ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ ଅନୁସାରେ ଉତ୍ପାଦନ ପ୍ରାୟ ୧ କୋଟି ମେଟ୍ରିକ ଟନ୍୍ (୧୦ ମିଲିୟନ ଟନ୍୍) ପର୍ଯ୍ୟନ୍ତ ଖସିପାରେ। ଗତବର୍ଷ ରେକର୍ଡ ୧୫୪ ମିଲିୟନ ଟନ୍୍ ଅମଳ ହୋଇଥିବା ବେଳେ ଏବର୍ଷ ସେଥିରୁ ପ୍ରାୟ ୬.୫% କମିବ। ୨୦୦୯-୧୦ ମସିହାରେ ‘ଏଲ୍-ନିନୋ’ ପ୍ରଭାବିତ ମରୁଡ଼ି ସ୍ଥିତି ପରେ ଏହା ସବୁଠାରୁ ବଡ଼ ହ୍ରାସ ହେବ। ବିଶେଷକରି ପୂର୍ବ ଏବଂ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଦୀର୍ଘ ଦିନ ଧରି ଶୁଖିଲା ପାଗ ଲାଗି ରହିବା ଫଳରେ ଅମଳ ଆଶାଜନକ ହେବ ନାହିଁ। ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଜୁନ ୧ରୁ ଆରମ୍ଭ ହୋଇଥିବା ମୌସୁମୀ ଋତୁରେ ଦେଶରେ ଏପର୍ଯ୍ୟନ୍ତ ସ୍ବାଭାବିକଠାରୁ ୧୫% କମ୍ ବର୍ଷା ହୋଇଥିବା ବେଳେ କେତେକ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟରେ ଏହି ନିଅଣ୍ଟ ପରିମାଣ ୪୨% ପର୍ଯ୍ୟନ୍ତ ରହିଛି।
ସରକାରୀ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୧୧ ସୁଦ୍ଧା ଦେଶରେ ଖରିଫ ଧାନ ଚାଷ ଜମିର ପରିମାଣ ୪୨.୬୮ ମିଲିୟନ ହେକ୍ଟର ରହିଛି, ଯାହାକି ଗତ ବର୍ଷ ତୁଳନାରେ ୪ ପ୍ରତିଶତ କମ୍। ଦେଶର ମୋଟ ଚାଉଳ ଉତ୍ପାଦନର ୮୦ ପ୍ରତିଶତରୁ ଅଧିକ କେବଳ ଖରିଫ ଋତୁରୁ ହିଁ ଆସିଥାଏ। ଜଳଭଣ୍ଡାରଗୁଡ଼ିକରେ ପାଣି ସ୍ତର ସ୍ବାଭାବିକଠାରୁ କମ୍ ଥିବାରୁ ଆଗାମୀ ରବି (ଶୀତକାଳୀନ) ଚାଷ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ଓଲାମ ଏଗ୍ରି ଇଣ୍ଡିଆର ଅଧିକାରୀ ନୀତିନ ଗୁପ୍ତା କହିଛନ୍ତି। ଉତ୍ପାଦନ କମିବା ଆଶଙ୍କାରେ ସ୍ଥାନୀୟ ବଜାରରେ ଚାଉଳ ଦର ବଢ଼ିବା ଆରମ୍ଭ କରିସାରିଲାଣି। ଚାଉଳ ରପ୍ତାନିକାରୀ ସଂଘର ସଭାପତି ରାଓ କହିଛନ୍ତି , ଉନ୍ନତ କିସମର ଧାନ ଚାଷ କରୁଥିବା ଚାଷୀଙ୍କୁ ଖୋଲା ବଜାରରେ ଭଲ ଦର ମିଳିବ, ଫଳରେ ସରକାରୀ ମଣ୍ଡିକୁ ଧାନ ବିକ୍ରି କମିଯିବ। ଅନ୍ୟପକ୍ଷରେ ନୂଆଦିଲ୍ଲୀର ଜଣେ ବିଶ୍ୱସ୍ତରୀୟ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ଧରି ରେକର୍ଡ ଅମଳ ଯୋଗୁ ସରକାରୀ ଗୋଦାମରେ ପର୍ଯ୍ୟାପ୍ତ ଚାଉଳ ମହଜୁଦ ଥିବାରୁ, କମ୍ ଉତ୍ପାଦନ ସତ୍ତ୍ୱେ ରପ୍ତାନି ଧାରା ଅବ୍ୟାହତ ରହିବ। ତେଣୁ ରପ୍ତାନି ଉପରେ ରୋକ ଲଗାଇବାର ଆବଶ୍ୟକତା ନାହିଁ। ଅକ୍ଟୋବର ୧ ସୁଦ୍ଧା ସରକାରୀ ଲକ୍ଷ୍ୟଧାର୍ଯ୍ୟ ୧୦.୩ ମିଲିୟନ ଟନ୍୍ ଥିବାବେଳେ ସେପ୍ଟେମ୍ବର ୧ ସୁଦ୍ଧା ସରକାରୀ ଗୋଦାମରେ (ଧାନକୁ ମିଶାଇ) ରେକର୍ଡ ୫୯.୬ ମିଲିୟନ ଟନ୍୍ ଖାଦ୍ୟଶସ୍ୟ ମହଜୁଦ ରହିଛି।

