ଭୁବନେଶ୍ବର,୨୬।୧୦: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ପାଖେଇ ଆସୁଥିବା ବେଳେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନବରଙ୍ଗପୁର ଜିଲାରେ ଆସନ୍ତା ୨ ଦିନ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ୨୭ ଓ ୨୮ରେ ସ୍କୁଲ ବନ୍ଦ ରହିବା ନେଇ ଜିଲାପାଳ ଘୋଷଣା କରିଛନ୍ତି ।
ତେବେ କେବଳ ସ୍କୁଲ୍ ନୁହେଁ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରାଯାଇଛି । ତେବେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ୨୭ ତାରିଖରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାରେ ପ୍ରବଳକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, ଜଗତ୍ସିଂହପୁର ଏବଂ ପୁରୀ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି ।

