ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନର ମୂଳ ଆତ୍ମା ହେଉଛି କ୍ଷମତାର ବିକେନ୍ଦ୍ରୀକରଣ ଏବଂ ସମାଜର ଶେଷଧାଡ଼ିର ମଣିଷକୁ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାଗୀଦାର କରାଇବା। ବିଶେଷକରି ଦେଶର ଅନେକ କୋଟି ଆଦିବାସୀ ଓ ବନବାସୀ ସମ୍ପ୍ରଦାୟଙ୍କ ପାଇଁ ଜଳ, ଜଙ୍ଗଲ ଓ ଜମି କେବଳ ଭୌତିକ ସମ୍ପଦ ନୁହେଁ, ବରଂ ସେମାନଙ୍କ ଜୀବନ, ଜୀବିକା, ପରମ୍ପରା ଏବଂ ସାଂସ୍କୃତିକ ଅସ୍ମିତାର ଅଭିନ୍ନ ଅଙ୍ଗ। ବ୍ରିଟିଶ୍ ଔପନିବେଶିକ ଶାସନ କାଳରୁ ଜଙ୍ଗଲ ଉପରେ ଚାଲିଆସିଥିବା ସରକାରୀ ଏକଚାଟିଆ ନିୟନ୍ତ୍ରଣ ଓ ଐତିହାସିକ ଅନ୍ୟାୟର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଭାରତୀୟ ସଂସଦରେ ପଞ୍ଚାୟତିରାଜ (ଅନୁସୂଚିତ କ୍ଷେତ୍ର ସମ୍ପ୍ରସାରଣ) ଆଇନ, ୧୯୯୬ (ପେସା- ୧୯୯୬) ଏବଂ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନଜୀବୀ (ଜଙ୍ଗଲ ଅଧିକାର ସ୍ବୀକୃତି) ଆଇନ, ୨୦୦୬ (ଏଫଆର୍ଏ-୨୦୦୬) ନାମରେ ଦୁଇଟି ଆଇନ ପ୍ରଣୟନ ହୋଇଥିଲା। ଏହି ଆଇନଗୁଡ଼ିକ ଆଦିବାସୀ ସମୁଦାୟଙ୍କୁ ନିଜ ପାରମ୍ପରିକ ଆବାସସ୍ଥଳୀରେ ସ୍ବୟଂଶାସନ ପ୍ରତିଷ୍ଠା କରିବାର ଅଧିକାର ପ୍ରଦାନ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଏହି ଉଭୟ ଆଇନର କେନ୍ଦ୍ରବିନ୍ଦୁ ହେଉଛି ‘ଗ୍ରାମସଭା’। ପେସା ଆଇନ ଅନୁସାରେ ଗ୍ରାମସଭା କୌଣସି ପଞ୍ଚାୟତସ୍ତରୀୟ ରାଜନୈତିକ କମିଟି କିମ୍ବା ପରାମର୍ଶଦାତା ମଞ୍ଚ ନୁହେଁ, ବରଂ ସିଧାସଳଖ ଗ୍ରାମବାସୀଙ୍କୁ ନେଇ ଗଠିତ ପ୍ରତ୍ୟକ୍ଷ ଗଣତନ୍ତ୍ରର ସର୍ବୋଚ୍ଚ ସ୍ବୟଂଶାସିତ ସଂସ୍ଥା। ଅନୁସୂଚିତ କ୍ଷେତ୍ରରେ କୌଣସି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ବିସ୍ଥାପିତଙ୍କ ଥଇଥାନ, ଲଘୁ ଖଣିଜ ଲିଜ୍ ପାଇଁ ସୁପାରିସ, ଲଘୁ ବନଜାତ ଦ୍ରବ୍ୟର ସମ୍ପୂର୍ଣ୍ଣ ମାଲିକାନା ତଥା ଆଦିବାସୀଙ୍କ ଜମି ବେଆଇନ ହସ୍ତାନ୍ତରକୁ ରୋକିବା ଓ ଫେରାଇ ଆଣିବାର ସାମ୍ବିଧାନିକ କ୍ଷମତା ଗ୍ରାମସଭା ହାତରେ ନ୍ୟସ୍ତ। ସେହିପରି ଜଙ୍ଗଲ ଅଧିକାର ଆଇନ (ଏଫ୍ଆର୍ଏ-୨୦୦୬ର ଧାରା ୬(୧) ଅନୁଯାୟୀ, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ନିର୍ଦ୍ଧାରଣ କରିବାର ଏକମାତ୍ର ଅର୍ଦ୍ଧ-ନ୍ୟାୟିକ କ୍ଷମତା ଗ୍ରାମସଭା ନିକଟରେ ରହିଛି ଏବଂ ଧାରା-୫ ଅନୁସାରେ ଜଙ୍ଗଲ, ବନ୍ୟପ୍ରାଣୀ ଓ ଜୈବବିବିଧତାକୁ ଯେକୌଣସି ବିନାଶକାରୀ କାର୍ଯ୍ୟରୁ ରକ୍ଷା କରିବାର ଆଇନଗତ ଦାୟିତ୍ୱ ମଧ୍ୟ ଏହାକୁ ପ୍ରଦାନ କରାଯାଇଛି।
ଏହି ସାମ୍ବିଧାନିକ ନୀତିକୁ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୩ ମସିହାର ଐତିହାସିକ ‘ନିୟମଗିରି ରାୟ’ରେ ଆଇନର ଶୀର୍ଷ ସ୍ଥାନରେ ସ୍ଥାପନ କରିଥିଲେ। ଓଡ଼ିଶା ଖଣି ନିଗମ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ, ନିୟମଗିରି ପର୍ବତମାଳାରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ତଥା ଅନ୍ୟ ବନବାସୀଙ୍କ ଧାର୍ମିକ, ସାଂସ୍କୃତିକ ଓ ଜୀବିକାର ଅଧିକାର ପ୍ରଭାବିତ ହେଉଛି କି ନାହିଁ ତାହା ନିଷ୍ପତ୍ତି ନେବାର ସାର୍ବଭୌମ ଅଧିକାର କେବଳ ଗ୍ରାମସଭାର ରହିଛି। ଅଦାଲତର ଏହି ରାୟ ଅନୁସାରେ ନିୟମଗିରିର ୧୨ଟି ଗଁାରେ ଅନୁଷ୍ଠିତ ଗ୍ରାମସଭାରେ ସର୍ବସମ୍ମତିକ୍ରମେ ବକ୍ସାଇଟ୍ ଖଣି ଖନନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହାପରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପ୍ରକଳ୍ପର ପରିବେଶ ମଞ୍ଜୁରୀକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲା। ଏହି ଐତିହାସିକ ଘଟଣା ସାବ୍ୟସ୍ତ କରିଥିଲା ଯେ ଜଙ୍ଗଲ ଜମିକୁ ଖଣି, ଶିଳ୍ପ ବା ଭିତ୍ତିଭୂମି ଭଳି ଅଣ-ଜଙ୍ଗଲ କାର୍ଯ୍ୟରେ ହସ୍ତାନ୍ତର କରିବା ପୂର୍ବରୁ ସମସ୍ତ ଅଧିକାରର ସମାଧାନ ହେବା ସହ ପ୍ରଭାବିତ ଗ୍ରାମସଭାର ମୁକ୍ତ, ପୂର୍ବ ଏବଂ ସୂଚିତ ସମ୍ମତି (ଏଫ୍ପିଆଇସି) ନେବା ଏକ ଅଲଙ୍ଘନୀୟ ଆଇନଗତ ସର୍ତ୍ତ।
ମାତ୍ର ବାସ୍ତବତା ହେଉଛି, ଆଜି କର୍ପୋରେଟ୍ ଖଣି ମାଲିକ ଓ ପୁଞ୍ଜିପତିଙ୍କ ସ୍ବାର୍ଥ ସାଧନ ପାଇଁ ଏହି ସମସ୍ତ ସାମ୍ବିଧାନିକ ସୁରକ୍ଷା ବଳୟ ଉପରେ ଚତୁର୍ଦ୍ଦିଗରୁ ସୁଚିନ୍ତିତ ଆକ୍ରମଣ ଚାଲିଛି। ସମ୍ବିଧାନର ପଞ୍ଚମ ଅନୁସୂଚୀରେ ସାମିଲ ଦେଶର ଅନ୍ୟ ସମସ୍ତ ରାଜ୍ୟ ପେସା ନିୟମାବଳୀ ପ୍ରଣୟନ କରିସାରିଥିବା ବେଳେ ଓଡ଼ିଶା ସରକାର ଦୀର୍ଘ ବର୍ଷ ଧରି ଏନେଇ କେବଳ ମିଥ୍ୟା ଆଶ୍ୱାସନା ଦେଇଆସୁଛନ୍ତି। ଓଡ଼ିଶାର ମୋଟ ଭୌଗୋଳିକ କ୍ଷେତ୍ରର ୪୪.୭% ଅଞ୍ଚଳ ଅନୁସୂଚିତ ଅଞ୍ଚଳ ହୋଇଥିବା ସତ୍ତ୍ୱେ ସେଠାରେ ପେସା ନିୟମ ଲାଗୁ ନ କରି କେବଳ ମରୀଚିକା ସୃଷ୍ଟି କରାଯାଉଛି। ୨୦୨୪ରେ ନୂତନ ସରକାର ଆସିବା ପରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାକୁ ଶୀତଳ ଭଣ୍ଡାରରେ ରଖିଦିଆଯାଇଛି। ଲୋକଙ୍କୁ ଏହି ଆଇନ ଅନ୍ତର୍ଗତ ଜଙ୍ଗଲ ଜମିରେ ଅଧିକାର ଦେବାରେ ସହାୟତା କରିବାକୁ ତୃଣମୂଳ ସ୍ତରରେ ଯେଉଁ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତ ଦିଆଯାଇଥିଲା, ସେମାନଙ୍କୁ ଏ ଭିତରେ କାର୍ଯ୍ୟରୁ ବାହାର କରିଦିଆଯାଇଛି। ସରକାରଙ୍କ ଆଭିମୁଖ୍ୟରୁ ମନେହେଉଛି, ଯେପରି ସମସ୍ତ ମୂଲ୍ୟବାନ୍ ଖଣି ଖାଦାନ କର୍ପୋରେଟ୍ମାନଙ୍କୁ ନିଲାମ କରିସାରିବା ପରେ ଯାଇ ଲୋକଦେଖାଣିଆ ଭାବେ ପେସା ନିୟମ ଆଣିବେ, ଯଦ୍ଦ୍ବାରା କମ୍ପାନୀମାନଙ୍କୁ ଆଉ ଗ୍ରାମସଭାର ସାମ୍ନା କରିବାକୁ ପଡ଼ିବ ନାହିଁ।
ଠିକ୍ ଏହି ସମୟରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ୨୦୨୬ ଅଗଷ୍ଟ ୩୧ରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଓ ରାଷ୍ଟ୍ରୀୟ ଜଳ ବିଦ୍ୟୁତ ନିଗମ (ଏନ୍ଏଚ୍ପିସି)କୁ ଏକ ଅତ୍ୟନ୍ତ ଆପତ୍ତିଜନକ ଚିଠି ଲେଖିଛି। ଏହି ପତ୍ରରେ ଦର୍ଶାଯାଇଛି ଯେ ଅଣ-ଜଙ୍ଗଲ କାର୍ଯ୍ୟ ପାଇଁ ଜଙ୍ଗଲ ଜମି ବ୍ୟବହାର ବା ହସ୍ତାନ୍ତର କ୍ଷେତ୍ରରେ ଗ୍ରାମସଭାର ସମ୍ମତି ନେବାର କୌଣସି ଆବଶ୍ୟକତା ଜଙ୍ଗଲ ଅଧିକାର ଆଇନରେ ନାହିଁ ଏବଂ ଏହା ଗ୍ରାମସଭାର ଅଧିକାର ପରିସରଭୁକ୍ତ ନୁହେଁ। ଆଦିବାସୀଙ୍କ ଅଧିକାର ସୁରକ୍ଷା ପାଇଁ ଗଠିତ ନୋଡାଲ ମନ୍ତ୍ରଣାଳୟର ଏଭଳି ପଦକ୍ଷେପ ଆଇନର ଘୋର ବିକୃତ ତର୍ଜମା ଏବଂ ନିଜର ସାମ୍ବିଧାନିକ ଦାୟିତ୍ୱରୁ ଖୋଲାଖୋଲି ପଛଘୁଞ୍ଚା ଦେବା ସଦୃଶ। ଏହା ଜରିଆରେ କର୍ପୋରେଟ୍ ସଂସ୍ଥାମାନଙ୍କ ପାଇଁ ଅବାଧରେ ଜଙ୍ଗଲ ହାତେଇବାର ବାଟ ପରିଷ୍କାର କରିଦିଆଯାଇଛି।
ତେବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଏହି ପଦକ୍ଷେପ ତାହାର ଅତୀତର ନିଜସ୍ବ ନିର୍ଦ୍ଦେଶାବଳୀଗୁଡ଼ିକର ସମ୍ପୂର୍ଣ୍ଣ ବିରୋଧାଚରଣ କରୁଛି। ୨୦୧୨ ଜୁଲାଇ ୧୨ରେ ରାଜ୍ୟ ସରକାରମାନଙ୍କୁ ପଠାଯାଇଥିବା ସରକାରୀ ପତ୍ରରେ ଏବଂ ୧୨ ଜାନୁଆରୀ ୨୦୧୮ରେ ପରିବେଶ ମନ୍ତ୍ରଣାଳୟ ସହ ବୈଠକରେ ଜନଜାତି ମନ୍ତ୍ରଣାଳୟ ନିଜେ ସ୍ପଷ୍ଟ କରିଥିଲା ଯେ ଜଙ୍ଗଲ ଜମି ହସ୍ତାନ୍ତରର ପ୍ରଥମ ପର୍ଯ୍ୟାୟରେ ଗ୍ରାମସଭାର ସମ୍ମତି ଏବଂ ବନାଧିକାରର ସମାଧାନ ହେବା ବାଧ୍ୟତାମୂଳକ। ଏପରିକି ୨୦୧୮ ଡିସେମ୍ବର ୨୮ରେ ସଂସଦରେ ସରକାର ସ୍ବୀକାର କରିଥିଲେ ଯେ, ଗ୍ରାମସଭା ଅନୁମୋଦନ ବିନା କୌଣସି ଜଙ୍ଗଲ ଜମି ହସ୍ତାନ୍ତର ହୋଇପାରିବ ନାହିଁ। ସଂଶୋଧିତ ବନ ସଂରକ୍ଷଣ ଆଇନ-୨୦୨୩ର ନିୟମାବଳୀର ନିୟମ ୧୧(୭) ଅନୁସାରେ ମଧ୍ୟ ଅଧିକାରର ସମାଧାନ ଅପରିହାର୍ଯ୍ୟ। ଏସବୁ ସତ୍ତ୍ୱେ ଆଦିବାସୀ ମନ୍ତ୍ରଣାଳୟ ନିଜ ସ୍ଥିତିରୁ ଓହରିଯାଇ ଗ୍ରାମସଭାର କ୍ଷମତାକୁ ଖାରଜ କରିବା କେବଳ ବେଆଇନ ନୁହେଁ, ବରଂ ସୁପ୍ରିମକୋର୍ଟଙ୍କ ନିୟମଗିରିର ଐତିହାସିକ ରାୟ ତଥା ସମ୍ବିଧାନର ଧାରା ୧୪ ଓ ୨୧ର ଖୋଲା ଉଲ୍ଲଂଘନ ।
ଉପରୋକ୍ତ ସମସ୍ତ ପଦକ୍ଷେପ ପଛରେ ଦେଶୀ ବିଦେଶୀ କର୍ପୋରେଟ୍ମାନଙ୍କ ଖଣି ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ହସ୍ତାନ୍ତରକୁ ସହଜ କରିବାର ଉଦ୍ଦେଶ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି। କର୍ପୋରେଟ୍ଙ୍କ ଖଣିଲୁଟ୍କୁ ଅବିଚାରିତ ଓ ଲଗାମଛଡ଼ା କରିବା ଲକ୍ଷ୍ୟରେ ନିକଟରେ କେନ୍ଦ୍ର ସରକାର ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ (ଏମ୍ଏମ୍ଡିଆର୍ ଆକ୍ଟ)ରେ ସଂଶୋଧନ ଆଣିଛନ୍ତି। ସଂଶୋଧିତ ଆଇନରେ ଦେଶର ଖଣିଜ ସମ୍ପଦ ଗଚ୍ଛିତ ରହିଥିବା ଜମିର ମାଲିକାନାକୁ ରାଜ୍ୟ ସରକାରମାନଙ୍କଠାରୁ ଛଡ଼ାଇ ନେଇ କେନ୍ଦ୍ର ସରକାରଙ୍କ ହାତରେ ଟେକି ଦିଆଯାଇଛି। କେଉଁ କମ୍ପାନୀଙ୍କୁ କେଉଁ ଖଣି ଓ କେତେ ଖଣି ଦିଆଯିବ ତାହା ଆଉ ରାଜ୍ୟ ସରକାର ନୁହେଁ, କେନ୍ଦ୍ର ସରକାର ସ୍ଥିର କରିବେ। ଏଭଳି ସ୍ଥଳେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଭଳି ଖଣିଜବହୁଳ ରାଜ୍ୟମାନଙ୍କରେ ଅନେକ ହଜାର ଏକର ଜଙ୍ଗଲ ଓ ପାହାଡ଼କୁ କମ୍ପାନୀମାନଙ୍କୁ ଟେକିଦେବା ପାଇଁ ଗ୍ରାମସଭା ଏକମାତ୍ର ଗଣତାନ୍ତ୍ରିକ ପ୍ରତିବନ୍ଧକ ସାଜି ଠିଆ ହୋଇଛି। ସେସବୁ ଅଞ୍ଚଳରେ ପିଢ଼ି ପିଢ଼ି ଧରି ବସବାସ କରିଆସୁଥିବା ସାଧାରଣ ଲୋକ ବିଶେଷକରି ଆଦିବାସୀମାନଙ୍କ ଚଳନ୍ତି ଜୀବିକା ଓ ପ୍ରାକୃତିକ ସମ୍ପଦକୁ କର୍ପୋରେଟଙ୍କ ଖଣିଖନନରୁ ସୁରକ୍ଷିତ ରଖିବା ପାଇଁ ଗ୍ରାମସଭା ହିଁ ଏକମାତ୍ର ହତିଆର ଥିଲା। ଏଯାଏ ନିଜର ପ୍ରଶାସନିକ କ୍ଷମତା, ପୋଲିସ ଦମନ ଏବଂ ଅତ୍ୟାଚାର ବଳରେ ସ୍ଥାନୀୟ ଲୋକଙ୍କ ସ୍ବରକୁ ଦବାଇ ବଳପୂର୍ବକ ଜମି ଅଧିଗ୍ରହଣ କରି ଆସୁଥିବା ସରକାର-କର୍ପୋରେଟ୍ ମେଣ୍ଟ ଏବେ ଗ୍ରାମସଭାର ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛି।
ଅତଏବ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଆଦିବାସୀଙ୍କ ସ୍ବାର୍ଥରେ ତୁରନ୍ତ ତାହାର ବେଆଇନ ପତ୍ରକୁ ପ୍ରତ୍ୟାହାର କରିବା ଦରକାର। ଓଡ଼ିଶା ସରକାର ଟାଳଟୁଳ ନୀତି ପରିହାର କରି ପୂର୍ଣ୍ଣ କ୍ଷମତା ସହ ପେସା ନିୟମାବଳୀ ତୁରନ୍ତ ଲାଗୁ କରିବା ଜରୁରୀ। ଏହାସହ ଜଳ, ଜଙ୍ଗଲ ଓ ଜମି ଉପରେ ଆଦିବାସୀଙ୍କ ମୌଳିକ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବାକୁ ସରକାର ତୁରନ୍ତ ନିଜର ନିଷ୍ପତ୍ତିର ପୁନଃ ମୂଲ୍ୟାୟନ କରିବା ଦରକାର।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ: ୯୪୩୭୧୬୬୩୯୧

