ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇ ନ ଥିବା ରାହୁଲ, ତୃତୀୟ ମ୍ୟାଚରେ ସୁଯୋଗ ମିଳିବା କ୍ଷଣି ୱାର୍ଲ୍ଡକପ୍ରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ପଦବୀ ପାଇଁ ନିଜର ଦାବିକୁ ଆହୁରି ମଜବୁତ କରିଛନ୍ତି। ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ରାହୁଲ ମାତ୍ର ୮୦ଟି ବଲ୍ରୁ ନିଜ କ୍ୟାରିୟରର ୯ମ ତଥା ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଛନ୍ତି।
ରାହୁଲ ୮୭ଟି ବଲ୍ରୁ ୧୦ଟି ଚୌକା ଓ ୬ଟି ଛକା ସହାୟତାରେ ୧୨୯ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଛନ୍ତି, ଯାହାକି ଦିନିକିଆ କ୍ରିକେଟରେ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ରାହୁଲଙ୍କ ଏହି ଦମଦାର ଶତକ, ରୋହିତ ଶର୍ମାଙ୍କ ୯୨ ରନ୍ ଏବଂ ଋତୁରାଜ ଗାଏକୱାଡଙ୍କ ୫୭ ରନ୍ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୫୨ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ନମ୍ବର ୫ ପୋଜିସନ୍ରେ ବ୍ୟାଟିଂ କରି ଶତକ ମାରିବା ମାମଲାରେ କେଏଲ୍ ରାହୁଲ ପୂର୍ବତନ ଭାରତୀୟ ଅଧିନାୟକ ଏମ୍ଏସ୍ ଧୋନିଙ୍କ ବରାବର କରିଛନ୍ତି। ୫ମ ସ୍ଥାନରେ ଆସି ରାହୁଲ ନିଜର ୪ର୍ଥ ଦିନିକିଆ ଶତକ ହାସଲ କରିଛନ୍ତି। ଭାରତ ପାଇଁ ଏହି ନମ୍ବରରେ ସବାଧିକ ୭ଟି ଶତକ ମାରିବାର ରେକର୍ଡ ଯୁବରାଜ ସିଂହଙ୍କ ନାମରେ ରହିଛି।
ନମ୍ବର ୫ ପୋଜିସନ୍ରେ ସବାଧିକ ଶତକ (ଭାରତ):
-
ଯୁବରାଜ ସିଂହ: ୭ ଶତକ (୯୯ ମ୍ୟାଚ୍)
-
ଏମ୍ଏସ୍ ଧୋନି: ୪ ଶତକ (୯୫ ମ୍ୟାଚ୍)
-
କେଏଲ୍ ରାହୁଲ: ୪ ଶତକ (୩୯ ମ୍ୟାଚ୍)
ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ୍ ପୂରଣ
ଏହି ଇନିଂସ ବଳରେ କେଏଲ୍ ରାହୁଲ ଅନ୍ତର୍ଜାତୀୟ କ୍ରିକେଟରେ (ଟେଷ୍ଟ, ଦିନିକିଆ ଓ ଟି-୨୦ ମିଶାଇ) ନିଜର ୧୦,୦୦୦ ରନ୍ ପୂରଣ କରିଛନ୍ତି। ସେ ଭାରତର ୧୫ଶ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ୨୪୩ଟି ମ୍ୟାଚର ୨୮୧ଟି ଇନିଂସରୁ ୪୧.୦୩ ହାରସାରାସରୀରେ ରାହୁଲଙ୍କ ନାମରେ ବର୍ତ୍ତମାନ ୧୦,୦୯୪ ରନ୍ ରହିଛି। ଏହି ସମୟ ମଧ୍ୟରେ ସେ ୨୩ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କର ସର୍ବୋଚ୍ଚ ସ୍କୋର ୧୯୯ ରନ୍ ରହିଛି।

