ପୁରୁଷୋତ୍ତମପୁର, ୨୦।୧୧ (ସବିତା ମିଶ୍ର): ବାତ୍ୟା ‘ଅକ୍ୱାନ୍’ର ପ୍ରଭାବରେ ଲଗାଣ ବର୍ଷା ଏବେ ତାରାତାରିଣୀ ପାହାଡ଼ ପାଇଁ ବିପଦ ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିର ଥିବା ପାହାଡ଼ରେ ଭୂସ୍ଖଳନ ଘଟିଛି। ଏଥିଯୋଗୁ ଘାଟି ରାସ୍ତା ଉପରେ ବଡ଼ ବଡ଼ ପଥର ଓ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ରାସ୍ତାରୁ ଅବରୋଧ ହଟାଇଥିଲେ।
ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏକ ସ୍ୱତନ୍ତ୍ର ଟିମ୍ ତାରାତାରିଣୀ ପାହାଡ଼ ପରିଦର୍ଶନ କରିଛି।
ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ସୂର୍ଯ୍ୟମଣି ବୈଦ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବରିଷ୍ଠ ନେତା ତୁମ୍ବନାଥ ପଣ୍ଡା, ରଞ୍ଜନ ପୋଲାଇ, ଅଶୋକ ମହାଙ୍କୁଡ଼ଙ୍କ ସମେତ ଅନ୍ୟ ନେତାମାନେ ଘଟଣାସ୍ଥଳରେ ପହଞ୍ଚି ଭୂସ୍ଖଳନର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଛତ୍ରପୁର ଉପଜିଲାପାଳ ଡ. ଶିବାଶିଷ ବରାଳ ଓ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ।
ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ। ବର୍ଷା ହେଲେ ବାରମ୍ବାର ଭୂସ୍ଖଳନ ଘଟୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ସହ ପାହାଡ଼ର ସୁରକ୍ଷା ପାଇଁ ପ୍ରଶାସନ ନିକଟରେ ଦାବି ଜଣାଯିବ ବୋଲି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

