ଭୁବନେଶ୍ୱର, ୨୭।୧୦(ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ମିଥ୍ୟା, ଭ୍ରମାତ୍ମକ ଓ ଅନୁମାନଭିତ୍ତିକ ପୂର୍ବାନୁମାନ ତଥା ସତର୍କ ସୂଚନା ପ୍ରସାରଣ କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ। ଏନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟରୁ ସୋମବାର ଆଡ୍ଭାଇଜରି ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମ, ଡିଜିଟାଲ ପ୍ଲାଟ୍ଫର୍ମ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ଏଭଳି ଖବର ପ୍ରସାରଣ ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି ହେଉଛି। ବିପର୍ଯ୍ୟୟ ପରିଚାଳନା ଆଇନ- ୨୦୦୫ର ଧାରା ୫୪ ଅନୁଯାୟୀ, ବିପର୍ଯ୍ୟୟ ସମ୍ପର୍କରେ ମିଥ୍ୟା ସତର୍କ ସୂଚନା ଦେଇ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ସମ୍ମୁଖୀନ ହୋଇପାରନ୍ତି। ସେହିପରି ଉକ୍ତ ଆଇନର ଧାରା ୫୧ ଅନୁଯାୟୀ, ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା କିମ୍ବା ଆଇନସମ୍ମତ ନିର୍ଦ୍ଦେଶ ପାଳନ ନ କରିବା ମଧ୍ୟ ଦଣ୍ଡନୀୟ ଅପରାଧ। ଆବଶ୍ୟକ ସ୍ଥଳେ ମିଥ୍ୟା ବିପର୍ଯ୍ୟୟ ସୂଚନା ପ୍ରସାରଣକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ଆଡ୍ଭାଇଜରିରେ କୁହାଯାଇଛି ଯେ, କେତେକ ବ୍ୟକ୍ତି ଏବଂ ନିଜକୁ ପାଣିପାଗ ବିଶେଷଜ୍ଞ ବୋଲି ପରିଚୟ ଦେଉଥିବା ଲୋକ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସରକାରୀ ପୂର୍ବାନୁମାନକୁ ଆଧାର ନ କରି ବାତ୍ୟାର ସମ୍ଭାବ୍ୟ ଗତିପଥ, ସ୍ଥଳଭାଗ ଛୁଇଁବା ସ୍ଥାନ ଓ କ୍ଷୟକ୍ଷତି ସମ୍ପର୍କରେ ଅନୁମାନଭିତ୍ତିକ ଭ୍ରମାତ୍ମକ ତଥ୍ୟ ପ୍ରଚାର କରୁଛନ୍ତି। ଏଭଳି ଖବର ଚାଷୀଙ୍କୁ ଭୟଭୀତ କରି ଆଗୁଆ ଫସଲ ଅମଳ କରିବାକୁ ବାଧ୍ୟ କରିପାରେ। ଏଥିସହ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ଓ ଆତଙ୍କିତ ହୋଇ କିଣାକିଣି କରିବା ଯୋଗୁ କୃତ୍ରିମ ଅଭାବ ଓ ଦରବୃଦ୍ଧି ହେବାର ଆଶଙ୍କା ରହିଛି। ତେଣୁ କେବଳ ଆଇଏମ୍ଡି, ଏସ୍ଆର୍ସି, ଜିଲା ପ୍ରଶାସନ ଏବଂ ଅନ୍ୟ ଅଧିକୃତ ସଂସ୍ଥା ଜାରି କରୁଥିବା ପାଣିପାଗ ବୁଲେଟିନ ଓ ସତର୍କ ସୂଚନା ଉପରେ ଭରସା କରିବାକୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ୟୁଟ୍ୟୁବ୍ ଚ୍ୟାନେଲ, ଫେସ୍ବୁକ ପେଜ୍, ହ୍ବାଟ୍ସଆପ୍ ଗ୍ରୁପ୍ ଏବଂ ଅନ୍ୟ ଡିଜିଟାଲ ମାଧ୍ୟମରେ ମିଥ୍ୟା ଘୂର୍ଣ୍ଣିବାତ୍ୟାର ଗତିପଥ, ଭ୍ରମାତ୍ମକ ସ୍ଥଳଭାଗ ସ୍ପର୍ଶ ପୂର୍ବାନୁମାନ କିମ୍ବା ଅତିରଞ୍ଜିତ କ୍ଷୟକ୍ଷତିର ଆକଳନ ପ୍ରସାରଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

