ନୂଆଦିଲ୍ଲୀ, ୨୬।୧୦: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ‘କଫି ୱିଥ୍ କରନ ୯’ରେ ଦେଇଥିବା ଏକ ସାକ୍ଷାତକାର ପରେ ଉଭୟଙ୍କୁ ନେଇ ଆଲୋଚନା ଓ ଟ୍ରୋଲିଂ ବଢ଼ିଛି । ଏହାକୁ ନେଇ ଏବେ ରଶ୍ମିକା ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ସେୟାର କରି ସେ ଏହି ଚର୍ଚ୍ଚାକୁ ଭୁଲ୍ ବୁଝାମଣା ବୋଲି କହିବା ସହ ବିଜୟଙ୍କ ସହ ନିଜ ସମ୍ପର୍କ ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି।
ରଶ୍ମିକା ନିଜ ପୋଷ୍ଟରେ ଲେଖିଛନ୍ତି ଯେ ସୋସିଆଲ ମିଡିଆରେ ମତ ରଖିବା ସମସ୍ତଙ୍କ ଅଧିକାର । ସେ ନିଜେ ମଧ୍ୟ ଅନ୍ୟମାନଙ୍କ ମତାମତ ପଢ଼ିବା ଓ ଭିନ୍ନ ଦୃଷ୍ଟିକୋଣ ବୁଝିବାକୁ ପସନ୍ଦ କରନ୍ତି । କିନ୍ତୁ ଏଥର ସାକ୍ଷାତକାରକୁ ନେଇ ଯେଉଁଭଳି ଆଲୋଚନା ହେଉଛି, ତାହା କେବଳ ମତାମତ ଦେବା ଭଳି ଲାଗୁନାହିଁ । ବରଂ ଲୋକେ ନିଜର ରାଗ ଜାହିର କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଖୋଜୁଥିବା ଭଳି ଲାଗୁଛି ବୋଲି ସେ କହିଛନ୍ତି। ତାଙ୍କ ମତରେ, ଏହି ପୂରା ବିବାଦ ଓ ହୋହଲ୍ଲା ମଧ୍ୟରେ ମୁଖ୍ୟ କଥାଟି କେଉଁଠି ହଜିଯାଇଛି । ରଶ୍ମିକା ଓ ବିଜୟଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଅନାବଶ୍ୟକ ମନ୍ତବ୍ୟ, ପରାମର୍ଶ ଓ ସମାଲୋଚନାର ଅନେକ ପୋଷ୍ଟ ଆସିଥିବା ରଶ୍ମିକା ଉଲ୍ଲେଖ କରିଛନ୍ତି।
ବିଜୟଙ୍କୁ ବିବାହ ପାଇଁ ବାରମ୍ବାର କହିବା ଏବଂ ତାଙ୍କୁ ମନାଇବା ପାଇଁ ଏକ ବର୍ଷ ସମୟ ଲାଗିବା ପ୍ରସଙ୍ଗକୁ ନେଇ ରଶ୍ମିକା ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ଏହି ଆଲୋଚନା ନିଶ୍ଚିତ ଭାବେ ହୋଇଥିଲା, କିନ୍ତୁ ଏହାକୁ ନେଇ ଲୋକେ ଭୁଲ୍ ଅର୍ଥ ବାହାର କରିଛନ୍ତି। ରଶ୍ମିକାଙ୍କ କହିବା ଅନୁସାରେ, ଉଭୟଙ୍କ ମଧ୍ୟରୁ କେହି ବଡ଼ ଧରଣର ପ୍ରପୋଜାଲ୍ ଆଶା କରୁନଥିଲେ। ବରଂ ପରସ୍ପରକୁ ଭଲ ଭାବେ ବୁଝିବା ପାଇଁ କିଛି ସମୟ ଓ ସ୍ୱାଧୀନତା ନେବା ଉପରେ ଆଲୋଚନା ହୋଇଥିଲା। ଜୀବନର ସୁଖ, ଦୁଃଖ, ଚାପ ଓ ବିଭିନ୍ନ ପରିସ୍ଥିତି ମଧ୍ୟରେ ଉଭୟେ ପରସ୍ପରଙ୍କ ସହ ରହିବାକୁ ଚାହୁଁଛନ୍ତି କି ନାହିଁ ଏବଂ ଏଥିପାଇଁ ଏହା ଉପଯୁକ୍ତ ସମୟ କି ନୁହେଁ, ତାହା ନିଶ୍ଚିତ କରିବାକୁ ଚାହୁଁଥିଲେ। ଶେଷରେ ଉଭୟେ ପରସ୍ପରକୁ ବାଛିଥିବା କଥା ରଶ୍ମିକା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ଏହି ପୋଷ୍ଟ ସହ ରଶ୍ମିକା ବିଜୟ ଦେବରକୋଣ୍ଡାଙ୍କ ସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ବିଜୟ ରଶ୍ମିକାଙ୍କୁ ପିଠିରେ ବସାଇ ଘର ଭିତରେ ବୁଲୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ରଶ୍ମିକାଙ୍କ ଏହି ପୋଷ୍ଟ ପରେ ବିଜୟଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚାଲିଥିବା ଆଲୋଚନା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ତେବେ ଅଭିନେତ୍ରୀଙ୍କ ସ୍ପଷ୍ଟୀକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ତାଙ୍କ ବ୍ୟକ୍ତିଗତ ଜୀବନର ଆଲୋଚନାକୁ ନେଇ ଚାଲିଥିବା ଭୁଲ୍ ବୁଝାମଣା ଦୂର କରିବା।

