ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍ ବ୍ଲକ ଚିନ୍ନାପୁରମ୍ ଗ୍ରାମର ୫୦ ଜଣ ମହିଳା। ଏହି ମହିଳାମାନେ ପାଣିରେ ବଢ଼ୁଥିବା କ୍ଷତିକାରକ କଲକତି ଦଳରୁ ବିଭିନ୍ନ ସାମଗ୍ରୀ ତିଆରି କରି ରୋଜଗାରକ୍ଷମ ହେବା ସହ କୃଷ୍ଣା ଜିଲାର ଆଉ ୧୫୦ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସ୍ବାବଲମ୍ବୀ ହୋଇଛନ୍ତି। ସମୟ ଥିଲା ଏହି ଦଳକୁ ଜଳାଶୟରୁ ବାହାର କରି ପିଙ୍ଗି ଦିଆଯାଉଥିଲା। ହେଲେ ଏବେ ଏହି ଦଳ ଜୀବିକାର ସାହାରା ପାଲଟିଛି। ଏଥିରୁ ଆକର୍ଷଣୀୟ ହ୍ୟାଣ୍ଡବ୍ୟାଗ, ବାସ୍କେଟ୍ ଏବଂ ଗିଫ୍ଟବ୍ୟାଗ୍, ଲ୍ୟାମ୍ପଶେଡ ସହ ପ୍ରାୟ ୬୦ ପ୍ରକାର ଘରସଜ୍ଜା ଜିନିଷ ତିଆରି କରାଯାଉଛି। ଏହି କାମ କରି ପ୍ରତ୍ୟେକ ମହିଳା ମାସକୁ ୧୦ ହଜାରରୁ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ଅକ୍ଟୋବର ୨୦୨୪ରୁ ମହିଳାମାନେ କୃଷ୍ଣା ଜିଲା ପ୍ରଶାସନ ପକ୍ଷରୁ ପ୍ରଶିକ୍ଷଣ ପାଇବା ପରେ କଲକତି ଦଳରୁ ବିଭିନ୍ନ ଜିନିଷ ତିଆରି ଆରମ୍ଭ କରିଥିଲେ। କଲିକତି ଦଳକୁ ୧୫ ଦିନ ଶୁଖାଇବା ପରେ ତାହାର ଷ୍ଟାକ୍ସ ବା ବୃନ୍ତରୁ ଏହିସବୁ ଜିନିଷ ତିଆରି ହେଉଛି। ପ୍ରଶିକ୍ଷଣ ସମୟରେ ପ୍ରତି ମାସରେ ୧୨୦ ଟନ୍ ଦଳ ବ୍ୟବହାର କରାଯାଉଥିବାବେଳ ଏବେ ପାଖାପାଖି ୧୫୦ ଟନ୍ ଦଳ କାମରେ ଲାଗୁଛି।

