କୋକସରା,୧୧ା୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ଦ୍ବିତୀୟ ସାରେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ। ନର୍ଲା ବିଧାୟିକା ମନୋରମା ମହାନ୍ତି ମୁଖ୍ୟ ଅତିଥି, ଡ. ଉମେଶ ଚନ୍ଦ୍ର ଶତପଥି ମୁଖ୍ୟ ବକ୍ତା ଓ ସିଡିଓ ଦୟାମୟ ପାଢ଼ୀ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୌଷଧି ବାଗ, ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ରାଜ୍ୟ ଓମ୍ଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସାଂସ୍କୃତିକ ସାରେ ସରପଞ୍ଚ ଓ ସମିତି ସଭ୍ୟ ମଞ୍ଚାସୀନ ହୋଇ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସିଂଘମ ଡ୍ୟାନ୍ସ ଗ୍ରୁପର ରାଜସ୍ଥାନୀ ନୃତ୍ୟ, ଛଉ ନୃତ୍ୟ ଦିଗପହଣ୍ଡି, ସୋନପୁରର ପାର୍ବା ନୃତ୍ୟ, ଢେମଶା, ବଜାସାଲରେ ମଞ୍ଚ ଦୁଲୁକି ଉଠିଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଶିକ୍ଷକ ସୁଧୀର ପଣ୍ଡା, ନିଳାମ୍ବର ଦାସ, ଶିକ୍ଷୟିତ୍ରୀ ବନଜିନି ଭରଦ୍ବାଜ, ରକ୍ତଦାତା ଆକାଶ ରଣା, ଏଏନ୍ଏମ ଶ୍ରାବଣୀ ବଚ୍ଛା, ଆଶାକର୍ମୀ ରମଣୀ ଦଣ୍ଡସେନା, ଭଲିବଲ କୃତିତ୍ୱ ପାଇଁ ଛାତ୍ର ନରୋତ୍ତମ ପଟ୍ଟନାୟକ, ପଥର ଶିଳ୍ପୀ ଗୋବିନ୍ଦ ମାଝୀ, ସଫଳ ଚାଷି ସୁଦର୍ଶନ ପଟେଲଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।