ଛତ୍ରପୁର,୨୭ା୧୧(ଦିଲ୍ଲୀପ ସାମଲ): ଭାରତୀୟ ନୌସେନାର ଯୁଦ୍ଧଜାହାଜ ‘ଆଇଏନଏସ ଦୁନାଗିରି’ ବିଶାଖାପାଟଣାରୁ ଆସି ଗୋପାଳପୁର ବନ୍ଦରରେ ପହଞ୍ଚିଛି। ଏହି ଅବସରରେ ଆସନ୍ତା ଦୁଇଦିନ ଧରି ସାଧାରଣ ଜନତାଙ୍କୁ ଯୁଦ୍ଧଜାହାଜଟିକୁ ଦେଖିବାର ସୁଯୋଗ ମିଳିବ। ନୌସେନାର ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜକୁ ନିକଟରୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନିୟୋଜିତ ଏହି ଯୁଦ୍ଧଜାହାଜର ବିଶାଳ ଆକୃତି, ଆଧୁନିକ ଯନ୍ତ୍ରପାତି ଓ ନୌସେନାର କାର୍ଯ୍ୟଶୈଳୀକୁ ଦେଖିବା ସହ ଏ ସମ୍ପର୍କରେ ଜାଣିବାର ଏହା ଏକ ନିଆରା ସୁଯୋଗ। ବିଶେଷକରି ଛାତ୍ରୀଛାତ୍ର, ଯୁବପିଢ଼ି ଓ ନୌସେନା ପ୍ରତି ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଏହି ଦର୍ଶନ ଏକ ସ୍ମରଣୀୟ ଅନୁଭୂତି ହେବ। ଗୋପାଳପୁର ବନ୍ଦରରେ ଭାରତୀୟ ନୌସେନା ଯୁଦ୍ଧଜାହାଜ ଦେଖିବାର ସୁଯୋଗ ପାଇବେ ଗଞ୍ଜାମ ଜିଲାବାସୀ।

