ଶୀତଋତୁର ଆଗମନରେ ଚିଲିକା ହ୍ରଦର ଆକାଶ ଦୂରଦେଶରୁ ଆସୁଥିବା ପ୍ରବାସୀ ପକ୍ଷୀମାନଙ୍କ ସମାଗମରେ ଜୀବନ୍ତ ହୋଇଉଠେ। ମଧ୍ୟଏସିଆ ଓ ଉତ୍ତର-ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ହଜାର କିଲୋମିଟର ଯାତ୍ରାକରି ଏହି ପକ୍ଷୀମାନେ ଭାରତର ସର୍ବବୃହତ୍ କ୍ଷାର ମିଠାଜଳ ହ୍ରଦରେ ଶୀତକାଳ ବିତାଇବାକୁ ଆସନ୍ତି। ଏହି ପକ୍ଷୀମାନେ ଚିଲିକାର ଜୈବବିବିଧତାର ଦୃଶ୍ୟମାନ ପ୍ରତିନିଧି ହୋଇଥିଲେ ମଧ୍ୟ ଏହାର ପ୍ରକୃତ କାହାଣୀ ନଳବଣର ନଳ, ସମୁଦ୍ରଘାସ (ସି ଗ୍ରାସ୍) ଏବଂ ଜଳଜ ଉଦ୍ଭିଦମାନଙ୍କ ମଧ୍ୟରୁ ଆରମ୍ଭ ହୁଏ।
ଓଡ଼ିଆ ଶବ୍ଦ ନଳ ଓ ବଣରୁ ନାମିତ ନଳବଣ ହେଉଛି ଚିଲିକାର ଅନ୍ତର୍ଭୁକ୍ତ ହୃଦୟସ୍ଥଳ। ପ୍ରାୟ ୧୬ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ଏହି ଅନନ୍ୟ ଦ୍ୱୀପକୁ ୧୯୮୭ ମସିହାରେ ପକ୍ଷୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। ବର୍ଷାଋତୁରେ ନଳବଣ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଏ ଏବଂ ଜଳସ୍ତର ହ୍ରାସ ପାଇଲେ ପୁନର୍ବାର ଦୃଶ୍ୟମାନ ହୁଏ। ଏହି ବାର୍ଷିକ ଜଳମଗ୍ନତା ଓ ପୁନର୍ବାର ଦୃଶ୍ୟମାନ ହେବାର ଚକ୍ର କାଦୁଅ ଭୂମି, ଅଳ୍ପ ଗଭୀର ଜଳାଶୟ, ନଳବଣ ଓ ସି ଗ୍ରାସ୍ କ୍ଷେତ୍ରର ଏପରି ଏକ ପରିବେଶ ସୃଷ୍ଟିକରେ, ଯାହା ଅସଂଖ୍ୟ ଜୀବଙ୍କୁ ଆଶ୍ରୟ ପ୍ରଦାନ କରେ।
ନଳବଣର ନଳ ଓ ଜଳଜ ଉଦ୍ଭିଦମାନେ କେବଳ ସାଧାରଣ ଉଦ୍ଭିଦ ସମୁଦାୟ ନୁହନ୍ତି, ବରଂ ସେମାନେ ଅବକ୍ଷେପକୁ ସ୍ଥିର କରନ୍ତି, ପୋଷକ ତତ୍ତ୍ୱର ପୁନଃଚକ୍ରଣ କରନ୍ତି ଏବଂ ଅସଂଖ୍ୟ ଜୀବଙ୍କୁ ଆଶ୍ରୟ ଯୋଗାଇଥାନ୍ତି। ସି ଗ୍ରାସ୍ କ୍ଷେତ୍ରଗୁଡ଼ିକ ମାଛ, ଶାମୁକା, କ୍ରଷ୍ଟେସିଆନ୍ ଏବଂ ଅନ୍ୟାନ୍ୟ ଜଳଜ ଅମେରୁଦଣ୍ଡୀ ପ୍ରାଣୀଙ୍କ ପାଇଁ ଶିଶୁଭବନ ଭାବେ କାମ କରନ୍ତି। ଏହି ଜୀବମାନେ ଚିଲିକାର ପ୍ରସିଦ୍ଧ ପକ୍ଷିଜଗତକୁ ପୋଷଣ ଯୋଗାଉଥିବା ଖାଦ୍ୟଶୃଙ୍ଖଳର ଭିତ୍ତି ଗଠନ କରନ୍ତି। ଗ୍ରେଟର ଫ୍ଲେମିଙ୍ଗୋ, ବାର-ହେଡେଡ୍ ଗୁଜ୍, ପେଲିକାନ୍, ହେରନ୍, ବ୍ଲାକ୍-ଟେଲ୍ଡ ଗଡ୍ଓ୍ବିଟ୍ ସହ ଅନେକ ପ୍ରଜାତିର ପକ୍ଷୀ ଏହି ଜଳଭୂମି ଉଦ୍ଭିଦ ଦ୍ୱାରା ସମର୍ଥିତ ଜୈବ ଉତ୍ପାଦନଶୀଳତା ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭରଶୀଳ।
ଚିଲିକାର ଜୈବ ସମୃଦ୍ଧିର ମୂଳରେ ରହିଛି ଏହାର ଅନନ୍ୟ ଜଳ ବିଜ୍ଞାନ। ନଦୀମାନଙ୍କରୁ ଆସୁଥିବା ମଧୁରଜଳ ଏବଂ ବଙ୍ଗୋପସାଗରରୁ ପ୍ରବେଶ କରୁଥିବା ଲବଣାକ୍ତ ଜଳ ମିଶି ଏକ କ୍ଷାରମିଠା ପରିବେଶ ସୃଷ୍ଟି କରେ, ଯେଉଁଠାରେ ଲବଣତାର ମାତ୍ରା ସ୍ଥାନଭେଦରେ ପରିବର୍ତ୍ତିତ ହୁଏ। ଏହି ପରିବେଶଗତ କ୍ଷେତ୍ର ଅନେକ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀଙ୍କୁ ସହାୟତା କରେ। ନଳବଣର ଋତୁକାଳୀନ ଜଳଭୂମି ଏହିସବୁ ବାସସ୍ଥାନ ମଧ୍ୟରୁ ସବୁଠାରୁ ଅଧିକ ଉତ୍ପାଦନଶୀଳ ଏବଂ ଶୀତଋତୁରେ ଲକ୍ଷାଧିକ ପ୍ରବାସୀ ପକ୍ଷୀଙ୍କୁ ଆକର୍ଷିତ କରେ।
କିନ୍ତୁ ଏହି ସୂକ୍ଷ୍ମ ସନ୍ତୁଳନ ବର୍ତ୍ତମାନ ଚାପର ସମ୍ମୁଖୀନ। ଚିଲିକାରେ ବଢ଼ୁଥିବା ପ୍ରଦୂଷଣ ନଳବଣର ପରିବେଶ ବା ପରିସ୍ଥିତିତନ୍ତ୍ର ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ରାସାୟନିକ ଭିତ୍ତିକ ଶିଳ୍ପ ଏବଂ ନିବିଡ଼ କୃଷି କାର୍ଯ୍ୟକଳାପ ବୃଦ୍ଧି ସହିତ ଜଳରେ ପାରଦ, କ୍ୟାଡ୍ମିୟମ୍ ଏବଂ ସିସା ପରି ବିଷାକ୍ତ ଭାରୀ ଧାତୁର ଉପସ୍ଥିତି ରିପୋର୍ଟ କରାଯାଇଛି। ଚିଲିକା ଚାରିପାଖରେ ଚିଙ୍ଗୁଡ଼ିଚାଷର ବିସ୍ତାର ମଧ୍ୟ ବାସସ୍ଥାନ ବିଖଣ୍ଡନ ଓ ପରିବେଶଗତ କ୍ଷତିକୁ ନେଇ ଚିନ୍ତା ବଢ଼ାଇଛି। ଏହାସହିତ ଜଳକୁମ୍ଭୀ (Eicchornia sp.) ପରି ଆକ୍ରମଣକାରୀ ଉଦ୍ଭିଦ ପ୍ରଜାତିମାନେ ମଧ୍ୟ ଜଳପଥକୁ ଅବରୋଧ କରି ଜଳଜ ପରିସଂସ୍ଥାକୁ ବିପର୍ଯ୍ୟସ୍ତ କରୁଛନ୍ତି।
ଜଳବାୟୁ ପରିବର୍ତ୍ତନ ନଳବଣର ପ୍ରାକୃତିକ ତାଳକୁ ବଦଳାଇବାର ଆଶଙ୍କା ସୃଷ୍ଟିକରିଛି। ବର୍ଷାଧାରାରେ ପରିବର୍ତ୍ତନ, ଚିଲିକାକୁ ପ୍ରବେଶ କରୁଥିବା ମଧୁରଜଳର ପରିମାଣକୁ ପ୍ରଭାବିତ କରିପାରେ। ଅନ୍ୟପଟେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଚରମ ପାଣିପାଗ ଘଟଣା ଜଳସ୍ତର ଓ ଲବଣତାକୁ ବଦଳାଇପାରେ। ନଳ, ସି ଗ୍ରାସ୍ ଏବଂ ଜଳଜ ଉଦ୍ଭିଦ ଏହି ପରିବେଶଗତ ପରିବର୍ତ୍ତନ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଜଳବିଜ୍ଞାନରେ ହେଉଥିବା ପରିବର୍ତ୍ତନ ପ୍ରବାସୀ ପକ୍ଷୀଙ୍କ ବାସସ୍ଥାନକୁ ମଧ୍ୟ ପ୍ରଭାବିତ କରିପାରେ।
ପର୍ଯ୍ୟଟନ ମଧ୍ୟ ଏହି ସମସ୍ୟାକୁ ବଢ଼ାଉଛି। ବହୁସଂଖ୍ୟକ ଡିଜେଲଚାଳିତ ଯାନ୍ତ୍ରିକ ଡଙ୍ଗାର ଚଳାଚଳ ଫଳରେ ଶବ୍ଦ ଓ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି। ଏହାସହିତ ପର୍ଯ୍ୟଟକମାନଙ୍କ ଦ୍ୱାରା ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ମଧ୍ୟ ଚିଲିକା ଓ ନଳବଣର ପ୍ରତିକ୍ରିୟାଶୀଳ ଜଳଭୂମି ପରିବେଶ ପାଇଁ ଅଧିକ ବିପଦ ସୃଷ୍ଟି କରୁଛି। ତେଣୁ ନଳବଣର ସୁରକ୍ଷା କେବଳ ପକ୍ଷୀ ସଂରକ୍ଷଣ ନୁହେଁ; ଏହା ନଳବଣ, ସି ଗ୍ରାସ୍ କ୍ଷେତ୍ର, ଜଳବିଜ୍ଞାନୀୟ ପ୍ରକ୍ରିୟା ଏବଂ ସ୍ଥାନୀୟ ସମୁଦାୟଙ୍କୁ ସୁରକ୍ଷା ଦେବା ସହିତ ଜଡ଼ିତ। ଉଷ୍ଣ ହେଉଥିବା ପୃଥିବୀରେ ନଳବଣର ପ୍ରବାସୀ ପକ୍ଷୀମାନଙ୍କ ଭବିଷ୍ୟତ ନଳବଣର ଭାଗ୍ୟ ସହ ଅବିଚ୍ଛିନ୍ନ ଭାବରେ ଜଡ଼ିତ। ପକ୍ଷୀମାନେ ଆମର ଦୃଷ୍ଟି ଆକର୍ଷଣ କରିପାରନ୍ତି, କିନ୍ତୁ ସେମାନଙ୍କ ତଳେ ଲୁଚି ରହିଥିବା ଜୀବନ ହିଁ ଏହି ଅସାଧାରଣ ପରିବେଶ ବା ପରିସ୍ଥିତିତନ୍ତ୍ରକୁ ଜୀବନ୍ତ ରଖିଛି।
ବିନାୟକ ମହାପାତ୍ର
ପ୍ରକୃତିପ୍ରେମୀ ତଥା ଗବେଷକ
ଜୀବନ ବିଜ୍ଞାନ, ନାଇଜର
binayakmoha୯୭@gmail.com

