କେସିଙ୍ଗା, ୫।୧୦ (ତୁମେଶ୍ୱର ସାହୁ): କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପର ଆରଇଟି ସର୍ଭେ ତଥା ପ୍ରକଳ୍ପ ପାଇଁ ଆବଶ୍ୟକ ବଜେଟ ବ୍ୟୟବରାଦ ଦାବିରେ କଳାହାଣ୍ଡି ରେଳ ଯାତ୍ରୀ ସଂଘ ପକ୍ଷରୁ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ)ଙ୍କୁ ସୋମବାର ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହା ସହିତ ଜନସାଧାରଣଙ୍କ ବିଭିନ୍ନ ଦାବି ଆଧାରରେ କେସିଙ୍ଗା, ଭବାନୀପାଟଣା, ଜୁନାଗଡ଼, ରାମଚନ୍ଦ୍ରପୁର, ଦେପୁର, କୁଟରୁଖମାର ଓ ନର୍ଲା ରୋଡ ଷ୍ଟେସନ ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ଦାବି ନେଇ ଡିଆରଏମ୍ଙ୍କ ସହ ସଂଘ ପକ୍ଷରୁ ଆଲୋଚନା କରାଯାଇଥିଲା।
କଳାହାଣ୍ଡି ଓ ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ଭାବେ ପରିଚିତ ଭବାନୀପାଟଣା-କେସିଙ୍ଗା ଭାୟା ଉତ୍କେଲା ରେଳ ପ୍ରକଳ୍ପ ପ୍ରସଙ୍ଗରେ ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକଳ୍ପ ଏକ ଶତାବ୍ଦୀ ପୁରୁଣା ସ୍ବପ୍ନ ହୋଇଥିବା ବେଳେ ୧୯୨୩ ମସିହାରୁ ଏହାର ପ୍ରସ୍ତାବ ରହିଆସିଛି। ପ୍ରକଳ୍ପର ଆରଇଟି ସର୍ଭେ ପୂର୍ବରୁ ଅନୁମୋଦିତ ହୋଇଥିଲେ ମଧ୍ୟ ସର୍ଭେ ପର୍ଯ୍ୟାୟରୁ ପ୍ରକଳ୍ପକୁ ଆଗକୁ ନେଇ ପ୍ରତ୍ୟକ୍ଷ କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ସ୍ବତନ୍ତ୍ର ବଜେଟ ବ୍ୟୟବରାଦ ଆବଶ୍ୟକ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।
କେସିଙ୍ଗାରୁ ଭବାନୀପାଟଣା ପର୍ଯ୍ୟନ୍ତ ପ୍ରାୟ ୩୫ କିଲୋମିଟର ରେଳ ସଂଯୋଗ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ପରିବହନ ବ୍ୟବସ୍ଥା ପାଇଁ ଗୁରୁତ୍ୱ ବହନ କରେ। ଏହି ରେଳପଥ ନିର୍ମାଣ ହେଲେ ଟିଟିଲାଗଡ଼-କେସିଙ୍ଗା-ଭବାନୀପାଟଣା-ରାୟଗଡ଼-ବିଶାଖାପାଟଣା ଏବଂ ଟିଟିଲାଗଡ଼-କେସିଙ୍ଗା-ଭବାନୀପାଟଣା-ଜୁନାଗଡ଼-ନବରଙ୍ଗପୁର-ଜୟପୁର ମଧ୍ୟରେ ରେଳ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଶୂନ୍ୟସ୍ଥାନ ପୂରଣ ହୋଇପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଏହା ଦ୍ୱାରା ଯାତ୍ରୀଙ୍କ ଯାତ୍ରା ସମୟ ଓ ଖର୍ଚ୍ଚ ମଧ୍ୟ କମିବ। କେସିଙ୍ଗା ଓ ଭବାନୀପାଟଣା ମଧ୍ୟରେ ସିଧାସଳଖ ରେଳ ସଂଯୋଗ ହେଲେ ଲାଞ୍ଜିଗଡ଼ ରୋଡ ଷ୍ଟେଶନରେ ଟ୍ରେନ୍ର ଇଞ୍ଜିନ ପରିବର୍ତ୍ତନ ଭଳି ସମସ୍ୟା ଦୂର ହେବ। ଫଳରେ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ର ସମୟ ମଧ୍ୟ ସଞ୍ଚୟ ହୋଇପାରିବ।
ବର୍ତ୍ତମାନ ଉତ୍କେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବାରୁ ଏହାକୁ ରେଳପଥ ସହ ସଂଯୋଗ କରାଗଲେ ଅଞ୍ଚଳରେ ଏକ ପ୍ରମୁଖ ମଲ୍ଟି-ମୋଡାଲ ପରିବହନ କେନ୍ଦ୍ର ଗଠନ ହୋଇପାରିବ। ଏହା କଳାହାଣ୍ଡିର ବାଣିଜ୍ୟ, ପର୍ଯ୍ୟଟନ ଓ ସ୍ଥାନୀୟ ରୋଜଗାର କ୍ଷେତ୍ରକୁ ମଧ୍ୟ ନୂଆ ଗତି ଦେବ ବୋଲି ସଂଘ ଆଶା ପ୍ରକାଶ କରିଛି।
ରେଳ ବିଭାଗର ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ହେଉଥିବା ବେଳେ ଆସନ୍ତା ବଜେଟ୍ରେ ଏହି ଐତିହାସିକ ପ୍ରକଳ୍ପ ପାଇଁ ଆବଶ୍ୟକ ପାଣ୍ଠି ମଞ୍ଜୁର କରିବାକୁ କଳାହାଣ୍ଡି ରେଳ ଯାତ୍ରୀ ସଂଘର ସଭାପତି ଡ. ଭବାନୀ ଶଙ୍କର ନିଆଲଙ୍କ ସମେତ କଳାହାଣ୍ଡି ଜିଲ୍ଲାବାସୀ ଓ କେସିଙ୍ଗାବାସୀ ଦାବି କରିଛନ୍ତି।
Dharitri – Odisha’s No.1 Odia Daily

