ଭୁବନେଶ୍ୱର,୨୭।୧୦(ସୁନିତ୍ ମିଶ୍ର): କୋରାପୁଟ ଜିଲା ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆର କେତେକ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ନେଇ ଘୋଷଣା କରିବା ପରେ ଏହାକୁ କେନ୍ଦ୍ରକରି ଉଭୟ ରାଜ୍ୟ ମଧ୍ୟରେ ପୁନର୍ବାର ବିବାଦ ଦେଖାଦେଇଛି । ଏଭଳି ସ୍ଥିତିରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ବାରମ୍ବାର ସରକାରଙ୍କୁ ସମାଲୋଚନା କରୁଛନ୍ତି। ତେଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିଆର ବିକାଶ କରିବା ପାଇଁ ଗଠନ କରାଯାଇଥିବା କମିଟିର ସଦସ୍ୟମାନେ ମଙ୍ଗଳବାର ଏକ ବୈଠକ କରିବେ ବୋଲି ଜଣାପଡ଼ିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏ ନେଇ ମନ୍ତ୍ରୀ ପୂଜାରୀ କହିଛନ୍ତି, କୋଟିଆର ବିକାଶ ନେଇ ୨ ବର୍ଷ ପୂର୍ବେ କମିଟି ଗଠନ ହେଇଥିଲା। ୨ ବର୍ଷ ତଳେ କମିଟିର ଆଲୋଚନା ମୁତାବକ ସବୁ ବିଭାଗକୁ ଯେଉଁସବୁ ଦାୟିତ୍ୱ ଦିଆଯାଇଥିଲା ତାହା କେତେ ମାତ୍ରାରେ ପୂରଣ ହୋଇଛି ସେ ନେଇ ସମୀକ୍ଷା ହେବ। ତୁରନ୍ତ ବିଭାଗଗୁଡିକ କ’ଣ ସବୁ ବିକାଶମୂଳକ ପଦକ୍ଷେପ ନେଇଛନ୍ତି ତା’ର ତଥ୍ୟ ପ୍ରଦାନ କରିବାକୁ ରିପୋର୍ଟ ତଲବ କରାଯାଇଛି। ଆଗକୁ କୋଟିଆରେ କେଉଁସବୁ ବିକାଶମୂଳକ କାର୍ଯ୍ୟ ହେବ ସେ ନେଇ ମଧ୍ୟ ଆଲୋଚନା କରାଯିବ। ବୈଠକ ପରେ ଆଲୋଚନା ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମ ଓ ସବୁ ରାଜନୈତିକ ଦଳକୁ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରାଇବା ପ୍ରତିବାଦରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଉଭୟ ରାଜ୍ୟକୁ ଦେଇଥିବା ନିର୍ଦ୍ଦେଶକୁ ଆନ୍ଧ୍ର ସରକାର ଉଲ୍ଲଂଘନ କରିଥିବା ଓଡ଼ିଶା ଅଭିଯୋଗ କରିଛି। ଅନ୍ୟପଟେ କୋରାପୁଟ ଜିଲାରେ ସବୁ ରାଜନୈତିକ ଦଳ ଏକତ୍ରିତ ହୋଇ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ପଦକ୍ଷେପକୁ ବିରୋଧ କରୁଛନ୍ତି ।

