ରାଇକିଆ, ୨୦।୧୧ (ପ୍ରଦୀପ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ କନ୍ଧମାଳ ଜିଲାର ରାଇକିଆରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ରେ ରାଇକିଆ ବ୍ଲକ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୫ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି। ୪୨ଟି ଗ୍ରାମରୁ ୩୬୦୦ ଜଣଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ଶୁକ୍ରବାର ଆଶଙ୍କା କରାଯାଉଥିବା ବର୍ଷା ତୁଳନାରେ ପ୍ରଭାବ କମ୍ ରହିଥିଲେ ମଧ୍ୟ ଆଶ୍ରୟସ୍ଥଳୀଗୁଡ଼ିକରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଶନିବାର ମଧ୍ୟ ବର୍ଷାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସିଡିଓ ଶମ୍ଭୁନାଥ ନନ୍ଦୀ, ବିଡିଓ ସବ୍ୟସାଚୀ ସାହୁ, ଏପିଓ କେଦାରନାଥ ପଣ୍ଡା ଓ ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ବ୍ୟବସ୍ଥା ତଦାରଖ କରିଥିଲେ।
ଏଥିସହ ବିଭିନ୍ନ ବିପଦପ୍ରବଣ ପାହାଡ଼ିଆ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକର ସ୍ଥିତି ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ବିଶେଷକରି ଗୁମାମାହା, ପାଡ଼ାସି, କାକଡ଼ାବାଡ଼ି, କରଡ଼ା, ମାଣିକେଶ୍ୱର ଓ ବଡ଼ବରବା ଅଞ୍ଚଳ ପରିଦର୍ଶନ କରି ସେଠାକାର ସ୍ଥିତି ପରଖିଥିଲେ ପ୍ରଶାସନିକ ଅଧିକାରୀ।
ଅନ୍ୟପକ୍ଷରେ, ରାଇକିଆ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲର ହଷ୍ଟେଲ ପାହାଡ଼ ତଳି ଅଞ୍ଚଳରେ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସେଠାରେ ରହୁଥିବା ୧୦୩ ଜଣ ଛାତ୍ରୀଛାତ୍ରଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ରାଇକିଆସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ଓ ମଣ୍ଡାକିଆ ସେବାଶ୍ରମର ହଷ୍ଟେଲରେ ରଖାଯାଇଛି।

