ଡେରାଡୁନ୍,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫ ବର୍ଷର ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଯୋଗୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇବା କ୍ଷଣି ରାସ୍ତାରେ ନିୟୋଜିତ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଶିଶୁଟିର ମୃତଦେହକୁ ଏମଆରପି ଭୈରବ ମନ୍ଦିରକୁ ନିଆଯାଇଥିଲା।
ପୋଲିସ ନିୟନ୍ତ୍ରଣ କକ୍ଷକୁ ରବିବାର ସେପ୍ଟେମ୍ବର ୨୭ ଅପରାହ୍ନ ପ୍ରାୟ ୪:୩୯ ସମୟରେ ଚିରବାସା ଅଞ୍ଚଳରେ ଭୂସ୍ଖଳନ ଏବଂ ପଥର ଧସିବା ନେଇ ସୂଚନା ମିଳିଥିଲା। ପାହାଡ଼ରୁ ଖସିଥିବା ଏକ ବଡ଼ ପଥର ଆଘାତରେ ଶିଶୁଟିର ପ୍ରାଣହାନି ଘଟିଥିବା ପୋଲିସ ସ୍ପଷ୍ଟ କରିଛି। ମୃତ ଶିଶୁଟିର ନାମ ଯଶ (୫) ଏବଂ ସେ ଉତ୍ତରପ୍ରଦେଶର ଏଟାହ ନିବାସୀ ରୋହତାଶ ଯାଦବଙ୍କ ପୁଅ ବୋଲି ଚିହ୍ନଟ କରାଯାଇଛି।
ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧,୧୦୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାକି ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ପ୍ରଶାସନିକ ଉଦ୍ୟମ ଜାରି ରହିଛି।
ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରାଜୱାର କହିଛନ୍ତି ଯେ, ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ସମସ୍ତ ଉଦ୍ଧାରକାରୀ ଦଳ ପରସ୍ପର ସହ ସମନ୍ୱୟ ରଖି ପ୍ରଭାବିତ ଅଞ୍ଚଳ ଉପରେ କଡ଼ା ନଜର ରଖିଛନ୍ତି ଏବଂ ଲୋକଙ୍କୁ ନିରାପଦ ସ୍ଥାନକୁ ପଠାଯାଉଛି।
ଅଞ୍ଚଳରେ ବର୍ଷା ଜାରି ରହିଥିବାରୁ ଚିରବାସା ନିକଟସ୍ଥ ପାହାଡ଼ରୁ ଆହୁରି ପଥର ଖସିବା ଏବଂ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଏଣୁ ସମସ୍ତ ତୀର୍ଥଯାତ୍ରୀଙ୍କୁ ଧୈର୍ଯ୍ୟ ଧରିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରାଯାଇଛି।

