିଲ୍ଲୀ, ୨୦।୧୧: ଟିମ୍ ଇଣ୍ଡିଆ କାହିଁକି କୁମାର କୁଶାଗ୍ରଙ୍କୁ ନିୟମିତ ଭାବେ ନିଜ ସ୍କ୍ୱାଡ୍ରେ ସାମିଲ କରୁଛି, ତାହାର ଉତ୍ତର ଆଉ ଥରେ ମିଳିଯାଇଛି। ଇମର୍ଜିଂ ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ କୁମାର କୁଶାଗ୍ର ନେପାଳ ବିପକ୍ଷରେ ଏକ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର କୁଶାଗ୍ର ମାତ୍ର ୯୩ ବଲ୍ରେ ଛକା ମାରି ନିଜ ଶତକ ପୂରଣ କରିଥିଲେ। ସେ ୪ଟି ଛକା ଏବଂ ୯ଟି ଚୌକା ସହାୟତାରେ ଏହି ଶତକୀୟ ଇନିଂସ୍ ଖେଳିଥିଲେ। ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା ଏବଂ ଆୟୁଷ ବଦୋନୀ ବିଫଳ ହେବା ପରେ କୁଶାଗ୍ରଙ୍କ ଏହି ଶତକ ବେଶ୍ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।
କୁମାର କୁଶାଗ୍ର ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ କ୍ରିଜ୍କୁ ଓହ୍ଲାଇଥିଲେ। ଆୟୁଷ ବଦୋନୀ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆ ଚାପରେ ରହିଥିଲା ଏବଂ ନେପାଳ ସ୍ପିନରମାନେ ମ୍ୟାଚ୍ରେ ଦବଦବା ବଜାୟ ରଖିଥିଲେ। କିନ୍ତୁ କୁଶାଗ୍ର କ୍ରିଜ୍କୁ ଆସିବା ମାତ୍ରେ ବେଶ୍ ସକାରାତ୍ମକ କ୍ରିକେଟ୍ ଖେଳିଥିଲେ। ସେ ପ୍ରଥମେ ସିଙ୍ଗଲ୍ ଓ ଡବଲ୍ ରନ୍ ନେଇଥିଲେ ଏବଂ ସୁଯୋଗ ମିଳିବା ମାତ୍ରେ ବାଉଣ୍ଡ୍ରି ମାରିବାର କୌଣସି ମଉକା ହାତଛଡ଼ା କରି ନ ଥିଲେ। କୁଶାଗ୍ର ଅଧିନାୟକ ତିଲକ ବର୍ମାଙ୍କ ସହ ମିଶି ୧୮୭ ବଲ୍ରେ ୨୦୦ରୁ ଅଧିକ ରନ୍ର ଭାଗିଦାରୀ ଗଢ଼ିଥିଲେ। ଏହି ମ୍ୟାଚ୍ରେ ସେ ୧୦୨ ବଲ୍ରେ ୧୧୭ ରନ୍ର ଜବରଦସ୍ତ ଇନିଂସ୍ ଖେଳିଥିଲେ।
କୁମାର କୁଶାଗ୍ର ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ଏକ ଛୋଟ ସହରରୁ ଆସିଥିଲେ ମଧ୍ୟ ତାଙ୍କ ପିତା ଶଶିକାନ୍ତ ସିଂହ ତାଙ୍କୁ ଜଣେ ବଡ଼ କ୍ରିକେଟର୍ ବନାଇବାର ସ୍ୱପ୍ନ ଦେଖିଥିଲେ। ଶଶିକାନ୍ତଙ୍କୁ ବହି ପଢ଼ିବାର ସଉକ ଥିଲା। କ୍ରିକେଟ୍ ସମ୍ପର୍କିତ ବହି ପଢ଼ି ସେ ନୋଟ୍ସ ପ୍ରସ୍ତୁତ କରୁଥିଲେ ଏବଂ ଭଲ ସଟ୍ଗୁଡ଼ିକର କଟ୍ଆଉଟ୍ କାନ୍ଥରେ ଲଗାଉଥିଲେ। ସେ ଘରେ ଏକ କଂକ୍ରିଟ୍ ପିଚ୍ ମଧ୍ୟ ତିଆରି କରିଥିଲେ, ଯେଉଁଠାରେ କୁଶାଗ୍ର ମାତ୍ର ୬ ବର୍ଷ ବୟସରୁ କ୍ରିକେଟ୍ ଅଭ୍ୟାସ ଆରମ୍ଭ କରିଥିଲେ। ଏମ୍.ଏସ୍. ଧୋନିଙ୍କଠାରୁ ପ୍ରେରଣା ପାଇ ସେ ୱିକେଟ୍କିପିଂ ଆରମ୍ଭ କରିଥିଲେ। ଘରୋଇ କ୍ରିକେଟ୍ରେ ଲଗାତାର ଭଲ ପ୍ରଦର୍ଶନ କରିବା ପରେ ଏବେ ସେ ଇଣ୍ଡିଆ ଏ ପର୍ଯ୍ୟନ୍ତ ଯାତ୍ରା କରିସାରିଛନ୍ତି।
କୁମାର କୁଶାଗ୍ରଙ୍କ ଚମତ୍କାର ବ୍ୟାଟିଂ ଦେଖି ଅଭିଜ୍ଞ ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଆଗାମୀ ଦିନରେ କୁମାର କୁଶାଗ୍ର ଏକ ବଡ଼ ପରିଚୟ ସୃଷ୍ଟି କରିବେ ବୋଲି ଅଶ୍ୱିନ ମତ ଦେଇଛନ୍ତି। ସେ କହିଛନ୍ତି ଯେ, “କୁମାର କୁଶାଗ୍ର ଜଣେ ଚମତ୍କାର ପ୍ରତିଭା।
Timing and elegance from Kushagra 🫡🤩
Watch the #INDvNEP clash in the #RisingStarsAsiaCup LIVE on #SonyLIV & #SonySportsNetwork! 📺 https://t.co/XVjyKNhrI6
— Sony LIV (@SonyLIV) November 20, 2026
ମୁଁ ତାଙ୍କୁ ପାଖରୁ ଦେଖିଛି ଏବଂ ମୋ କଥା ବିଶ୍ୱାସ କରନ୍ତୁ, ସେ ଜଣେ ଗମ୍ଭୀର ବ୍ୟାଟ୍ସମ୍ୟାନ୍। ଏହି ଇନିଂସ୍ କେବଳ ଏକ ଟ୍ରେଲର୍ ମାତ୍ର; ସେ ପ୍ରସ୍ତୁତ ଅଛନ୍ତି ଏବଂ ନିଜ ପ୍ରତିଭା ଦେଖାଇବା ପାଇଁ ତୟାର। ତାଙ୍କ ମାନସିକତା ପରିପକ୍ୱ, ଖେଳ ବିଷୟରେ ତାଙ୍କର ଭଲ ଜ୍ଞାନ ରହିଛି ଏବଂ ସେ ଶୀଘ୍ର ଶିଖନ୍ତି। ଆରମ୍ଭରେ ଭାରତ ଅସୁବିଧାରେ ଥିଲା, କିନ୍ତୁ ସେ କିପରି ନିଜ ଇନିଂସ୍କୁ ଆଗକୁ ବଢ଼ାଇଲେ ତାହା ଦେଖିବା ଯୋଗ୍ୟ। ସେ ଆରମ୍ଭରୁ ସତର୍କ ଥିଲେ, ୧ ଓ ୨ ରନ୍ ନେଲେ ଏବଂ ଠିକ୍ ସମୟରେ ଗିୟର୍ ବଦଳାଇଲେ। ସେ ଜଣେ ଉଚ୍ଚକୋଟୀର କ୍ରିକେଟର୍ ଏବଂ ଭବିଷ୍ୟତରେ କିଛି ବଡ଼ କରିବା ପାଇଁ ସୃଷ୍ଟି ହୋଇଛନ୍ତି।”

