ମହାକାଳପଡ଼ା,୨୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ମୁହାଁ ହେଉଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲାପାଳଙ୍କୁ ଆଲର୍ଟ କରାଯାଇଛି।
ଅନ୍ୟପକ୍ଷରେ, କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ଉପକୂଳ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହିତ ପ୍ରତି ପଞ୍ଚାୟତରେ ରେସ୍କ୍ୟୁ ଟିମ୍ ଗଠନ କରାଯାଇଛି।
ତେବେ ଏହାରି ମଧ୍ୟରେ ଏକ ବଡ଼ ସମସ୍ୟା ସାମ୍ନାକୁ ଆସିଛି। ମିଳିଥିବା ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସଂଲଗ୍ନ ମାଦଳୀ ଓ ଲଞ୍ଚଘୋଲା ନିର୍ଜନ ଦ୍ୱୀପପୁଞ୍ଜରେ ଶବର ସମ୍ପ୍ରଦାୟର ୨୦ରୁ ଅଧିକ ଜନଜାତି ପୁରୁଷ, ମହିଳା ଓ ଶିଶୁ କଙ୍କଡ଼ା ଧରିବା ପାଇଁ ଯାଇ ଗତ ତିନି ସପ୍ତାହ ହେବ ପଲିଥିନ ଏବଂ ଜଙ୍ଗଲୀ କାଠରେ ଘର କରି ରହୁଛନ୍ତି। ତେବେ ସେମାନଙ୍କ ନିକଟରେ ବାତ୍ୟା ସମ୍ପର୍କିତ କୌଣସି ସୂଚନା ନାହିଁ ବୋଲି ସେମାନଙ୍କ ନିକଟତର ସମ୍ପର୍କୀୟମାନେ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ‘ଜିରୋ କାଜୁଆଲିଟି’ (ଶୂନ୍ୟ କ୍ଷୟକ୍ଷତି) ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଥିବାବେଳେ, ଏହି ଭୟଙ୍କର ବାତ୍ୟା ପ୍ରଭାବ ସିଧାସଳଖ ଏହି ଦ୍ୱୀପପୁଞ୍ଜ ଉପରେ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏହି କଙ୍କଡ଼ା ଧରାଳିମାନେ ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତର ବାସିନ୍ଦା ବୋଲି ଜଣାପଡ଼ିଛି। ତେଣୁ ତୁରନ୍ତ ଏହି ଜନଜାତିଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ପାଇଁ ଦାବି ଜୋର ଧରିଛି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର୍. ଆୟାରଙ୍କୁ ପଚାରିବାରୁ, ଦ୍ୱୀପପୁଞ୍ଜରେ ଥିବା ଏହି ୨୦ ଜଣ କଙ୍କଡ଼ା ଧରାଳିଙ୍କୁ ସୁରକ୍ଷିତ ଭାବେ ରେସ୍କ୍ୟୁ କରାଯିବା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

